୩ମାସ ପରେ ବି ଆର୍ଥିକ ଅନଗ୍ରସର ଓ ଜାତି ପ୍ରମାଣପତ୍ର ଜୟପୁର ତହସିଲରୁ ମିଳିନଥିବା ଅଭିଯୋଗ

ସଠିକ ଭାବେ କାର୍ଯ୍ୟ କରୁନି ସିଙ୍ଗଲୱିଣ୍ଡୋ ସିଷ୍ଠମ

ଜୟପୁର: ସ୍କୁଲ, କଲେଜରେ ଆଡମିସନ୍ କରିବା ପାଇଁ ହେଉ କିମ୍ବା ଯେ କୌଣସି ସରକାରୀ କାମ, ବ୍ୟାଙ୍କ ଋଣ, ଚାକିରି ଆବେଦନ, ନିଯୁକ୍ତି ପଂଜିକରଣ, ଭତ୍ତା, ଆଦି ପାଇଁ ବାସଗୃହ, ଆୟ, ଜାତି, ଆଦି ବିଭିନ୍ନ ପ୍ରମାଣପତ୍ର ଦାଖଲ କରିବା ଜରୁରୀ। ରାଜ୍ୟ ସରକାର ଏସବୁ ଜରୁରୀ ପ୍ରମାଣପତ୍ର ଯୁଦ୍ଧକାଳୀନ ଭିତ୍ତିରେ ଦେବା ପାଇଁ ଇ-ସହଜକେନ୍ଦ୍ର ଓ ସିଙ୍ଗଲୱିଣ୍ଡୋ ବ୍ୟବସ୍ଥା ଆରମ୍ଭ କରିଛନ୍ତି। ତେବେ ଜୟପୁର ତହସିଲରେ ଥିବା ସିଙ୍ଗଲୱିଣ୍ଡୋ ବ୍ୟବସ୍ଥା ଗତ ୪ମାସ ହେବ ଠିକରେ କାମ କରୁନି। ଗତ ତିନି ମାସ ହେବ ସମାଜରେ ଆର୍ଥିକ ସ୍ତରରେ ଦୁର୍ବଳ (ଇକୋନମିକ୍ ୱିକର୍ ସେକ୍ସନ୍ ଅଫ ସୋସାଇଟି) ପ୍ରମାଣପତ୍ର ପାଇବା ପାଇଁ ଜୟପୁର ପ୍ରସାଦରାଓ ପେଟ୍ଟାର ଶିବରାମ କ୍ରୀଷ୍ଣ ପାତ୍ର ତାଙ୍କ ଦୁଇ ଝିଅ ରାଜ କୁମାରୀ, ତେଜେଶ୍ବରୀଙ୍କ ପାଇଁ ଜୟପୁର ତହସିଲକୁ ଦଉଡ଼ି ଦଉଡ଼ି ନୟାନ୍ତ ହେଲେଣି। ସେଭଳି ସିମରନ୍ ସାହୁ ଗତ ତିନି ମାସ ହେବ ପଛୁଆବର୍ଗ (ଓବିସି), ରାଜୁ ଜାନି ଅନୁସୂଚିତ ଜନଜାତି ଏବଂ ଆୟ ପ୍ରମାଣପତ୍ର, ଅରୁଣ ପାଣିଗ୍ରାହୀ ଆୟ ପ୍ରମାଣପତ୍ର ପାଇଁ ଗତ ତିନି ମାସ ହେବ ଧାଇଁ ହାଲିଆ ହୋଇଥିବା କହିଛନ୍ତି। ଯେବେ ବି ଏମାନେ ତହସିଲ କାର୍ଯ୍ୟାଳୟକୁ ଗଲେ ସିଙ୍ଗଲୱିଣ୍ଡୋ ସିଷ୍ଟମର ସାଇଟ୍ କାମ କରୁନଥିବା, ଇଣ୍ଟର ନେଟ୍ ନଥିବା ଅସୁବିଧା ଶୁଣି ଶୁଣି କେବେ ପ୍ରମାଣପତ୍ର ମିଳିବ ବୋଲି ଏମାନେ ପ୍ରଶ୍ନ କରିଛନ୍ତି।

