ପାରିବାରିକ କଳହର କରୁଣ ପରିଣତି: ପତ୍ନୀକୁ ହତ୍ୟା କଲା ସ୍ବାମୀ

ଭଞ୍ଜନଗର: ପାରିବାରିକ କଳହକୁ କେନ୍ଦ୍ର କରି ପତ୍ନୀକୁ ହାଣି ନିର୍ମମ ଭାବେ ହତ୍ୟା କଲା ସ୍ବାମୀ। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅଧୀନ ଆଖୁପଦର ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତକଜଣକ ହେଉଛନ୍ତି, ଗୀତାଞ୍ଜଳି ମୁଳି। ଏହି ଅମାନୁଷିକ କାଣ୍ଡ ଘଟାଇଥିବା ଗୀତାଞ୍ଜଳିଙ୍କ ପତି ରାଜୁ ମୁଳିକୁ ପୁଲିସ ଅଟକ ରଖି ପଚରାଉଚରା କରୁଛି।

ଭଞ୍ଜନଗର ଥାନା ଛେଦାଭୂମି ଗ୍ରାମର ସ୍ବର୍ଗତ ବାଉରୀ ମୂଳିଙ୍କ ଝିଅ ଗୀତାଞ୍ଜଳି ୨୨ ବର୍ଷ ତଳେ ଆଖୁପଦର ଗ୍ରାମର ନିଶାକର ମୂଳିଙ୍କ ପୁଅ ରାଜୁକୁ ବିବାହ କରିଥିଲେ। ସେମାନଙ୍କ ଦୁଇସନ୍ତାନ ଥିଲେ। ତେବ‌େ ବଡ଼ଝିଅର କୌଣସି କାରଣରୁ କିଛିବର୍ଷ ତଳେ ମୃତ୍ୟୁ ହୋଇଥିବା ବେଳେ ପୁଅ ରାଜ୍ୟ ବାହାରେ ରହୁଛି।

ଗ୍ରାମରେ ଗୀତାଞ୍ଜଳି ଓ ରାଜୁ ରହୁଥିବା ବେଳେ ବିଭିନ୍ନ ସମୟରେ ସେମାନଙ୍କ ମଧ୍ୟରେ ଝଗଡ଼ା ଲାଗିରହୁଥିଲା। ଆଜି ରାଜୁର ମାଆଙ୍କ ଶ୍ରାଦ୍ଧଦିବସ ଥିଲା। ଗତକାଲି ରାତିରେ ରାଜୁ ପତ୍ନୀ ଗୀତାଞ୍ଜଳିଙ୍କୁ କିଛି ଟଙ୍କା ମାଗିଥିଲା। ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା। ଏଥି‌ରେ ରାଜୁ ଉତ୍‌କ୍ଷିପ୍ତ ହୋଇ କୌଣସି ଧାରୁଆ ଅସ୍ତ୍ରରେ ଗୀତାଞ୍ଜଳିଙ୍କୁ ହାଣି ହତ୍ୟା କରିଥିଲା। ମୁଣ୍ଡ ପଛପଟେ ଗଭୀର ଆଘାତ ଲାଗିଥିବା ସହ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତାଙ୍କ ଶବ ଘରୁ ଉଦ୍ଧାର ହୋଇଥିଲା। ପୁଲିସ ପହଞ୍ଚି ଶବକୁ ଜବତ କରିଥିବା ବେଳେ ଛତ୍ରପୁରରୁ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ଛାନଭିନ୍ କରିଥିଲେ।

ମୃତ ଗୀତାଞ୍ଜଳିଙ୍କ ମାଆ ଜୟନ୍ତୀ ମୂଳିଙ୍କ ଏତଲା କ୍ର‌ମେ ଭଞ୍ଜନଗର ଥାନାରେ କେସ୍ ନମ୍ବର ୪୩୬ ଅନୁସାରେ ଏକ ମାମଲା ରୁଜୁ ହୋଇଛି। ରାଜୁକୁ ଅଟକ ରଖି ପଚରାଉଚରା କରାଯାଉଥିବା ଥାନାଧିକାରୀ ଧୀରେଶ କୁମାର ଦାସ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର