ପତ୍ନୀ ହତ୍ୟାକାରୀ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡ

ସୁନ୍ଦରଗଡ଼: ୨୦୧୪ ନଭେମ୍ବରରେ ରାଜଗାଙ୍ଗପୁର ଥାନା ବିଲେଇଗଡ଼ରେ ପତ୍ନୀ ପାର୍ବତୀ ନାଏକଙ୍କ ହତ୍ୟା ଅଭିଯୋଗରେ ସ୍ବାମୀ କୃଷ୍ଣ ସା(୪୦)ଙ୍କୁ ସୁନ୍ଦରଗଡ଼ ଜିଲ୍ଲା ଦୌରାଜଜ୍ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ଦେଇଛନ୍ତି। ଏହା ସହ ୧୦ ହଜାର ଟଙ୍କା ଜରିମାନା ଆଦେଶ କରିଛନ୍ତି। ମାମଲାର ବିବରଣୀ ଅନୁସାରେ, ବିଲେଇଗଡ଼ର କୃଷ୍ଣ ସା ଗତ ୨୦୧୪ ଜୁନରେ ମୁରଲୀ ନାଏକଙ୍କ ଝିଅ ପାର୍ବତୀଙ୍କୁ ବିବାହ କରିଥିଲା। କିନ୍ତୁ କିଛି ଦିନ ଯିବା ପରେ ସେ ପାର୍ବତୀଙ୍କ ଚରିତ୍ରକୁ ସନ୍ଦେହ କରି ମାଡ଼ପିଟ କରିବାକୁ ଲାଗିଲା।

ଘଟଣାକ୍ରମେ ଗତ ୨୦୧୪ ନଭେମ୍ବର ୧୮ ତାରିଖ ରାତିରେ କୃଷ୍ଣ ଓ ପାର୍ବତୀ ମୁରଲୀ ଘରକୁ ଆସିଥିଲେ। ୧୯ ତାରିଖ ସକାଳ ୭ଟାରେ ମୁରଲୀ ଛେଳି ଚରାଇବାକୁ ଓ ତାଙ୍କ ସ୍ତ୍ରୀ ଧାନ କାଟିବାକୁ ବାହାରି ଯାଇଥିଲେ। ପୂର୍ବାହ୍ନ ୧୦ଟାରେ ମୁରଲୀ ଘରକୁ ଫେରିବା ପରେ ଘର କବାଟ ଭିତରୁ ବନ୍ଦ ଥିବା ଓ କୃଷ୍ଣ, ପାର୍ବତୀ ଭିତରେ ଥିବା ଜାଣି ଡାକିଥିଲେ। ଏପରିକି କବାଟ ଖୋଲିବାକୁ ଚେଷ୍ଟା କରିଥିଲେ। କିନ୍ତୁ ସେଥିରେ ବିଫଳ ହେବାରୁ ସ୍ତ୍ରୀଙ୍କୁ ଡାକିବାକୁ ବିଲକୁ ଯାଇଥିଲେ। ସେଠାରୁ ସ୍ବାମୀସ୍ତ୍ରୀ ଫେରିଲା ବେଳକୁ କୃଷ୍ଣ ବାରଣ୍ଡାରେ ବସି ମୋବାଇଲରେ ଗୀତ ଶୁଣି ମୁଢ଼ି ଖାଉଥିବା ଦେଖିବାକୁ ପାଇଥିଲେ। ସେମାନଙ୍କୁ ଦେଖି ପାର୍ବତୀ ପାଖକୁ ନଯିବାକୁ ତାଗିଦ୍ କରିଥିଲେ। ପରେ ମୁରଲୀ ଓ ତାଙ୍କ ପତ୍ନୀ ଗାଁ ଲୋକଙ୍କ ଡାକି ଘର ଭିତରେ ପଶି ପାର୍ବତୀ ମରି ପଡ଼ିଥିବା ଦେଖିବାକୁ ପାଇଥିଲେ। କୃଷ୍ଣ ଗାମୁଛାର ତଣ୍ଟି ଚିପି ପାର୍ବତୀଙ୍କୁ ହତ୍ୟା କରିଥିବା ପ୍ରକାଶ କରିଥିଲା।

ଘଟଣାରେ ରାଜଗାଙ୍ଗପୁର ପୁଲିସ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତ କୃଷ୍ଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ମାମଲାକୁ ବିଚାର କରି ୭.୬.୨୦୨୧ରେ ଦୌରାଜଜ ଜବାବ ସୁଆଲ କରି ୧୧.୬.୨୦୨୧ରେ ଶୁଣାଣି କରିଥିଲେ। ପୀଡ଼ିତାଙ୍କ ପିତାଙ୍କୁ କ୍ଷତିପୂରଣ ରାଶି ପ୍ରଦାନ କରିବାକୁ ଜିଲ୍ଲା ଆଇନ ସହାୟତା କର୍ତ୍ତୃପକ୍ଷଙ୍କୁ ଆଦେଶ କରିଛନ୍ତି ଅଦାଲତ। ପୀଡ଼ିତାଙ୍କ ପକ୍ଷରୁ ସରକାରୀ ଓକିଲ ଅବଦୁଲ ସମିମ ମାମଲା ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର