ସ୍ୱାମୀ ମଦ ପିଇ ସବୁବେଳେ କଳି କରୁଥିଲେ, ଦଉଡିରେ ତଣ୍ଟି ଚିପି ମାରିଦେଲା ସ୍ତ୍ରୀ

କାଲିମେଳା: ହୋମ ନିଆଁକୁ ସାକ୍ଷୀ ରଖି ବିବାହ ବନ୍ଧନରେ ସାତ ଜନମ ପାଇଁ ବାନ୍ଧି ହୋଇଥିବା ସ୍ତ୍ରୀ । ହେଲେ  ଆଜି ସ୍ତ୍ରୀ ସ୍ୱାମୀଙ୍କୁ ହତ୍ୟା କରି ଗିରଫ ହେବା ଘଟଣା ମାଲକାନଗିରି ଜିଲ୍ଲା ଏମ୍‌ଭି-୭୯ ଅଂଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ସ୍ୱାମୀ ମଦ ପିଇ ସବୁ ବେଳେ ଘରେ କଳି କରୁଥିଲେ ବୋଲି ଦଉଡିରେ ତଣ୍ଟି ଚିପି ଦେଇଥିବା ଅଭିଯୁକ୍ତା ସ୍ତ୍ରୀ ପୁଲିସ ଆଗରେ ସ୍ୱୀକାର କରିଛନ୍ତି।

ଘଟଣାରୁ ପ୍ରକାଶ ଯେ ଗତ ଦୁଇ ଦିନ ତଳେ ଏମ୍‌ଭି-୭୯ ଗ୍ରାମର ନିଖିଲ ସାନା ନାମକ ଜଣେ ଯୁବକର ମୃତଦେହ ଘର ନିକଟ ଏକ ଗୁହାଳରୁ ମିଳିଥିଲା। ଯୁବକ ଜଣକ ବେକରେ କଳା ଦାଗ ରହିଥିବାରୁ ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ ହୋଇଥିଲା। ଏ ସମ୍ପର୍କରେ ମୃତକଙ୍କ ଭାଇ ଏମ୍‌ଭି-୭୯ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ହତ୍ୟା ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଥିଲା।

ତେବେ ଏହି ଘଟଣାରେ ସ୍ତ୍ରୀ ଅଳକା ସାନା ଉପରେ ପୁଲିସର ସନ୍ଦେହ ହୋଇଥିଲା। ପ୍ରଥମେ ନିଜ ଦୋଷ ସ୍ୱୀକାର କରୁ ନଥିବା ସ୍ତ୍ରୀ ପରେ ସ୍ୱାମୀ ନିଖିଲକୁ ହତ୍ୟା କରିଥିବା ମାନି ନେଇଥିଲା। ନିଖିଲ ଅଧିକାଂଶ ଦିନ ମଦ ପିଇ ଘରେ ଗଣ୍ଡଗୋଳ କରୁଥିବାରୁ ସଦାବେଳେ ଅଶାନ୍ତି ଲାଗି ରହୁଥିଲା। ଘଟଣା ଦିନ ନିଖିଲ ଅତ୍ୟଧିକ ମଦ ପିଇ ଦେଇ ସ୍ତ୍ରୀ ସହିତ ଗଣ୍ଡଗୋଳ କରିଥିଲା। ତେବେ ସ୍ତ୍ରୀ ଅଳକା ଘର ନିକଟରେ ଥିବା ଏକ ଗୁହାଳ ଘରେ ଏକ ଦଉଡି ସାହାଯ୍ୟରେ ବେକ ଚିପି ନିଖିଲକୁ ହତ୍ୟା କରି ଘରକୁ ପଳାଇ ଆସିଥିଲା। ନିଖିଲଙ୍କୁ ସେଦିନ ରାତିରେ ବହୁତ ଖୋଜା ଖୋଜି କରାଯାଇଥିଲେ ମଧ୍ୟ ତାଙ୍କର କୌଣସି ସନ୍ଧାନ ମିଳି ପାରି ନଥିଲା। ସକାଳୁ ଗୁହାଳରେ ନିଖିଲର ମୃତଦେହ ପଡିଥିଲା।

ସମ୍ବନ୍ଧିତ ଖବର