ପଦ୍ମପୁର: ଆଜି ଥିଲା ସାବିତ୍ରୀ ଅମାବାସ୍ୟା। ଗୋଟିଏ ପଟେ ପତ୍ନୀମାନେ ସ୍ବାମୀଙ୍କ ଦୀର୍ଘଜୀବନ ପାଇଁ ପୂଜାର୍ଚ୍ଚନା କରିଥିବାବେଳେ ଅନ୍ୟପଟେ ସ୍ୱାମୀ ମାଡ଼ରେ ଜଣେ ପତ୍ନୀଙ୍କ ଜୀବନ ଯାଇଛି। ଏପରି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଯଶିପୁର ଥାନା ଅନ୍ତର୍ଗତ ଚାକିଡ଼ି ପଞ୍ଚାୟତରେ। ଖବର ଅନୁସାରେ ଚାକିଡ଼ି ପଞ୍ଚାୟତ ଅସୁରା ଗ୍ରାମରେ ଭରତ ଦେହୁରୀ ପରିବାର ସହ ରହନ୍ତି। ଆଜି ସେ ନିଶାସକ୍ତ ଅବସ୍ଥାରେ ଘରକୁ ଆସିଥିଲେ।

Advertisment

ଏହି ସମୟରେ କୌଣସି କଥାକୁ ନେଇ ପତ୍ନୀ କାଳୀ ଦେହୁରୀଙ୍କ ସହ ତାଙ୍କର ଝଗଡ଼ା ହୋଇଥିଲା। ଭରତ ରାଗିଯାଇ ଏକ ଠେଙ୍ଗା ସାହାଯ୍ୟରେ କାଳୀଙ୍କ ମୁଣ୍ଡକୁ ଶକ୍ତ ପ୍ରହାର କରିଥିଲେ। ଫଳରେ ତାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା। ଏପରି ବର୍ବର କାଣ୍ଡ ଭିଆଇବା ପରେ ଭରତ ଫେରାର୍‌ ହୋଇଯାଇଥିଲେ। ଗ୍ରାମବାସୀ ଘଟଣା ସମ୍ପର୍କରେ ଯଶିପୁର ଥାନାକୁ ଜଣାଇଥିଲେ। ଯଶିପୁର ଥାନା ଆଇଆଇସି କ୍ଷମାସାଗର ପଣ୍ଡା ସାଇଣ୍ଟିଫିକ୍‌ ଟିମ୍‌ ସହ ପହଁଚି ଶବ ଜବତ ସହ ତଦନ୍ତ କରିଛନ୍ତି।

ଏନେଇ ଯଶିପୁର ଥାନାରେ ୧୩୬/୨୨ରେ ଏକ ମାମଲା ରୁଜୁ ହୋଇଥିବାବେଳେ ହତ୍ୟା ଅଭିଯୁକ୍ତ ଭରତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇଥିଲା। ତେବେ ଶେଷ ଖବର ଅନୁସାରେ ଭରତକୁ ଦଲକିବେଡ଼ା ଜଙ୍ଗଲରୁ ଗିରଫ କରି ପଚରାଉଚରା କରାଯାଉଛି।