ପଦ୍ମପୁର: ସ୍ବାମୀ ଏବଂ ଜନ୍ମକଲା ଦୁଇ ପୁଅ ପଚାରିଲେନି। ଫଳରେ ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର ପଞ୍ଚାୟତ ଭାଟୁଣିଆଁ ଗ୍ରାମର ଗୋବିନ୍ଦ ଦେହୁରୀଙ୍କ ସ୍ତ୍ରୀ ମୀନା ଦେହୁରୀ(୬୦) ବନାଯୋଡ଼ି ଅନାଥାଶ୍ରମରେ ଆଶ୍ରୟ ନେଇଥିଲେ। ସ୍ବାମୀ ଗୋବିନ୍ଦ ଜଗମୋହନପୁରରେ ରହୁଥିବାବେଳେ ଗାଁକୁ ଆସୁନାହାନ୍ତି। ଦୁଇପୁଅଙ୍କର କୌଣସି ଖୋଜଖବର ନାହିଁ। ଘରଦ୍ବାର ମାଟିରେ ମିଶିଯାଇଛି। ମୀନା ଏକାକୀ ଅସହାୟ ହୋଇ ଅନାଥାଶ୍ରମରେ ୨ ବର୍ଷ ହେବ ରହୁଥିଲେ। ବାର୍ଦ୍ଧକ୍ୟ ଜନିତ କାରଣରୁ ମୀନାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଅତି ଗୁରୁତର ହେବାରୁ ଆଜି ଅନାଥାଶ୍ରମର କର୍ମଚାରୀ ତାଙ୍କୁ ପଦ୍ମପୁର ଗୋଷ୍ଠୀସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ।
ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଫଳରେ ସ୍ବାମୀ ଗୋବିନ୍ଦଙ୍କୁ ଯୋଗାଯୋଗ କରିଥିଲେ ସୁଦ୍ଧା ସେମାନେ ଆସି ନଥିଲେ। ମୀନାଙ୍କ ଶବକୁ ତାଙ୍କର ଶଶ୍ବୁର ଘର ଭାଟୁଣିଆଁ ଗ୍ରାମର ଶ୍ମଶାନରେ ସତ୍କାର କରିବାକୁ କହିଥିଲେ ହେଁ କିଛି ଲୋକ ଏହାକୁ ବିରୋଧ କରିଥିଲେ। ବାଧ୍ୟ ହୋଇ ସ୍ଥାନୀୟ ସଦର ପୁଲିସ ସହଯୋଗରେ ପଦ୍ମପୁର ପୂର୍ବତନ ସରପଞ୍ଚ ତଥା ସମାଜସେବୀ ହାଡିବନ୍ଧୁ ଦେହୁରୀ ସମିତିସଭ୍ୟ ସିର୍ଦ୍ଧାନ୍ତ ଶଙ୍କର ସାହୁ, ଅନାଥାଶ୍ରମର କର୍ମଚାରୀଙ୍କ ଉପସ୍ଥିତିରେ ଭାଟୁଣିଆଁ ଶ୍ମଶାନରେ ମୀନାଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି।