କରୋନାରେ ସ୍ୱାମୀଙ୍କ ପରଲୋକ, ୨ପିଲାଙ୍କୁ ନେଇ ପତ୍ନୀ ଅସହାୟ

ଜୟପୁର: କରୋନା ମହାମାରୀ ବହୁ ପରିବାରକୁ ଛାରଖାର କରି ଦେଇଛି। ଜୟପୁର ସହରର ଏଭଳି ଏକ ପରିବାରର ଖୁସି ଛଡାଇ ନେଇଛି କ‌ରୋନା। ସ୍ବାମୀ ଏସ୍ .ଭେଙ୍କଟରାଓ(୪୬)ଙ୍କ ମୃତ୍ୟୁ ପରେ ପତ୍ନୀ ଏସ୍ .ଭାରତୀ ବେସାହରା ହୋଇପଡ଼ିଛନ୍ତି। ୧୨ବର୍ଷର ପୁଅ ଓ ସାଢ଼େ ୨ବଷର୍ର ଝିଅର ଭବିଷ୍ୟତକୁ ନେଇ ଚିନ୍ତିତ ହୋଇ ପଡ଼ିଛନ୍ତି। ଏହି ଗରିବ ପରିବାର ନିକଟକୁ ସରକାରୀ ‌ସାହାଯ୍ୟ ଓ ସହଯୋଗ କିଛି ମିଳି ପାରିନି।

ମୃତ ଭେଙ୍କଟ ରାଓଙ୍କ ଘର ଜୟପୁର ସହରର ବାଙ୍କମଠ ସମ୍ମୁଖ ଗଳିରେ। ବଡ଼ ଭାଇଙ୍କ ସହ ମିଶି ଗୋଟିଏ ଘରେ ହିଁ ଯୁଗ୍ମ ପରିବାର ଭାବେ ଭଡାଘରେ ରହି ଆସୁଥିଲେ। ଦୁଇ ଭାଇ ମିଶି ବୈଦ୍ୟୁତିକ ସାମଗ୍ରୀ( ଟିଭି, ରେଡିଓ) ଆଦି ମରାମତି ଦୋକାନ କରିଥିଲେ। ଏଥିରେ ଯାହା କିଛି ମିଳୁଥିଲା ୨ଭାଇଙ୍କ ପରିବାର ଚଳି ଆସୁଥିଲା। ଗତ ଏପ୍ରିଲ ମାସର ଶେଷ ସପ୍ତାହରେ ଭେଙ୍କଟ ରାଓଙ୍କ ଦେହ ଅସୁସ୍ଥ ହେବା ସହ ଜ୍ବର ହୋଇଥିଲା। ସେ ଅସୁସ୍ଥ ଅନୁଭବ କରିବା ପରେ ସ୍ଥାନୀୟ ଏକ ଘରୋଇ କ୍ଲିନୀକରେ ଡାକ୍ତରଙ୍କୁ ଦେଖାଇଥିଲେ। ଡାକ୍ତର ତାଙ୍କୁ କିଛି ଔଷଧ କିଣି ଖାଇବା ପାଇଁ ପରାମର୍ଶ ଦେଇଥିଲେ। ଏହା ଖାଇବା ପରେ ମଧ୍ୟ ସେ ସୁସ୍ଥ ହୋଇ ନଥିଲେ। ବରଂ ଅଧିକା ଅସୁସ୍ଥ ହୋଇ ପଡ଼ିଥିଲେ। ଗତ ମେ ୨ତାରିଖ ଦିନ ପୁଣି ଉକ୍ତ କ୍ଲିନୀକକୁ ଯିବା ପରେ ଡାକ୍ତର ଜଣକ ତାଙ୍କର ଅକ୍ସିଜେନସ୍ତର ଯାଂଚ କରିଥିଲେ। ସେତେବେଳେ ତାଙ୍କର ଅକ୍ସିଜେନ୍ ସ୍ତର ୬୦କୁ ଖସି ଆସିଥିଲା। ସେ ଦିନ ହିଁ ଭେଙ୍କଟ ରାଓ ଜୟପୁର କୋଭିଡ୍ ହସ୍ପିଟାଲରେ ଆଡମିଟ୍ ହୋଇଥିଲେ। ଏହା ପରେ ତାଙ୍କର କୋଭିଡ୍ ପରୀକ୍ଷା କରାଯାଇଥିଲା।

ସେ ଚିକିତ୍ସାଧୀନ ଥିବାର ୭ଦିନ ପରେ ସେ କ‌ରୋନାରେ ଆକ୍ରାନ୍ତ ବୋିଲି ରିପୋର୍ଟ ଅସିଥିବା କହିଛନ୍ତି ପତ୍ନୀ ଭାରତୀ। ତେବେ ସେ ୨ତାରିଖ ଦିନ ଡାକ୍ତରଖାନାକୁ ଯିବା ସମୟରେ ଜୀବିତ ଭାବେ ଦେଖିଥିବା ବେଳେ ୧୩ଦିନ ଚିକିତ୍ସାଧୀନ ରହିବା ପରେ ୧୫ତାରିଖ ଦିନ ତାଙ୍କର ମୃତ୍ୟୁ ଖବର ଶୁଣିଥିଲୁ ବୋଲି କହିଛନ୍ତି ଭାରତୀ। ଭାରତୀ ସପ୍ତମ ପର୍ଯ୍ୟନ୍ତ ପାଠ ପଢ଼ିଛନ୍ତି। କମ୍ ପାଠରେ ତାଙ୍କୁ କିଛି କର୍ମସଂସ୍ଥାନ ବି ମିଳିବ ନାହିଁ। ‌ବ୍ୟବସାୟ କରିବାକୁ ଆର୍ଥିକବଳ ବି ନାହିଁ। ଏତେ ବଡ଼ ଦୁନିଆରେ ଏହି ମହରଗ ଯୁଗରେ କିଭଳି ତାଙ୍କ ପୁଅ ଓ ଝିଅକୁ ନେଇ ଚଳିବେ, କିଭଳି ପାଠ ପଢ଼ାଇ ମଣିଷ କରିବେ ବୋଲି ଚିନ୍ତାରେ ପଡ଼ି ଭାଙ୍ଗି ପଡ଼ିଛନ୍ତି ଭାରତୀ। ପୂର୍ବରୁ ଯୁଗ୍ମ ପରିବାରରେ ରହି ଆସୁଥିବାରୁ ଏବେ ପରିବାର ଚଳୁଛି ତେବେ ତାହା ପୁଣି କେତେ ଦିନ ଚାଳିବ ସେ ନିଜେ ବି ଜାଣି ପାରୁ ନାହାନ୍ତି ବୋଲି କହିଛନ୍ତି। ଆଗାମୀ ଦିନରେ ପରିବାରର ଭବିଷ୍ୟତ କଣ ହେବ ବୋଲି ସେ ଚିନ୍ତାରେ ପଢ଼ିଯାଇଛନ୍ତି। ପ୍ରଶାସନ କିମ୍ବା କୌଣସି ବଦାନ୍ୟ ବ୍ୟକ୍ତି ଆମ ପରିବାରକୁ ସହଯୋଗ କରି ବଂଚିବାର ରାହ ଦେଖାନ୍ତୁ ବୋଲି ଅନୁରୋଧ କରିଛନ୍ତି ଭାରତୀ।

ସମ୍ବନ୍ଧିତ ଖବର