ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୱାର୍ଡ ପାଇଁ ଆବଶ୍ୟକ ୧୪ ଡାକ୍ତର ଓ ନର୍ସ, ଅଛନ୍ତି ମାତ୍ର ୬

୧୦ଶଯ୍ୟା ବିଶିଷ୍ଟ ଆଇସିୟୁ ଉଦଘାଟିତ, ସଂଯୋଗ ହୋଇ ନାହିଁ ଅମ୍ଲଜାନ ପାଇପ ଲାଇନ୍

ଖୋର୍ଦ୍ଧା: ୨୦୨୧ରେ ଖୋର୍ଦ୍ଧା ଜିଲ୍ଲା ଚିକିତ୍ସାଳୟରେ ଏକ ଆଇସିୟୁ ୱାର୍ଡ ଖୋଲିବା ପାଇଁ ସ୍ବାସ୍ଥ୍ୟ ସମିତି ବୈଠକରେ ନିଷ୍ପତ୍ତି ହୋଇଥିଲା। ଏଥିପାଇଁ ଆବଶ୍ୟକ ଅର୍ଥ ବିଧାୟକଙ୍କ ହାତପାଣ୍ଠୀରୁ ଦେବେ ବୋଲି ସ୍ଥାନୀୟ ବିଧାୟକ ପ୍ରତିଶ୍ରୁତି ଦେଇଥିଲେ। ଏହାର ପ୍ରାୟ ୨ ବର୍ଷ ପରେ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୧୦ଶଯ୍ୟା ବିଶିଷ୍ଟ ଆଇସିୟୁ ୱାର୍ଡର ଉଦଘାଟନ ହୋଇଛି। ତେବେ ୱାର୍ଡ ସଂପୂର୍ଣ୍ଣ ଭାବେ ଚଳାଇବା ପାଇଁ ଡାକ୍ତର, ନର୍ସ, ଫାର୍ମାସିଷ୍ଟ ଓ ବୈଷୟିକ କର୍ମଚାରୀ ଆଦିଙ୍କ ଯେଉଁ ମାନବସମ୍ବଳ ଆବଶ୍ୟକ ତାହା ନଥିବାରୁ ଏହାର ଭବିଷ୍ୟ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଉଦଘାଟନ ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ. ଆର୍ତବନ୍ଧୁ ନାୟକ କହିଛନ୍ତି ଯେ ଏହି ୧୦ ଶଯ୍ୟା ବିଶିଷ୍ଟ ଆଇସିୟୁ ୱାର୍ଡ ପାଇଁ ବିଧାୟକଙ୍କ ହାତପାଣ୍ଠୀରୁ ଶ୍ରୀମିତ୍ର ୧ କୋଟି ୫୦ ଲକ୍ଷ ଟଙ୍କା ମଞ୍ଜୁର କରିଥିଲେ।

ଏହପରେ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗର ସ୍ବତନ୍ତ୍ର ଅନୁଦାନରେ ଅତିରିକ୍ତ ୫୦ଲକ୍ଷ ଟଙ୍କା ମିଳିଥିଲା। ମୋଟ ୨ କୋଟି ଟଙ୍କାର ବ୍ୟୟ ଅଟକଳରେ ଏହି ୱାର୍ଡ ନିର୍ମାଣ କରାଯାଇଛି। ଏହାର ସଂଚାଳନ ପାଇଁ ଯେଉଁ ମାନବସମ୍ବଳ ଆବଶ୍ୟକ ତାକୁ ବିଭାଗୀୟ ଉପରିସ୍ଥ ଅଧିକାରୀଙ୍କୁ ଜଣାଇ ଦିଆଯାଇଛି ଓ ଏହାକୁ ଖୁବଶୀଘ୍ର ପୂରଣ କରାଯିବ। ବିଧାୟକ ଶ୍ରୀ ମିତ୍ର ମଧ୍ୟ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଇସିୟୁ ୱାର୍ଡର ଆବଶ୍ୟକତା ଦୀର୍ଘଦିନ ଧରି ରହିଥିଲା। ଶେଷରେ ଏହା ପୁରଣ ହୋଇଛି। ଏହି ୱାର୍ଡର ସୁବିଧା ସମସ୍ତ ଜନସାଧାରଣ ମାଗଣାରେ ପାଇ ପାରିବେ। ଯଦିଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଇସିୟୁ ୱାର୍ଡର କାର୍ଯ୍ୟକ୍ଷମ ହେବା ଏକ ଉଲ୍ଲେଖନୀୟ ପଦକ୍ଷେପ ତଥାପି ଏହାକୁ ଚଳାଇବା ପାଇଁ ଆବଶ୍ୟକ ଯନ୍ତ୍ରପାତି ଓ ମାନବସମ୍ବଳର ଘୋର ଅଭାବ ରହିଛି। ଆଇସିୟୁ ୱାର୍ଡରେ ଭେଣ୍ଟିଲେଟର ରହିଛି କିନ୍ତୁ ଅମ୍ଲଜାନ ପାଇପ ଲାଇନ ବଦଳରେ ସିଲିଣ୍ଡରେ କାମ ଚଳାଯିବ। ମନିଟର ଆଦି ରହିଛି କିନ୍ତୁ ଆପତକାଳୀନ ସ୍ଥିତିରେ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବାକୁ ପାରାମେଡିକ୍‌ ଷ୍ଟାଫ୍‌ ନାହାନ୍ତି। ୧୦ଶଯ୍ୟା ବିଶିଷ୍ଟ ଆଇସିୟୁ ୱାର୍ଡ ପୂର୍ଣ୍ଣ ବ୍ୟବସ୍ଥାରେ ଚାଲିବାକୁ ୭ଜଣ ଡାକ୍ତର, ୭ ନର୍ସ, ଅତିକମରେ ୪ ଜଣ ପାରାମେଡିକାଲ୍‌ କର୍ମଚାରୀ ରହିବା କଥା। କିନ୍ତୁ ବର୍ତ୍ତମାନ ୩ ଜଣ ଡାକ୍ତର ଓ ୩ ଜଣ ନର୍ସ ଅଛନ୍ତି।

