ଖୋର୍ଦ୍ଧା: ୩ ବର୍ଷ ପରେ ଜିଲ୍ଲାପାଳ ପଦବିରେ ଭାରତୀୟ ପ୍ରାଶାସନିକ ସେବା ପାହ୍ୟାର ଅଧିକାରୀ

ଖୋର୍ଦ୍ଧା: ରାଜ୍ୟ ରାଜଧାନୀର ଜିଲ୍ଲା ଖୋର୍ଦ୍ଧା, କିନ୍ତୁ ପ୍ରଶାସନିକ ବ୍ୟବସ୍ଥାରେ ଗତ କିଛି ବର୍ଷ ଧରି ଏଠାରେ ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ, ଉପଜିଲ୍ଲାପାଳ ଆଦି ପ୍ରମୁଖ ପଦବୀରେ ରାଜ୍ୟ ପ୍ରାଶାସନିକ ସେବା (ଓଏଏସ୍)ର ବରିଷ୍ଠ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଉଥିଲା । ଆଜି ନୂତନ ଜିଲ୍ଲାପାଳ ଭାବେ ବାଲେଶ୍ୱର ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତୀଙ୍କୁ ନିଯୁକ୍ତି ଦିଆଯାଇଛି । ଫଳରେ ପ୍ରାୟ ୩ ବର୍ଷ ପରେ ଜିଲ୍ଲାପାଳ ପଦବିରେ ଭାରତୀୟ ପ୍ରାଶାସନିକ ସେବା ପାହ୍ୟାର ଅଧିକାରୀ ଦାୟିତ୍ୱ ସମ୍ଭାଳିବେ ।
ଆଜି ରାଜ୍ୟ ସରକାରଙ୍କ ବିଜ୍ଞପ୍ତି ଅନୁସାରେ, ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ରାଜ୍ୟ ଆଦର୍ଶ ବିଦ୍ୟାଳୟର ପ୍ରକଳ୍ପ ନିଦେ୍ର୍ଦଶକ ଭାବେ ବଦଳି କରାଯାଇଥିବା ବେଳେ ବାଲେଶ୍ୱରର ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତୀଙ୍କୁ ଖୋର୍ଦ୍ଧା ଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଛି ।

୨୦୧୯ ଫନି ବାତ୍ୟା ସମୟରେ ତତ୍କାଳୀନ ଜିଲ୍ଲାପାଳ ନିର୍ମଳ ମିଶ୍ରଙ୍କ ବିବାଦୀୟ ବଦଳି ପରେ ଆଇଏଏସ୍ ଅଧିକାରୀ ଭୂପେନ୍ଦର ସିଂହ ପୁନିଆ ମାତ୍ର ୧ ମାସ ଦାୟିତ୍ୱ ସମ୍ଭାଳିଥିଲେ । ଶ୍ରୀ ପୁନିଆଙ୍କ ବଦଳି ପରେ ଜିଲ୍ଲାରେ ୩ ବର୍ଷ ମଧ୍ୟରେ ତିନିଜଣ କ୍ରମାନ୍ୱୟରେ ବରିଷ୍ଠ ଓଏଏସ୍ ଅଧିକାରୀ ଜିଲ୍ଲାପାଳ ଭାବେ ଦାୟିତ୍ୱ ସମ୍ଭାଳିଥିଲେ । ଶ୍ରୀ ପୁନିଆଙ୍କ ପରେ ସୀତାଂଶୁ କୁମାର ରାଉତ ୧ ବର୍ଷ ୨ ମାସ, ସନତ କୁମାର ମହାନ୍ତି ୧ ବର୍ଷ ୨ ମାସ ଦାୟିତ୍ୱ ସମ୍ଭାଳି ଥିବା ବେଳେ ସଂଗ୍ରାମ କେଶରୀ ମହାପାତ୍ର ୮ ମାସ ଦାୟିତ୍ୱ ସମ୍ଭାଳି ଛନ୍ତି । ଅର୍ଥାତ୍ ୩ବର୍ଷ ପରେ ବର୍ତମାନ ଜିଲ୍ଲାରେ ଜଣେ ଆଇଏଏସ୍ ପାହ୍ୟାର ଅଧିକାରୀଙ୍କୁ ଜିଲ୍ଲାପାଳ ଦାୟିତ୍ୱ ଦିଆଯାଇଛି ।

ସେହିଭଳି ଜିଲ୍ଲାର ଆରକ୍ଷୀ ଅଧୀକ୍ଷକ ଭାବେ ଦୁଇ ମାସ ପୂର୍ବେ ଆଇପିଏସ୍ ଅଧିକାରୀ ସିଦ୍ଧାର୍ଥ କଟ୍ଟାରିଆ ଦାୟିତ୍ୱ ସମ୍ଭାଳିଛନ୍ତି । ଖୋର୍ଦ୍ଧା ସ୍ୱତନ୍ତ୍ର ପୁଲିସ ଜିଲ୍ଲା ଗଠନ ହେବା ପରଠାରୁ ଅର୍ଥାତ୍ ପ୍ରାୟ ୧୫ ବର୍ଷ ଧରି କୌଣସି ଆଇପିଏସ୍ ପାହ୍ୟାର ଅଧିକାରୀଙ୍କୁ ଆରକ୍ଷୀ ଅଧୀକ୍ଷକ ଭାବେ ଦାୟିତ୍ୱ ଦିଆଯାଇନଥିଲା । ପ୍ରାୟ ସମସ୍ତେ ବରିଷ୍ଠ ଓପିଏସ୍ ଅଧିକାରୀ ହିଁ ଆରକ୍ଷୀ ଅଧୀକ୍ଷକ ଭାବେ ନିଯୁକ୍ତି ପାଇଥିଲେ । ଏହାସହ ପ୍ରାୟ ୭ ବର୍ଷ ଧରି ଖୋର୍ଦ୍ଧା ପୌର ପରିଷଦର ଉପଜିଲ୍ଲାପାଳ ଭାବେ ଓଏଏସ୍ ପାହ୍ୟାର ଅଧିକାରୀଙ୍କୁ ହିଁ ନିଯୁକ୍ତି ଦିଆଯାଉଥିଲା । ୨୦୨୧ ଜୁନ୍ ମାସରେ ଆଇଏଏସ୍ ପାହ୍ୟାର ଅଧିକାରୀ ଆଇ ଶିବାଜୀ ଗୌରବଙ୍କୁ ଉପଜିଲ୍ଲାପାଳ ଭାବେ ଖୋର୍ଦ୍ଧା ବଦଳି ହୋଇଥିଲା ।
ବର୍ତମାନ ଜିଲ୍ଲାରେ ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ ଓ ଉପଜିଲ୍ଲାପାଳ ଦାୟିତ୍ୱରେ ଭାରତୀୟ ପ୍ରାଶାସନିକ ସେବା ପାହ୍ୟାର ଅଧିକାରୀ ନିଯୁକ୍ତି ପାଇଥିବାରୁ ଜିଲ୍ଲାର ବିକାଶ କାର୍ଯ୍ୟ, ଆଇନଶୃଙ୍ଖଳା ନିୟନ୍ତ୍ରଣ, ଖଣି ଚୋରାଚାଲାଣ, ବେଆଇନ ଜମି ଦଖଲ ଆଦି ଦିଗରେ ପ୍ରଭାବଶାଳୀ ଓ ସମନ୍ୱିତ ଢଙ୍ଗରେ କାର୍ଯ୍ୟ ହୋଇପାରିବ ବୋଲି ସହରର ବୁଦ୍ଧିଜୀବୀ ଆଶା ପ୍ରକାଶ କରିଛନ୍ତି ।

ସମ୍ବନ୍ଧିତ ଖବର