ନୂଆପଡା:  ରାସ୍ତା କଡ଼ରେ ଛିଡାହୋଇଥିବା ଟ୍ରକକୁ ବାଇକ ଚାଳକ ଧକ୍କା ଦେଇଛନ୍ତି । ଏଥିରେ ବାଇକ ଆରୋହୀ ସ୍ୱାମୀଙ୍କର ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାଯାଇଛି । ମୃତକ ହେଲେ ଚୂଡାମଣୀ ମାଝୀ (୨୮) ଓ ଗୁରୁତର ମହିଳାଙ୍କର ନାମ ପ୍ରେମଶୀଳା ମାଝୀ (୨୪)।

Advertisment

ସୂଚନା ଅନୁସାରେ ନୂଆପଡା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ଜଡାମୁଣ୍ଡା ଛକ ନିକଟସ୍ଥ କେନାଲ ପାଖରେ ୩୫୩ ନଂ ଜାତୀୟ ରାଜପଥ କଡରେ ଛିଡାହୋଇଥିବା ଏକ ଟ୍ରକକୁ ପଛପଟୁ ଏକ ବାଇକ ପିଟିଥିଲା। ଘଟଣାସ୍ଥଳରେ ସ୍ବାମୀଙ୍କ ମୃତ୍ୟୁ ଘଟିଥିବା ବେଳେ ସ୍ତ୍ରୀ ଗୁରୁତର ଆହତ ହୋଇଛନ୍ତି । କୋମନା ବ୍ଲକ ଭେଲା ଗ୍ରାମ ଭରତ ପଡାର ଚୂଡାମଣୀ ମାଝୀ ଓ ସ୍ତ୍ରୀ ପ୍ରେମଶୀଳା ମାଝୀ ଆଜି ସକାଳୁ ଚିକିତ୍ସା ପାଇଁ ନୂଆପଡା ମୁଖ୍ୟ ଡାକ୍ତରଖାନାକୁ ଯାଇଥିଲେ । ଚିକିତ୍ସା ସାରି ସେମାନେ ନିଜର ବାଇକରେ ନୂଆପଡାରୁ ଘରକୁ ଫେରିଥିଲେ ।

ଦିନ ପ୍ରାୟ ୧୨.୩୦ ସମୟରେ ୩୫୩ ନଂ ଜାତୀୟ ରାଜପଥ ଜଡାମୁଣ୍ଡା ପାଖ ବସଷ୍ଟାଣ୍ଡ କେନାଲ ନିକଟରେ ଛିଡା ହୋଇଥିବା (ଆରଜେ ଜିବି ୧୦୬୯) ଟ୍ରକକୁ ପଛ ପଟୁ ପିଟିହୋଇଥିଲେ । ଯାହାଫଳରେ ଘଟଣାସ୍ଥଳରେ ଚୂଡାମଣିଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ ହୋଇଥିଲା ଓ ସେହିଠାରେ ସେ ମୃତ୍ୟୁବରଣ କରିଥିଲେ । ସ୍ତ୍ରୀ ପ୍ରେମଶିଳାଙ୍କୁ ଗୁରୁତର ଅବସ୍ଥାରେ କୋମନା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ଘଟଣାସ୍ଥଳରେ ତରବୋଡ ଓ କୋମନା ପୁଲିସ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।