ଏଭଳି ସ୍ଥିତିରେ ୨ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ଏହି ଅତ୍ୟାଧୁନିକ ଆଇସିୟୁର ଲାଭ ସାଧାରଣ ଲୋକ ପାଇବା କଷ୍ଟକର ହୋଇ ପଡ଼ିବ। ଏନେଇ ଡିପିଏମ୍‌ ଡଃ. ବିଶ୍ବମୋହନ ମିଶ୍ର କହିଛନ୍ତି ଯେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ୫ଟିରେ ସାମିଲ କରାଯାଇଛି। ଏହାର ଖାଲିପଡ଼ିଥିବା ପଦବୀ ପୂରଣ କରିବାକୁ ରାଜ୍ୟ ସରକାର ପ୍ରତିଶ୍ରୁତି ଦେଇଛନ୍ତି। ଆଇସିୟୁ ୱାର୍ଡକୁ ଅମ୍ଲଜାନ ପାଇପଲାଇନ୍‌ ସଂଯୋଗ କରିବାକୁ ଅନୁଦାନର ମଧ୍ୟ ଅଭାବ ନାହିଁ। ଆଜି ପୂର୍ବାହ୍ନରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପ୍ରଥମ ମହଲାରେ ନୂତନ ଆଇସିୟୁ ୱାର୍ଡ ଠାରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ସ୍ଥାନୀୟ ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର ଯୋଗ ଦେଇ ୱାର୍ଡର ଉଦଘାଟନ କରିଥିଲେ। ଅତିଥି ଭାବେ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତୀ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ. ଆର୍ତବନ୍ଧୁ ନାୟକ, ଜିଲ୍ଲା ଚିକିତ୍ସାଧିକାରୀ ଡଃ. ବିଶ୍ବମୋହନ ମିଶ୍ର ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୌରାଧ୍ୟକ୍ଷା କନକଲକ୍ଷ୍ମୀ ମହାନ୍ତି, ଉପାଧ୍ୟକ୍ଷ ଶୌର୍ଯ୍ୟ ରଞ୍ଜନ ମହାନ୍ତି, ଚିକିତ୍ସାଳୟ ପରିଚାଳକ ଡଃ. ବିନାୟକ ପାଣିଗ୍ରାହୀ, ସଂଗୀତା ସ୍ବାଇଁ, ଆଇସିୟୁ ୱାର୍ଡର ଭାରପ୍ରାପ୍ତ ଡାକ୍ତର ଶୁଭ୍ରାଂଶୁ ରଞ୍ଜନ ସାହୁ, ଡଃ. ଦ୍ବାରିକାନାଥ ଶତପଥୀ, ଡଃ. ବଳଭଦ୍ର ବେହେରା, ଷ୍ଟାଫ୍ ନର୍ସ ସାଧନା ଗୁମାନସିଂହ, ପଲ୍ଲିଶ୍ରୀ ଜେନା, ସଂଧ୍ୟାରାଣୀ ‌ଜାଲିଙ୍କ ସମେନ୍ତ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର