ଫେରିବାଲଙ୍କ ସଂଘର୍ଷମୟ ଜୀବନ: ଧୈର୍ଯ୍ୟର ସହ ମାଇଲ ମାଇଲ ବାଟ ଗଲେ ହିଁ ସବୁ ଜିନିଷ ବିକ୍ରି ହୋଇଥାଏ

ମାଲକାନଗିରି: ଦିନ ଥିଲା କୌଣସି ଜିନିଷ ଖରିଦ କରିବାକୁ ଆମକୁ ଦୋକାନକୁ ଯିବାକୁ ପଡୁଥିଲା। କିନ୍ତୁ ଏବେ ସବୁ ଜିନିଷ ହାତ ପାଆନ୍ତାରେ ମିଳିଯାଉଛି। ଛୋଟରୁ ବଡ ଜିନିଷ ନେଇ ଗାଁକୁ ଗାଁ ଫେରିବାଲା ବୁଲିଥାନ୍ତି। ଲୋକଙ୍କ ପାଖରେ ସେମାନଙ୍କର ମନପସନ୍ଦର ଜିନିଷ ପହଞ୍ଚାଇଥାନ୍ତି। ତାହା ମଧ୍ୟ ଦୋକାନ ବଜାରର ଦରରେ। ସହର ହେଉ ବା ଦୁର୍ଗମ ଅଂଚଳ ହେଉ,ଫେରିବାଲା ସବୁଠାରେ ପହଞ୍ଚିଯାଇଥାନ୍ତି। ଖାଦ୍ୟ ଠାରୁ ଆରମ୍ଭ କରି ପୋଷାକ,ଘରକରଣା ଉପକରଣ ଇତ୍ୟାଦି ଘରର ଦାଣ୍ଡ ମୁହଁରେ ମିଳିଯାଉଛି।

ମାଲକାନଗିରି ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ହୋଇଥିବା ବେଳେ ପ୍ରାୟତଃ ଦୁର୍ଗମ ଗ୍ରାମର ଲୋକେ ଘରୁ ବହୁତ କମ୍ ବାହାରିଥାନ୍ତି। କେବଳ ଯାନିଯାତ୍ରା ହେଲେ ହିଁ ଆଦିବାସୀ ଲୋକେ ବାହାରି ମେଳା ଦେଖିବାକୁ ଯାଇଥାନ୍ତି। ଅଥବା କୌଣସି ସଂପର୍କୀୟ ଘରେ କିଛି ବିବାହ ,ବ୍ରତ ହେଲେ ଘରୁ ପଦାକୁ ବାହାରିଥାନ୍ତି। ତେବେ ଆଦିବାସୀ ଲୋକଙ୍କ ପାଖକୁ ପହଞ୍ଚିଯାନ୍ତି ଫେରିବାଲା। ବିଭିନ୍ନ ରକମର ଷ୍ଟେସିନାରୀ ଜିନିଷ ଧରି ଅଳ୍ପ ଟଂକାରେ ସେମାନଙ୍କୁ ସୁହାଇଲା ଭଲି ଜିନିଷ ନେଇ ଯାଇଥାନ୍ତି। ଯାହାକୁ ଆଦିବାସୀ ମହିଳା,ଝିଅ ଏବଂ ପୁରୁଷ କିଣିବାକୁ ପସନ୍ଦ କରିଥାନ୍ତି। ଏଭଳି ଦୃଶ୍ୟ ପ୍ରାୟତଃ ସମସ୍ତ ଗ୍ରାମରେ ଦେଖିବାକୁ ମିଳେ। ଗାଁ ଗାଁକୁ କିଛି ସ୍ଥାନୀୟ ଲୋକେ ସାଇକେଲରେ ବିଭିନ୍ନ ଷ୍ଟେସନାରୀ ଜିନିଷ ନେଇ ବୁଲୁଥିବା ଦେଖିବାକୁ ମିଳେ। ମାଥିଲି ଅଂଚଳରେ ବଲଦିଆଗୁଡାରେ ଜଣେ ଏଭଳି ଫେରିବାଲାକୁ ଭେଟିଥିଲୁ। ସେ ପଶ୍ଚିମବଂଗରୁ ଆସି ମାଥିଲି ଅଂଚଳରେ ରହୁଛନ୍ତି।ତେବେ ଏଠାରେ କୌଣସି ଜାଗାରେ କାମ କରିବା ଅପେକ୍ଷା ନିଜେ ବିଭିନ୍ନ ଷ୍ଟେସନାରୀ ଜିନିଷ ଖରିଦ କରି ଗାଁ ଗାଁ ବୁଲିଲେ ବହୁତ ଲାଭ ହୋଇଥାଏ ଜାଣିବା ପରେ ସେ ସାଇକେଲ ଯୋଗେ ଗାଁ ଗାଁ ବୁଲିଥାନ୍ତି।

ସକାଳୁ କିଛି ଖାଦ୍ୟ ନିଜ ସାଇକେଲରେ ବାନ୍ଧି ଆଦିବାସୀ ଗାଁ ବେପାର ପାଇଁ ଚାଲିଯାନ୍ତି। ଦିନସାରା ବୁଲିଲେ ପ୍ରାୟତଃ ଏକ ହଜାରରୁ ପନ୍ଦର ଶହ ଟଂକା ପର୍ଯ୍ୟନ୍ତ ବିକ୍ରି ହୋଇଥାଏ।ଏଥିରୁ ତାଂକୁ ୪ ଶହରୁ ୫ ଶହ ପର୍ଯ୍ୟନ୍ତ ଟଂକା ଲାଭ ହୋଇଥାଏ ବୋଲି ସେମାନେ କହନ୍ତି। କେବଳ ଷ୍ଟେସନାନରୀ ନୁହେଁ ଏବେ ଜିଲ୍ଲାରେ ଶୀତର ପ୍ରକୋପ ଜୋର ରହିଥିବାରୁ ଫେରିବାଲାମାନେ ମଟର ସାଇକେଲରେ କମ୍ବଳ ଲଦି ଗାଁ ଗାଁ ବୁଲୁଥିବା ଦେଖିବାକୁ ମିଳନ୍ତି। ନିଜ ଘରର ଦ୍ବାରରେ କମ୍ବଳ ପହଞ୍ଚୁଥିବାରୁ ଲୋକେ ମୂଲଚାଲ କରି ଖରିଦ କରୁଥିବା ଦେଖିବାକୁ ମିଳିଥାଏ। ଘରର ପ୍ରତ୍ୟେକ ଜିନିଷ ଏବେ ହାତ ପାଆନ୍ତାରେ ମିଳିଯାଉଛି। କାଁ ଭାଁ ଲୋକେ ସହରକୁ ଯାଇ ବଡ ବଡ ଦୋକାନରୁ ଜିନିଷ ଖରିଦ କରୁଥିବା ଦେଖିବାକୁ ମିଳେ। ଫେରିବାଲାଙ୍କ ଯୋଗୁଁ ଲୋକେ ବହୁ ସହଜରେ ଜିନିଷ କିଣିପାରୁଥିବା ବେଳେ ଏହାର ଫାଇଦା ମଧ୍ୟ ଫେରିବାଲାଙ୍କୁ ମିଳିଥାଏ।

ଦୋକାନ କରି ଦିନ ତମାମ ଗ୍ରାହକମାନଙ୍କୁ ଅପେକ୍ଷା କରିବା ବଦଳରେ ସେମାନଙ୍କ ପାଖରେ ଜିନିଷ ପହଞ୍ଚାଇଲେ ଭଲ ଲାଭ ସହ ଜିନିଷ ମଧ୍ୟ ବିକ୍ରି ହୋଇପାରୁଥିବା ଫେରିବାଲା କହନ୍ତି। କଂସାବାସନ ଠାରୁ ଚେୟାର,ଏଭଳିକି ଏବେ ମଟର ସାଇକେଲ ଏବଂ ଖାଦ୍ୟ ମଧ୍ୟ ଅଡର ଦେବା ମାତ୍ରେ ଘରେ ପହଞ୍ଚିଯାଉଛି।ନିଜର ପରିବାର ସହ ନିଜ ଘର ସାମ୍ନାରେ ଜିନିଷକୁ ବାଛି ପସନ୍ଦ ଜିନିଷ ଖରିଦ କରିବାରେ ଆହୁରି ମଜା ଥାଏ ବୋଲି ସ୍ଥାନୀୟ ଅଂଚଳର ଲୋକେ କହନ୍ତି।

ତେବେ ଏଥିରେ ଗ୍ରାହକମାନେ ମଧ୍ୟ ବେଳେ ବେଳେ ଠକାମୀର ଶିକାର ହେଉଥିବା ଲକ୍ଷ୍ୟ କରାଯାଇଛି। କିନ୍ତୁ ଏଭଳି ଘଟଣା ବହୁତ କମ୍ ବୋଲି ଲୋକେ କହନ୍ତି। ଫେରିବାଲାଙ୍କ ଜୀବନ କିନ୍ତୁ ଦୁର୍ବିସହ ହୋଇପଡିଛି। ଦିନସାରା ଗାଁ ଗାଁ ବୁଲୁଥିଲେ ମଧ୍ୟ ଲୋକେ ମୁଲଚାଲ କରି ଛାଡି ଦେଉଥିବା କିଛି ଫେରିବାଲା କହନ୍ତି। ତେଣୁ ଧର୍ଯ୍ୟର ସହ ମାଇଲ ମାଇଲ ବାଟ ଗଲେ ହିଁ ସବୁ ଜିନିଷ ବିକ୍ରି ହୋଇଥାଏ ବୋଲି ଫେରିବାଲାମାନେ କହିଛନ୍ତି।

ସମ୍ବନ୍ଧିତ ଖବର