ପ୍ରକାଶଯୋଗ୍ୟ, ସିଙ୍ଗଲୱିଣ୍ଡୋ ସିଷ୍ଠମର ୱେବସାଇଟ୍‌ ସଠିକ ଭାବେ କାମ କରୁନଥିବାରୁ ଛାତ୍ରଛାତ୍ରୀ, ସାଧାରଣ ଲୋକେ ବିଭିନ୍ନ ପ୍ରମାଣ ପତ୍ର ଠିକଣା ସମୟରେ ପାଇପାରୁନାହାନ୍ତି। ବାରମ୍ବାର ତହସିଲ କାର୍ଯ୍ୟାଳୟକୁ ଦଉଡ଼ିବାକୁ ପଡ଼ୁଛି। ଗୋଟିଏ ଗୋଟିଏ ପ୍ରମାଣପତ୍ର ପାଇବା ପାଇଁ ତିନି ମାସରୁ ଅଧିକା ସମୟ ଲାଗୁଛି ବୋଲି ଅଭିଯୋଗ ହୋଇଛି। ପୂର୍ବରୁ ଯେଭଳି ମାନୁଆଲ୍ ପ୍ରମାଣପତ୍ର ଦିଆଯାଉଥିଲା ସେଭଳି ଦେବାକୁ ଆଇନଜୀବୀ ଓ ଆବେଦନକାରୀ ମାନେ ଦାବି କରିଛନ୍ତି। ତହସିଲ ଦ୍ବାରା ସ୍ବୀକୃତ ସହଜ ଜନସେବା କେନ୍ଦ୍ର ମାଧ୍ୟମରେ ଆୟ, ଜାତି, ବାସ ଏବଂ ଅନ୍ୟାନ୍ୟ ପ୍ରମାଣପତ୍ର ଆବେଦନ କରାଯିବ। ସେଠାରୁ ନେଟ୍ ଜରିଆରେ ସିଙ୍ଗଲୱିଣ୍ଡୋକୁ ଆସିବ।

ସିଙ୍ଗଲୱିଣ୍ଡୋରୁ ଏସବୁ ପ୍ରମାଣପତ୍ର ଦେବାକୁ ରହିଥିବା ଅଧିକାରୀଙ୍କ ନିକଟକୁ ଯାଂଚ ପାଇଁ ପଠାଯାଇଥାଏ। ସେଠାରୁ ଯାଂଚ ଆଦି ହୋଇ ଆସିବା ପରେ ପୁଣି ପ୍ରମାଣପତ୍ର ପ୍ରସ୍ତୁତ କରି ସାଇଟରେ ଅପଲୋଡ୍ କରାଯିବ। ତେବେ ଏହି ସାଇଟରେ ସମସ୍ୟା ରହିଥିବାରୁ ଏଭଳି ହେଉଥିବା ଏଠାରେ କାର୍ଯ୍ୟରତ କର୍ମଚାରୀ କହିଛନ୍ତି। ଗତ କିଛି ମାସ ହେବ ନୂଆ ଆପ୍ଲିକେସନ୍ ଆସିବା ପରେ ଏହି ସମସ୍ୟା ଦ୍ବିଗୁଣିତ ହୋଇଥିବା ସେ କହିଛନ୍ତି। ଏହି ସମସ୍ୟାକୁ ନେଇ ଆଇନଜୀବୀ ମାନେ ତହସିଲଦାର ଟୁଲ୍ଲିଆମ୍ମା ପ୍ରଧାନଙ୍କର ବି ଦୃଷ୍ଟି ଆକର୍ଷଣ କରିଥିଲେ। ଏଭଳି ସମସ୍ୟା ପୂର୍ବରୁ ଲାଗି ରହିଥିଲା। ତେଣୁ କିଛି ଦିନ ସାଇଟ୍ ସମସ୍ୟା ରହିଥିବାରୁ ମାନୁଆଲ୍ ପ୍ରମାଣପତ୍ର ଦିଆଯାଇଥିଲା।

ତେବେ ସାଇଟ୍‌ ସମସ୍ୟା ସୁଧୁରିଛି। ଏବଂ ଆବେଦନକାରୀଙ୍କୁ ତୁରନ୍ତ ପ୍ରମାଣପତ୍ର ଦେବା ବ୍ୟବସ୍ଥା କରାଯାଉଛି ବୋଲି କହିଛନ୍ତି ତହସିଲଦାର ଟୁଲ୍ଲିଆମ୍ମା ପ୍ରଧାନ। ପୂର୍ବ ସମସ୍ୟା ଠିକ ଭାବେ ସମାଧାନ ହୋଇ ନଥିବା ଏବଂ ସାଇଟ୍ ଦିନକର ‌ଘଣ୍ଟାକ ଖୋଲିଲେ ୫ଘଣ୍ଟା ବନ୍ଦ ରହୁଥିବା ଆଇନଜୀବୀ ଓ ଆବେଦନକାରୀ ମାନେ ଅଭିଯୋଗ କରିଛନ୍ତି। ଜୟପୁର ତହସିଲର କୋଣ ଅନୁକୋଣରୁ ବାରମ୍ବାର ପଇସା ଖର୍ଚ୍ଚ କରି ଆସୁଥିବା ବେଳେ ଧାର୍ଯ୍ୟ ସମୟରେ ମିଳୁନଥିବାରୁ ଅସନ୍ତୋଷ ଦେଖା‌ ଦେଇଛି। ସାଇଟ୍ ନ ଖୋଲିବା ସମୟରେ ମାନୁଆଲ୍ ପ୍ରମାଣପତ୍ର ଦେଲେ ଆବେଦନକାରୀ ଛାତ୍ରଛାତ୍ରୀ, ଚାଷୀ ଓ ଅନ୍ୟ ମାନେ ଉପକୃତ ହୋଇ ପାରିବେ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର