ମୂର୍ତ୍ତି ତିଆରି ଦେଇଛି ରୋଜଗାର ପନ୍ଥା: ରାସ୍ତା କଡ଼ରେ ଦୋକାନ, ତମ୍ବୁ ତଳେ କଟୁଛି ଜୀବନ

ବ୍ରହ୍ମପୁର: ମାନବ ମୂର୍ତ୍ତି ଠାରୁ ଆରମ୍ଭ କରି ବିଭିନ୍ନ ଦେବାଦେବୀଙ୍କ ମୂର୍ତ୍ତି ରହିଛି। ଛୋଟରୁ ବଡ଼ କ୍ରମରେ ଧାଡ଼ିରେ ସଜାଯାଇଛି। ବିଭିନ୍ନ ରଙ୍ଗରେ ତାହାକୁ ଚିତ୍ରିତ କରାଯାଇଛି। ଛୋଟିଆ ସୁନ୍ଦର ମୂର୍ତ୍ତିକୁ ଦେଖିଲେ ରାସ୍ତାରେ ଯାଉଥିବା ଲୋକେ କ୍ଷଣିକ ପାଇଁ ଅଟକି ଯାଉଛନ୍ତି। ମୂଲଚାଲ କରି ଘରେ ସଜାଇବା ପାଇଁ ମୂର୍ତ୍ତି କିଣିନେଉଛନ୍ତି। ବ୍ରହ୍ମପୁର ସହରର ଇଂଜିନିୟରିଂ ସ୍କୁଲ ନିକଟରେ ଏଭଳି ମୂର୍ତ୍ତି ପସରା ବିକ୍ରି ହେଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ରାଜସ୍ଥାନରୁ ମୋହନ ରାଠୋଡ଼ଙ୍କ ପରିବାର ଆସି ବ୍ରହ୍ମପୁ‌ର ସହରରେ ଏହି ମୂର୍ତ୍ତି ବ୍ୟବସାୟ କରୁଛନ୍ତି।

କାରିଗରଙ୍କ ହାତର ନିଖୁଣତାର ସ୍ପର୍ଶ ପାଇ ଜୀବନ୍ତ ହେଉଛି ମାଟି ତିଆରି ମୂର୍ତ୍ତି। ମାଟି, ପ୍ଲାଷ୍ଟର ଅଫ୍ ପ୍ୟାରିସକୁ ବ୍ୟବହାର କରି ଗଢ଼ୁଛନ୍ତି ସୁନ୍ଦର ମୂର୍ତ୍ତି। ଶିରିଡ଼ିସାଇ, ରାଧାକୃଷ୍ଣ, ହନୁମାନ ଭଳି ବିଭିନ୍ନ ଦେବା ଦେବୀଙ୍କ ମୂର୍ତ୍ତି ସହ ପୁରୁଷ ଓ ନାରୀ ମୂର୍ତ୍ତି ତିଆରି କରୁଛନ୍ତି। ଏଥିସହ ବିଭିନ୍ନ ଗୃହପାଳିତ ପଶୁପକ୍ଷୀଙ୍କ ମୂର୍ତ୍ତି ମଧ୍ୟ ତିଆରି କରୁଛନ୍ତି। ତାହାକୁ ବିକିବା ପାଇଁ ରାସ୍ତା କଡ଼ରେ ପସରା ପକାଇଥାନ୍ତି। ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ସେଠାରେ ମୋହନ ମୂର୍ତ୍ତି ବିକ୍ରି କରନ୍ତି। ଚାହିଦା ଅନୁସାରେ ୫୦ ଟଙ୍କାରୁ ଆରମ୍ଭ ହୋଇ ୧୫୦୦ ଟଙ୍କା ପର୍ଯ୍ୟନ୍ତ ମୂର୍ତ୍ତିର ଦାମ ରହିଛି। ସେଥିରୁ ଯେଉଁ କିଛି ଟଙ୍କା ମିଳୁଛି ସେଥିରେ କଷ୍ଟରେ ଗୁଜୁରାଣ ମେଣ୍ଟିଯାଉଛି। ଏହି ବ୍ୟବସାୟରେ ମୋହନଙ୍କୁ ତାଙ୍କ ପରିବାରବର୍ଗ ସହଯୋଗ କରୁଛନ୍ତି। ପରିବାର କ‌ହିଲେ ସ୍ତ୍ରୀ, ୩ଟି ପୁଅ ଓ ୪ ଝିଅ। ରହିବା ପାଇଁ ଘର ଖଣ୍ଡିଏ ନାହିଁ, ତମ୍ବୁ ତଳେ ହିଁ ରାତି କଟୁଛି। ପୂର୍ବରୁ ଇଂଜିନିୟରିଂ ସ୍କୁଲ ଛକ ନିକଟରେ ରହୁଥିବାରୁ ସେଠାରୁ ତାଙ୍କୁ ହଟାଇ ଦେବାରୁ ଏବେ ଆମ୍ବପୁଆରେ ରହୁଛନ୍ତି। ବେପାର ପାଇଁ ଏଠାକୁ ଆସୁଛନ୍ତି।

ମୋହନ କହିବାନୁଯାୟୀ, ରୋଜଗାର କରିବା ଆଶାରେ ରାଜସ୍ଥାନରୁ ପରିବାର ନେଇ ଏଠାକୁ ଚାଲି ଆସିଥିଲେ। ଦୀର୍ଘ ୧୮ ବର୍ଷ ଧରି ବ୍ରହ୍ମପୁର ସହରରେ ଏହି ବେପାର କରିଆସୁଛନ୍ତି। ବର୍ଷ ବର୍ଷ ଧରି ଭଲ ବେପାର ଚାଲିଥିଲା, ପ୍ରତିଦିନ ଲାଭ ହେଉଥିଲା। କିନ୍ତୁ କରୋନା ଆସିବା ପରେ ବେପାର ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା। ଦୁଇ ମାସ ହେଲା ଦୋକାନ ଖୋଲିଛି। କିନ୍ତୁ ପୂର୍ବ ଭଳି ବେପାର ହୋଇପାରି ନାହିଁ। ଯାହାଫଳରେ ପରିବାର ଚଳାଇବା କଷ୍ଟକର ହୋଇପଡ଼ୁଛି ବୋଲି ମୋହନ କହିଛନ୍ତି। ବର୍ଷ ବର୍ଷ ଧରି ଏହି ବ୍ୟବସାୟ କରୁଥିବା ବେଳେ ଅନ୍ୟ କୌଣସି ବେପାର କରିପାରୁ ନାହିଁ, ଆଗକୁ ବ୍ୟବସାୟ ସ୍ବାଭାବିକ ହେବା ନେଇ ଚାହିଁ ବସିଛନ୍ତି ମୋହନ।

ସମ୍ବନ୍ଧିତ ଖବର