ଖୋର୍ଦ୍ଧା: ଖୋର୍ଦ୍ଧା ବାଣପୁରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଶାଳୀକୁ ବିବାହ କରି ଶ୍ୱଶୁର ଘର ସମ୍ପତ୍ତି ଆତ୍ମସାତ କରିବା ପାଇଁ ଚକ୍ରାନ୍ତ ଚଳାଇଥିବା ଜଣେ ଯୁବକ ନିଜ ସ୍ତ୍ରୀକୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଏହି ଅଭିଯୋଗକୁ କେନ୍ଦ୍ର କରି ସ୍ତ୍ରୀ ହତ୍ୟାକାରୀ ସ୍ୱାମୀକୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି।
ଅଭିଯୋଗରୁ ପ୍ରକାଶ, ବାଣପୁର ଥାନା ନରେନ୍ଦ୍ରପୁର ଗ୍ରାମର ଚିତ୍ତରଞ୍ଜନଙ୍କ ପୁଅ ତପନ ନିକଟସ୍ଥ ଭୀମପୁର ଗ୍ରାମର ରୋଜାଲିନ୍ ଲେଙ୍କାଙ୍କୁ ପ୍ରେମ ବିବାହ କରିଥିଲା। ସେମାନଙ୍କ ଦୁଇଟି ପୁତ୍ର ସନ୍ତାନ ବି ଅଛନ୍ତି। ଉଭୟ ସ୍ୱାମୀ-ସ୍ତ୍ରୀ ହାଇଦ୍ରାବାଦରେ ରହୁଥିଲେ। କରୋନା ଯୋଗୁଁ କିଛଦିନ ହେବ ସେମାନେ ଗ୍ରାମକୁ ଫେରିଥିଲେ। ସରକାରୀ ନିୟମ ମୁତାବକ ଦୁଇ ସପ୍ତାହ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସଙ୍ଗରୋଧରେ ରହି ଘରକୁ ଫେରିଥିଲେ। ତେବେ ରୋଜାଲିନ୍ଙ୍କୁ ହତ୍ୟା କରି ତାଙ୍କ ସାନ ଭଉଣୀକୁ ବିବାହ କରି ଶ୍ୱଶୁର ଘର ସମ୍ପତ୍ତି ହଡପ କରିବା ପାଇଁ ତପନ ଷଡଯନ୍ତ୍ର ଚଳାଇଥିଲା।
ପାରିବାରିକ ବିବାଦ ନେଇ ପୂର୍ବରୁ ମଧ୍ୟ ଥାନାରେ ଅଭିଯୋଗ ହୋଇଥିଲା। ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ମିଳାମିଶା ହେବା ସହ ଉଭୟେ ଭଲରେ ଚଳିବେ ବୋଲି ଥାନାରେ ସ୍ୱୀକାରୋକ୍ତି ଦେଇ ଘରକୁ ଫେରିଥିଲେ। ମାତ୍ର ଗତକାଲି ସକାଳେ କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତି ତର୍କ ହୋଇଥିଲା। ଏଥିରେ ଅତିଷ୍ଠ ହୋଇ ତପନ ଏକ ଗାମୁଛାରେ ରୋଜାଲିନ୍ଙ୍କ ତଣ୍ଟିଚିପି ମାରି ଦେଇଥିଲା।
ରୋଜାଲିନ୍ଙ୍କ ମା’ଙ୍କ ଅଭିଯୋଗ କ୍ରମେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ମାୟଧର ସେଠୀ ଓ ବାଣପୁର ଥାନା ଅଧିକାରୀ ସଞ୍ଚୟ କୁମାର ପଟ୍ଟନାୟକ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ।