କେନ୍ଦ୍ରାପଡ଼ା: ଶୋଇଥିବା ବେଳେ ଏସିଡମାଡ଼,  ସ୍ୱାମୀ, ସ୍ତ୍ରୀ, ୨ ବର୍ଷର ଶିଶୁ କନ୍ୟା ଗୁରୁତର

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ୍‌ର ମାର୍ଶାଘାଇ ଥାନା ଅନ୍ତର୍ଗତ ପାଟିଳିପଙ୍କ ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା।  ଏସିଡ ମାଡ଼ରେ  ପାଟିଳିପଙ୍କ ଗ୍ରାମର  ହିମାଂଶୁ ବାରିକଙ୍କ ପରିବାର ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତମାନଙ୍କୁ ପ୍ରଥମେ ଇଫ୍‌କୋ ଡାକ୍ତରଖାନା ଓ ପରେ କଟକର ଏକ ଘରୋଇ  ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏସିଡି ମାଡ଼ରେ  ହିଂମାଂଶୁ ବାରିକଙ୍କ ଦୁଇ ଆଖି ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଥିିବା କୁହାଯାଉଥିବା ବେଳେ ପତ୍ନୀ ମିନତି ବାରିକ ଓ ୨ ବର୍ଷର ଶିଶୁ କନ୍ୟା  ଶୁଭଶ୍ରୀ ବାରିକ ଗୁରୁତର ଭାବେ ଆହତ ହୋଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତିରେ ଘରେ ଖାଇ ପିଇ ହିମାଂଶୁ, ପତ୍ନୀ ମିନତି ଓ ଶିଶୁ କନ୍ୟା ଶୁଭଶ୍ରୀଙ୍କ ସହିତ ଘର ଭିତରେ ଶୋଇଥିଲେ। ତେବେ ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଝରକା ବାଟେ ସେମାନଙ୍କ ଉପରକୁ ଏସିଡ ଫିଙ୍ଗି  ଫେରାର ହୋଇ ଯାଇଥିଲା।  ଏସିଡଦେହରେ ପଡ଼ିବା ପରେ ଏହାର ଜ୍ୱଳନଜନିତ ଯନ୍ତ୍ରଣାରେ ହିମାଂଶୁ ଓ ତାଙ୍କ ପତ୍ନୀ ଚିତ୍କାର କରିବାରୁ ପରିବାର ଲୋକେ ଉଠି ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଏହି ଘଟଣାକୁ ନେଇ ଗ୍ରାମରେ ଉତ୍ତେଜନା ଦେଖାଦେଇଛି।

ସମ୍ବନ୍ଧିତ ଖବର