ବଲାଙ୍ଗୀର: ପତ୍ନୀ ଲେବର ରୁମ୍‌ରେ, ଆଉଟ୍‌ଡୋରରେ ଚାଲିଗଲା ସ୍ୱାମୀଙ୍କ ଜୀବନ

ବଲାଙ୍ଗୀର: ଆସନ୍ନ ପ୍ରସବା ପତ୍ନୀଙ୍କୁ ନେଇ ଆସିଥିଲେ ଡାକ୍ତରଖାନା। ବଲାଙ୍ଗୀର ମେଡିକାଲ କଲେଜ ଆଣ୍ଡ ହସ୍‌ପିଟାଲର ଲେବର ରୁମ୍‌ରେ ପତ୍ନୀ ଏକ ନୂତନ ଜୀବନକୁ ଆଲୋକ ଦେଖାଇବା ପାଇଁ ଗର୍ଭଯନ୍ତ୍ରଣା ପାଉଥିିବା ବେଳେ ହସପିଟାଲ ଆଉଟ୍‌ଡୋର ପାଖରେ ହଠାତ ତାଙ୍କ ମଥାର ସିନ୍ଦୂର ଲିଭି ଯିବା ଭଳି ଅଭାବନୀୟ ଘଟଣା ଘଟିଛି ।  ପତ୍ନୀଙ୍କୁ ସାଥିରେ ଡାକ୍ତରଖାନା ନେଇ ଆସିଥିବା ସ୍ୱାମୀଙ୍କର ମୃତ୍ୟୁ ଘଟିଛି। ଏଭଳି ଆକସ୍ମିକ ଅାଘାତରେ କ’ଣ କରିବେ ଭାବି ପାରୁନାହାନ୍ତି ମୃତକଙ୍କ ମାଆ!  ବୋହୂ ପାଖରେ ରହିବେ ନାଁ ପୁଅର ଶବକୁ ଧରି କାନ୍ଦିବେ କିଛି ଜାଣି ପାରୁ ନାହାଁନ୍ତି  ସେ। ଏପରି ଏକ ହୃଦୟ ବିଦାରକ ଘଟଣା ସମଗ୍ର ବଲାଙ୍ଗୀର ସହରରେ ଏକ ଶୋକଭରା ପରିସ୍ଥିତି ସୃଷ୍ଟି କରିଛି। ନିଜ ବଂଶର ପ୍ରଦୀପ ଦୁନିଆର ଅଲୋକ ଦେଖିବା ପୂର୍ବରୁ ସବୁଦିନ ପାଇଁ ବାପା ଆଖିବୁଜି ଦେବା ଘଟଣା ଡାକ୍ତରଖାନାକୁ ଆସିଥିବା ସମସ୍ତ ଲୋକଙ୍କ ଆଖିରେ ଲୁହ ଭରି ଦେଇଛି।

(ପୁଅ ବାବୁଲିଙ୍କ ଆକସ୍ମିକ ମୃତ୍ୟୁରେ ଅଧିରା ମାଆ ମୁକ୍ତା ଭରରସାଗର।)

ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଥାନା ଅନ୍ତର୍ଗତ ମଣିଗାଁର ବାବୁଲି ଭରାସାଗର (୨୫ ବର୍ଷ) । ତାଙ୍କ ଗର୍ଭବତୀ ପତ୍ନୀ ବର୍ଷା ଭରାସାଗର(୨୩ ବର୍ଷ) ଗର୍ଭଯନ୍ତ୍ରଣା ପାଇବାରୁ ତାଙ୍କର ପ୍ରସବ ପାଇଁ ନିଜ ମାଆ ମୁକ୍ତା ଭରାସାଗରଙ୍କୁ ସାଙ୍ଗରେ ଧରି ଆଜି ସକାଳେ ଆସି ବଲାଙ୍ଗୀର ମେଡିକାଲ କଲେଜ ଆଣ୍ଡ ହସ୍‌ପିଟାଲରେ ପହଞ୍ଚିଥିଲେ। ତେବେ ବର୍ଷାଙ୍କୁ ଲେବର ରୁମ୍‌କୁ ପଠାଇ ଦେଇ ଅବଶ୍ୟକ କାଗଜପତ୍ର ପ୍ରସ୍ତୁତ କରିବା ପାଇଁ ମେଡିକାଲର ଆଉଟଡୋରକୁ ଆସିଥିଲେ ବାବୁଲି ଭରାସାଗର। ହଠାତ ସେ ସେଠାରେ ବସିପଡ଼ିବା ସହିତ ତାଙ୍କ ଚେତା ଚାଲି ଯାଇଥିଲା। ସାଙ୍ଗେସାଙ୍ଗେ ଡାକ୍ତର ତାଙ୍କୁ ପରୀକ୍ଷା କରିଥିଲେ , ଆଉ ବାବୁଲି ଭରାସାଗରଙ୍କୁ ମୃତ ଘୋଷଣା କରିଥିଲେ। ଏ ପର୍ଯ୍ୟନ୍ତ ବାବୁଲି ତାଙ୍କ ପତ୍ନୀଙ୍କୁ ଲେବର ରୁମ୍‌ରେ ଭର୍ତ୍ତି କରିଥିବା କେହି ଜାଣି ନ ଥିଲେ। ମାତ୍ର ବାବୁଲିଙ୍କ ଫେରିବା ଡେରି ହେବାରୁ ତାଙ୍କ ମା ମୁକ୍ତା ଭରାସାଗର ଖୋଜିବାକୁ ଆସି ବାବୁଲିଙ୍କୁ ମୃତ ଅବସ୍ଥାରେ ପାଇଥିଲେ। ମୁକ୍ତାଙ୍କ କାନ୍ଦରେ ଡାକ୍ତରଖାନା ଫାଟି ପଡ଼ିଥିଲା ସେଠାରେ ମୁକ୍ତା କାନ୍ଦିକାନ୍ଦିି ତାଙ୍କ ବୋହୂ ପ୍ରସବଯନ୍ତ୍ରଣାରେ ଲେବର ରୁମ୍‌ରେ ଥିବା କହିଥିଲେ। ଏପରି ଏକ ଅଭାବନୀୟ ଘଟଣାରେ ସମସ୍ତେ ବିସ୍ମିତ ହୋଇପଡ଼ିଥିଲେ। ଏପଟେ ସ୍ୱାମୀଙ୍କର ମୃତ୍ୟୁ ଘଟି ସାରିଥିଲେ ମଧ୍ୟ ପତ୍ନୀ ବର୍ଷା ଏ କଥା ଜାଣି ନାହାଁନ୍ତି। ସେ ତାଙ୍କ ଆଗାମୀ ବଂଶଧରଙ୍କୁ ଜନ୍ମ ଦେବା ପାଇଁ ଓ ମାତୃତ୍ୱ ପାଇଁ ଅପେକ୍ଷା କରିଛନ୍ତି। ଗୋଟିଏ ମା’ ମାତୃତ୍ୱର ଗାରିମାରେ ଗୌରବାନ୍ଵିତ ହେବାକୁ ଅପେକ୍ଷା କରି ଥିବା ବେଳେ ଆଉ ଗୋଟଏ ମାର କୋଳ ଶୂନ୍ୟ ହୋଇ ଯାଇଛି ସେହି ହସ୍‌ପିଟାଲ ପରିସରରେ।।

ସମ୍ବନ୍ଧିତ ଖବର