ସରକାରୀ ବଦଳରେ ହାଇବ୍ରିଡ଼ ବିହନ ଉପରେ ଚାଷୀଙ୍କ ଭରସା: ଓଟିପି ଗଲେ ଚାଷୀଙ୍କୁ ମିଳିବ ସବସିଡି

ଜୟପୁର: ପ୍ରମାଣୀକୃତ ଧାନ ବିହନରେ ଚାଷ କଲେ ଶହେ ୨୦ରୁ ଦେଢ଼ ଶହ ଦିନରେ ଏକର ପିଛା ୨୦ କୁଇଣ୍ଟାଲ ଓ ହାଇବ୍ରିଡ଼ ଧାନରେ ୯୦ରୁ ୧୨୦ ଦିନ ମଧ୍ୟରେ ଏକର ପିଛା ୩୫ କୁଇଣ୍ଟାଲ ଉତ୍ପାଦିତ ହେଉଛି। ହାଇବ୍ରିଡ଼ ବିହନ ନେଲେ ଡିଲର ବି ସହଯୋଗ କରିବା ସହ ବିହନ, ସାର, କୀଟନାଶକ ଔଷଧ ଆଦି ଧାରରେ ଦେଉଛନ୍ତି। ଏଣିକି ଚାଷୀ ଧାନ ବିହନ କିଣିବା ପରେ ସମ୍ପୂର୍ଣ୍ଣ ଟଙ୍କା ଦେଇ ନେବାକୁ କହୁଛନ୍ତି ଡିଲର । ସବସିଡି ପାଇବା ପାଇଁ ହେଲେ ଚାଷୀଙ୍କୁ ଡିଲର/ପ୍ୟାକ୍ସ/ ଏସଏଚଜି ଗ୍ରୁପ ନିକଟରେ ପୂର୍ବରୁ ସ୍ମାର୍ଟ ଫୋନ ନେଇ ପଂଜୀକରଣ କରିବାକୁ ପଡ଼ିବ। ଏଥି ପାଇଁ ରହିଥିବା ଓଟିପି ଓ ଅନଲାଇନ୍ ପ୍ରକ୍ରିୟା ସଠିକ ଭାବେ ହେଲେ ଯାଇ ଏହି ସବସିଡି ମିଳିବ। ସରକାରୀ୍ ବିହନ ଓ ସାର ପାଇଁ ଲମ୍ବା ଲାଇନ୍ ଏବଂ ବହୁ ସମୟରେ ମିଳୁ ନଥିବାରୁ ଏହାକୁ ଅପେକ୍ଷା ନ କରି ଚାଷୀମାନେ ହାଇବ୍ରିଡ଼ ଧାନ ବିହନ ମୁହାଁ ହୋଇଛନ୍ତି। ପ୍ରଚଳିତ ଓଟିପି, ଏବଂ ପଂଜୀକରଣ ବ୍ୟବସ୍ଥାର ଗୋଲକଧନ୍ଦାରେ ପଡ଼ିବାକୁ ଚାହୁଁ ନାହାନ୍ତି ଚାଷୀ। ଚାଷୀ ନିଜ ମୋବାଇଲ୍ ପ୍ରଥମେ ଚାଷୀ ସ୍କାର୍ଟ ମୋବାଇଲ, ଆଧାର କାର୍ଡ ଏବଂ ଚାଷ ପ୍ରମାଣପତ୍ର କାର୍ଡ ନେଇ ଡିଲର, ପାକ୍ସ, ଲାମ୍ପସ ଏବଂ ଏସଏଚଜିଙ୍କ ପାଖକୁ ଯିବ।

କେତେ ବିହନ କିଣିବ ସେ ସଂକ୍ରାନ୍ତରେ ଡିଲରଙ୍କୁ କହିବା ପରେ ଡିଲର ଚାଷୀର ମୋବାଇଲ ନମ୍ବର ଏବଂ ପ୍ରମାଣପତ୍ର ନମ୍ବର ଦେଇ ୱେବସାଇଟରେ ପଞ୍ଜୀକରଣ କରିବ। ସେହିପରି ଜିଲ୍ଲାର ସବୁ ଚାଷୀଙ୍କ ନିକଟରେ ସ୍ମାର୍ଟଫୋନ ନାହିଁ। ସେଭଳି ସବୁ ଅଂଚଳରେ ମୋବାଇଲ୍ ନେଟୱାର୍କ ବି କାମ କରୁନି। ଏହି ସ୍ଥିତିରୁ ମୁକୁଳିବା ପାଇଁ ଚାଷୀ ମାନେ ହାଇବ୍ରୀଡ଼ ଧାନ ବିହନକୁ ପ୍ରଥମ ପସନ୍ଦ କରିଛନ୍ତି। ଏଥି ପାଇଁ ଏକ କୁଇଣ୍ଟାଲ ବିହନ ମୂଲ୍ୟ ୩୯୩୭ ଟଙ୍କା ଥିବାବେଳେ ୧୦ବର୍ଷରୁ କମ ଅବଧି ବିହନକୁ ଚାଷୀ ୨୩୫୦ ଟଙ୍କା ଦେଇ କିଣିବ। ୧୦ବର୍ଷରୁ କମ ଅବଧୂ ବିହନ ଉପରେ ଚାଷୀ ୧୫୮୭ ଟଙ୍କା ରିହାତି ପାଉଥିବା ବେଳେ ୧୦ବର୍ଷରୁ ଉର୍ଦ୍ଧ ଅବଧି ବିହନ ଉପରେ ୧୪୩୭ ଟଙ୍କା ରିହାତି ଦିଆଯାଉଛି । ବିହନ କିଣିବା ପରେ ଚାଷୀ ମୋବାଇଲକୁ ମେସେଜରେ ଓଟିପି ସଂଖ୍ୟା ଆସିବ। ପୁଣି ଚାଷୀ ସେହି ମୋବାଇଲ ନେଇ ଡିଲରକୁ ଓଟିପିକୁ ଦେବ ଡିଲର ଓଟିପି ପାଇବା ପରେ ପୁଣି ୱେବସାଇଟରେ ଓଟିପିକୁ ଅପଡେଟ କରି କୃଷି ବିଭାଗକୁ ପଠାଇବ।

