ଯାଜପୁରସଦର/ହରିପୁର: ଯାଜପୁର ସଦର ଥାନା ଭୂଇଁପୁର ପଞ୍ଚାୟତର କତରାପୁର ଗ୍ରାମରେ ଶ୍ବଶୁରଘରେ ସ୍ତ୍ରୀକୁ ହତ୍ୟା କରିଛି ସ୍ବାମୀ। ମୃତକ ହେଲେ କତରାପୁର ଗ୍ରାମର ବିଷ୍ଣୁଚରଣ ଗୁଇଁଙ୍କ ଝିଅ ମଧୁସ୍ମିତା। ୨୦୨୧ ରେ ମଲପଡ଼ା ଗ୍ରାମର ବିଶ୍ୱନାଥ ମିଶ୍ରଙ୍କ ପୁଅ ଆଲୋକ ମିଶ୍ରଙ୍କୁ ସେ ଭଲପାଇ ବିବାହ କରିଥିଲେ। ତାଙ୍କର ୭ମାସର ଏକ ଶିଶୁକନ୍ୟା ରହିଛି। ଗତ କିଛିଦିନ ପୂର୍ବେ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଲାଗିବାରୁ ମଧୁସ୍ମିତା ନିଜ ବାପଘରକୁ ଚାଲିଯାଇଥିଲେ। ୭ଦିନ ହେବ ସେ ବାପଘରେ ରହୁଥିଲେ। ଗତକାଲି ସନ୍ଧ୍ୟାରେ ଫୋନରେ ମଧୁସ୍ମିତା ଓ ଆଲୋକଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ମଧୁସ୍ମିତା ପରେ ସ୍ୱାମୀ ଆଲୋକକୁ ଫୋନ କରି ରାତି ୧୦ଟାରେ ଘରକୁ ଡକାଇଥିଲେ। ସେ ପହଞ୍ଚିବା ପରେ ରାତିରେ ସମସ୍ତ ପରିବାର ଲୋକ ଖିଆପିଆ ସାରି ଶୋଇଥିଲେ। ପରିବାର ଲୋକ ରାତି ଗୋଟାଏରେ ଝିଅଜ୍ୱାଇଁ ଶୋଇଥିବା ଘର ଖୋଲା ଥିବା​ ଦେଖିବାକୁ ପାଇଥିଲେ। ଶୋଇବା ଘରେ ଝିଅଜ୍ବାଇଁ ନଥିଲେ। ସଙ୍ଗେସଙ୍ଗେ ଆଖପାଖ ଖୋଜିବା ସହ ଜ୍ୱାଇଁ ଆଲୋକଙ୍କୁ ଫୋନ କରିଥିଲେ। ଏହି ସମୟରେ ସେ ତାଙ୍କ ଝିଅକୁ ମାରି ପ‌ୋଖରୀରେ ପକାଇଦେଇଛି ବୋଲି କହିଥିଲା। ପରିବାର ଲୋକ ତୁରନ୍ତ ସେଠାରେ ପହଞ୍ଚି ପୋଖରୀରେ ଝିଅକୁ ଭାସୁଥିବା ଦେଖିବାକୁ ପାଇଥିଲେ। ତୁରନ୍ତ ତାଙ୍କୁ ଉଦ୍ଧାର କରି ଯାଜପୁର ମୁଖ୍ୟ ଡାକ୍ତରଖାନାକୁ ନେଇଥିଲେ। ମାତ୍ର ଡାକ୍ତର ସେଠାରେ ମଧୁସ୍ମିତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ପୁଲିସ ଏକ ମାମଲା ନମ୍ବର ୧୭୨/୨୩ ରେ ରୁଜୁ କରି ସ୍ବାମୀ ଆଲୋକକୁ ଅଟକ ରଖି ପଚରାଉଚରା କରୁଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ସଦର ଥାନାଧିକାରୀ ମାନସ ରଞ୍ଜନ ଚକ୍ର ସୂଚନା ଦେଇଛନ୍ତି।