ପତ୍ନୀଙ୍କୁ କଟୁରିରେ ହାଣି ହତ୍ୟା ଉଦ୍ୟମ, ସ୍ବାମୀକୁ ୫ ବର୍ଷ ଜେଲ୍‌

ବାରିପଦା: ପାରିବାରିକ କଳହରୁ ପତ୍ନୀ ଗୁନି ସିଂ (୨୭)ଙ୍କୁ କଟୁରିରେ ହାଣି ହତ୍ୟା ଉଦ୍ୟମ ମାମଲାରେ ସ୍ବାମୀ ଶୁକୁରା ସିଂ (୩୦)କୁ ବାରିପଦା ଅତିରିକ୍ତ ଦୌରାଜଜ୍ ବାସୁଦେବ ଆଚାର୍ଯ୍ୟ ୫ ବର୍ଷ ଜେଲ୍‌ ଦଣ୍ଡାଦେଶ ପ୍ରଦାନ କରିଛନ୍ତି। ଏଥିସହ ୫ ହଜାର ଟଙ୍କା ଜରିମାନା ଓ ଏହି ଅର୍ଥ ଅନାଦେୟ ଅଧିକ ୬ ମାସ ଜେଲ୍‌ ଦଣ୍ଡ ଭୋଗିବାକୁ ରାୟରେ କୁହାଯାଇଛି। ସରକାରଙ୍କ ପକ୍ଷରୁ ଏପିପି ବ୍ରଜେନ୍ଦ୍ର କୁମାର ମହାନ୍ତି ମକଦ୍ଦମା ପରିଚାଳନା କରୁଥିଲେ। ସୂଚନାଯୋଗ୍ୟ; ସଦର ଥାନା ଟିକରପଡ଼ା ଗାଁର କୃଷ୍ଣ ସିଂଙ୍କ ଝିଅ ଗୁନି ୨୦୧୧ ମସିହାରେ କୁଳିଅଣା ଥାନା ଝିନେଇ ଗାଁର ଶୁକୁରା ସିଂ’କୁ ବିବାହ କରିଥିଲେ।

ସେମାନଙ୍କର ଦୁଇଟି ପୁଅ ଅଛନ୍ତି। ତେବେ ପାରିବାରିକ ଅଶାନ୍ତିଙ୍କୁ ନେଇ ଶୁକୁରା ପ୍ରାୟ ସମୟରେ ଗୁନିଙ୍କୁ ମାରପିଟ୍ କରୁଥିଲେ। ଗତ ଏପ୍ରିଲ ମାସ ୨୬ ତାରିଖରେ ଶୁକୁରା ପତ୍ନୀ ଓ ଦୁଇ ପୁଅଙ୍କୁ ଧରି ଶ୍ବଶୁର ଘରକୁ ବୁଲିବାକୁ ଆସିଥିଲେ। ସଂଧ୍ୟାରେ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ବୁଝାସୁଝା କରିବା ପରେ ସମସ୍ତେ ଖାଇପିଇ ଶୋଇପଡ଼ିଥିଲେ। ତେବେ ରାତି ୧୧ଟାରେ ହଠାତ୍ ଘର ଭିତରୁ ଗୁନିଙ୍କ ଚିତ୍କାର ଶୁଣି ବାପଘର ଲୋକ ଉଠିଥିଲେ। କବାଟ ଭାଙ୍ଗି ଭିତରେ ପଶି ଦେଖିଲା ବେଳକୁ ଶୁକୁରା ଏକ କଟୁରି ଧରି ଗୁନାଙ୍କ ବେକ ଓ ଛାତିରେ ଚୋଟ ମାରି ଚାଲିଛି।

ଶୁକୁରାକୁ କାବୁ କରିବା ସହ ଗୁନାଙ୍କୁ ବାରିପଦା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏ ନେଇ ଗୁନିଙ୍କ ବାପା କୃଷ୍ଣ ସିଂଙ୍କ ଅଭିଯୋଗକ୍ରମେ ସଦର ପୁଲିସ ଶୁକୁରାକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

ସମ୍ବନ୍ଧିତ ଖବର