ବିଭାଗ ଡିଲର ପାଖରୁ ଓଟିପି ମେସେଜ ପାଇବା ପରେ ନିଗମକୁ ମେସେଜ ପଠାଇ ଯାଞ୍ଚ କରିବାକୁ କହିବ । ନିଗମ କର୍ମଚାରୀ ଯାଞ୍ଚ କରି ରିପୋର୍ଟ ପ୍ରଦାନ କରିବା ପରେ ଚାଷୀ ବ୍ୟାଙ୍କ ଖାତାକୁ ସିଧାସଳଖ ସବସିଡି ଅର୍ଥ ଯିବ। ସମସ୍ୟା ହେଉଛି, ସମସ୍ତ ଚାଷୀଙ୍କ ପାଖରେ ସ୍ମାର୍ଟ ମୋବାଇଲ ଫୋନ ନାହିଁ, ଗ୍ରାମାଞ୍ଚଳରେ ଠିକ ଭାବେ ଇଣ୍ଟରନେଟ ଆସୁନାହିଁ । ଏହି ବ୍ୟବସ୍ଥା ଯୋଗୁଁ ଚାଷୀଙ୍କୁ ବାରମ୍ବାର ଡିଲର ପାଖକୁ ଦୌଡିବାକୁ ପଡୁଛି । ଜଟିଳ ପ୍ରକ୍ରିୟା ହେତୁ ବିହନ କମ ବିକ୍ରି ହେଉଥିବା ଅଭିଯୋଗ ହେବାରୁ ଓଟିପି ବ୍ୟବସ୍ଥାକୁ ପ୍ରତ୍ୟାହାର କରିବାକୁ ବି ଚାଷୀ ଦାବି କରିଛନ୍ତି। ଏହି ବ୍ୟବସ୍ଥା ପ୍ରଚଳିତ ନଥିବା ବର୍ଷଗୁଡ଼ିକରେ ଯେଉଁହାରରେ ବିହନ ବିକ୍ରି ହେଉଥିଲା ଓଟିପି ବ୍ୟବସ୍ଥା ଲାଗୁ କରାଯିବା ପରେ ସେହି ଅନୁସାରେ ବିକ୍ରି ହେଉନାହିଁ ।

ଜୟପୁରରେ ଥିବା ଓଡିଶା ରାଜ୍ୟ ବିହନ ନିଗମ ଜୋନାଲ ପରିଚାଳକ ସୀତି କଣ୍ଠ ଦାଶଙ୍କୁ ପଚାରିବାରେ ସେ କହିଲେ ଗତ ବର୍ଷ ୫ହଜାର ୬୦୦କୁଇଣ୍ଟାଲ ପ୍ରମାଣୀକୃତ ଧାନ ବିହନ ବିକ୍ରୀ କରାଯାଇଛି। ଏହି ବର୍ଷ ୬ହଜାର ୨ଶହ କୁଇଣ୍ଟାଲ ଲକ୍ଷ୍ୟ ରହିଛି। ଏଯାଏଁ ୨୮୭୩କୁଇଣ୍ଟାଲ ବିକ୍ରୀ ହୋଇଛି । ଜୟପୁର ଓ କୋଟପାଡ଼ରେ ୧୭ହଜାର ୭୯୬କୁଇଣ୍ଟାଲ ପ୍ରମାଣୀକୃତ ବିହନ ପ୍ରସ୍ତୁତ କରାଯାଇଥିଲା। ସେଥିରୁ ରବିରେ ୨୮୫୪କୁଇଣ୍ଟାଲ ବିକ୍ରୀ ହୋଇସାରିଛି। ଜିଲ୍ଲାମଧ୍ୟରେ ବିକ୍ରୀ ପାଇଁ ବିଭିନ୍ନ ସଂସ୍ଥାକୁ ୨୨୨୮କୁଇଣ୍ଟାଲ ଓ ବାହାର ଜିଲ୍ଲାକୁ ୨୦୦୫ କୁଇଣ୍ଟାଲ ବିକ୍ରୀ ପାଇଁ ପଠାଯାଇଥିବା କହିଛନ୍ତି ବିହନ ନିଗମର ଜୋନାଲ ପରିଚାଳକ। ସେହିପରି ନିଗମ ନିକଟରେ ଏବେ ୭ହଜାର ୭୩୪କୁଇଣ୍ଟାଲ ଜମା ରହିଛି।ଚାହିଦା ହେଲେ ଯୋଗାଇ ଦିଆଯିବ ବୋଲି କହିଛନ୍ତି ଜୋନାଲ ପରିଚାଳକ।

 

 

ସମ୍ବନ୍ଧିତ ଖବର