ପତ୍ନୀ ହତ୍ୟା ଅଭିଯୋଗରେ ସ୍ବାମୀକୁ ଆଜୀବନ କାରାଦଣ୍ଡ

ଆନନ୍ଦପୁର: ଆନନ୍ଦପୁର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଏକ ପତ୍ନୀ ହତ୍ୟା ମାମଲାର ବିଚାର କରି ଅଭିଯୁକ୍ତ ସ୍ବାମୀ ହାଟଡିହି ବ୍ଲକ୍‌ ନନ୍ଦିପଦା ଥାନା ଅଣା ଗ୍ରାମର ପ୍ରଦୀପ ମଲ୍ଲିକଙ୍କୁ ଆଜୀବନ କରାଦଣ୍ଡ ଏବଂ ୧୦ ହଜାର ଟଙ୍କା ଅର୍ଥଦଣ୍ଡ ଆଦେଶ ଦେଇଛନ୍ତି। ଏହାଛଡ଼ା ପତ୍ନୀ ମଧୁସ୍ମିତା ନାୟକଙ୍କ ହତ୍ୟାକାଣ୍ଡ ପରେ ପ୍ରମାଣ ନଷ୍ଟ କରିବା ଅଭିଯୋଗରେ ଅଧିକ ୩ ବର୍ଷ ଜେଲ ସହିତ ଅତିରିକ୍ତ ୫ ହଜାର ଟଙ୍କା ଅର୍ଥଦଣ୍ଡ ମଧ୍ୟ ହୋଇଛି। ମୋଟ୍ ୩୧ ଜଣ ସାକ୍ଷୀ ଓ ପ୍ରମାଣ ଆଧାରରେ କୋର୍ଟ ଏହି ରାୟ ଶୁଣାଇଛନ୍ତି।

ଉଭୟ ପ୍ରଦୀପ ଓ ମଧୁସ୍ମିତା ଅପେରା ପାର୍ଟିରେ କାମ କରୁଥିବାବେଳେ ପ୍ରେମବିବାହ କରିଥିଲେ। ହେଲେ କୌଣସି କାରଣରୁ ପ୍ରଦୀପ ପତ୍ନୀ ମଧୁସ୍ମିତାଙ୍କ ଚରିତ୍ରକୁ ସନ୍ଦେହ କରି ତାଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟା କରିବାପରେ ନିଜ ବାଡ଼ିରେ ପ‌ୋତିଦେଇ ଫେରାର ହୋଇଯାଇଥିଲେ। ଘଟଣାର ପ୍ରାୟ ମାସକପରେ ସେହି ସ୍ଥାନରୁ ଦୁର୍ଗନ୍ଧ ବାହାରିବାରୁ ୨୦୧୯ ଅଗଷ୍ଟ ୭ ତାରିଖରେ ଗ୍ରାମରକ୍ଷୀ ଗୌରାଙ୍ଗ ଜେନା ଥାନାରେ ଅଭିଯୋଗ କରିଥିଲେ। ଗ୍ରାମରକ୍ଷୀଙ୍କ ଅଭିଯୋଗ ଅନୁସାରେ ପୁଲିସ୍ ସାଇଣ୍ଟିଫିକ୍ ଟିମ୍ ଦ୍ବାରା ଏହାର ତଦନ୍ତ କରିବା ସହିତ ମୃତଦେହକୁ ଉଦ୍ଧାର କରିଥିଲା। ଏହାପରେ ପୁଲିସ୍ ଅଭିଯୁକ୍ତ ପ୍ରଦୀପକୁ ଗିରଫ କରିଥିଲା। ସରକାରୀ ଓକିଲ ଅଶ୍ବନୀ କୁମାର ମଲିକ୍ ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର