ରାଉରକେଲା : ପତ୍ନୀ ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି। ପ୍ରଥମ ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ଦୀପକ କୁମାର ୨୧ ଜଣ ସାକ୍ଷୀଙ୍କ ସାକ୍ଷ୍ୟ ପ୍ରମାଣ, ପାରିପାର୍ଶ୍ବିକ ସ୍ଥିତି, ସରକାରୀ ଓକିଲଙ୍କ ବଳିଷ୍ଠ ଯୁକ୍ତି ପ୍ରମାଣ ଆଧାରରେ ଅଭିଯୁକ୍ତ ସ୍ବାମୀକୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଏମିତି ଅଭାବନୀୟ ଘଟଣା ଘଟିଥିଲା ଗତ ୨୦୧୭ ଜୁଲାଇ ୪ ତାରିଖ ନୂଆଗାଁ ବ୍ଲକ ଅନ୍ତର୍ଗତ ସୋରଡା କୋଇଲାଟୋଲିରେ। ୪ ଦିନ ପରେ ଅର୍ଥାତ୍‌ ଜୁଲାଇ ୮ରେ ବିଶ୍ରା ପୁଲିସ ଅଭିଯୁକ୍ତ ସ୍ବାମୀକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସୋରଡା କୋଇଲା ଟୋଲିରେ ନନ୍ଦଲାଲ ଲୋହାର (୩୫), ପତ୍ନୀ ସୁଷମା ଲୋହାର ପରିବାର ସହ ରହନ୍ତି। ଗତ ୨୦୧୭ ଜୁଲାଇ ୪ ରାତିରେ ନନ୍ଦଲାଲର ଶୋଇବା ଘରୁ ସୁଷମାଙ୍କ ମୃ୍ତ ଦେହ ପୁଲିସ ଉଦ୍ଧାର କରିଥିଲା। ପୁଲିସ ଶବ ଜବତ କରିଥିଲା।

Advertisment

ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରିଥିଲା। ୪ ଦିନ ପରେ ମୃତ ସୁଷମାଙ୍କ ବାପା ଫୁଇଆ ଲୋହାର ଥାନାରେ ତାଙ୍କୁ ଝିଅକୁ ହତ୍ୟା କରାଯାଇଥିବା ଲିଖିତ ଏତଲା ଦେଇଥିଲେ। ଲିଖିତ ଏତଲାରେ ଦର୍ଶାଇଥିଲେ ଜ୍ବାଇଁ ନନ୍ଦଲାଲ ଝିଅକୁ ଖଟରେ ବାନ୍ଧି ଦେଇଥି‌ଲେ। ପରେ କିରାସିନ ଢ଼ାଳି ନିଆଁ ଲଗାଇ ଦେଇଥିଲେ। ଫୁଇଆଙ୍କ ଲିଖିତ ଏତଲା ଆଧାରରେ ପୁଲିସ ହତ୍ୟା ମାମଲା ରୁଜୁ କରିଥିଲା।

ଅଭିଯୁକ୍ତ ନନ୍ଦଲାଲକୁ ଗିରଫ କୋର୍ଟ ଚାଲାଣ କରିଥିଲା। ଦୀର୍ଘ ସାଢ଼େ ୩ ବର୍ଷ ଧରି କୋର୍ଟର ମାମଲାର ବିଚାର ଚାଲିଥିଲା। ଜଣେ ପରେ ଜଣେ ପ୍ରାୟ ୨୧ ଜଣ ସାକ୍ଷୀ ତାଙ୍କ ବୟାନ ଦେଇଥିଲେ। ଅଭିଯୁକ୍ତ ନନ୍ଦଲାଲ ବିରୋଧରେ ସେମିତି କୌଣସି ପ୍ରମାଣ ନଥିବାରୁ ବିଚାରପତି ଶ୍ରୀ କୁମାର ନିର୍ଦ୍ଦୋଷରେ ଖଲାସ କରି ଦେଇଥିଲେ। ଅତିରିକ୍ତ ପବ୍ଲିକ ପ୍ରସେକ୍ୟୁଟର ସତ୍ୟାନନ୍ଦ ମହାପାତ୍ର ମାମଲା ପରିଚାଳନା କରୁଥିଲେ।