ରାୟଗଡ଼ା: ମାଟି ଏଠି କଥା କହୁଥିଲା ଶିଳ୍ପୀର ହାତ ସ୍ପର୍ଶରେ। ଶିଳ୍ପୀର ତୁଳିମୁନରେ ଓଦାମାଟିରେ ଦେଖିବାକୁ ମିଳୁଥିଲା ଉତ୍କୃଷ୍ଟ କଳାକୃତିର ଝଲକ। ହେଲେ ଚଳିତ ବର୍ଷ କରୋନା ବୁଡ଼ାଇ ଦେଇଛି ବେଉସା। ପୂଜା ଉପରେ ରୋକ୍ ଲାଗିବା କାରଣରୁ ମୂର୍ତ୍ତି ତିଆରି ନ କରି ହାତବାନ୍ଧି ବସିଛନ୍ତି କାରିଗର। ପାର୍ବଣ ଋତୁ ଆରମ୍ଭ ହୋଇ ଯାଇଥିବା ବେଳେ ମାଟିମୂର୍ତ୍ତି କାରିଗରଙ୍କ ଗାଁ ଅମଲାଭଟ୍ଟାରେ ପୂର୍ବ ବର୍ଷ ଭଳି ନାହିଁ ଭିଡ଼ କି କୋଳାହୋଳ। ଶହେ କାରିଗର ପରିବାର ବଦଳରେ ଚଳିତ ବର୍ଷ ୧୦ରୁ ୧୨ ପରିବାର ମୂର୍ତ୍ତି ତିଆରି କରିଛନ୍ତି। ଫଳରେ ବେରୋଜଗାର ହୋଇ କୋଟିଏରୁ ଉର୍ଧ୍ବ ଟଙ୍କାର କ୍ଷତି ସହିଛନ୍ତି କାରିଗର ପରିବାର।
ଆଖି ଝଲସା ମାଟିମୂର୍ତ୍ତି ପାଇଁ ଅବିଭକ୍ତ କୋରାପୁଟ ସମେତ ପଡୋଶୀ କଳାହାଣ୍ଡି, ଗଜପତି, ଆନ୍ଧ୍ରପ୍ରଦେଶର ବିଶାଖାପାଟଣା, ଶ୍ରୀକାକୁଲମ୍, ବିଜୟନଗରମ ଓ ତେଲେଙ୍ଗାନାରେ ଅମଲାଭଟ୍ଟା କାରିଗରଙ୍କ ରହିଛି ଢ଼େର ଚାହିଦା। ଶହେରୁ ଉର୍ଧ୍ବ କୁମ୍ଭକାର ପରିବାର ଏହି ଗାଁରେ ବସବାସ କରୁଥିବା ବେଳେ ପିଲାଠୁ ବୁଢ଼ା ପର୍ଯ୍ୟନ୍ତ ସଭିଁଏ ମୂର୍ତ୍ତି ଗଢ଼ିବାରେ ଧୁରନ୍ଧର। ଗଣେଶ ପୂଜାରୁ ଆରମ୍ଭ ହେଉଥିବା ପାର୍ବଣ ଋତୁ, ଖୁଦୁରୁକୁଣୀ, ଦଶହରା, ଗଜଲକ୍ଷ୍ମୀ ପୂଜା, ଦୀପାବଳି, କାର୍ତ୍ତିକ ପୂଜା, ସରସ୍ବତୀ ପୂଜା ପରେ ଶେଷ ହୋଇଥାଏ। ଅଗଷ୍ଟରୁ ଫେବ୍ରୁଆରୀ ୭ ମାସ ଧରି କାରିଗରମାନେ ମୂର୍ତ୍ତି ଗଢ଼ିବାରେ ନିମଗ୍ନ ରହିଥାନ୍ତି। ବାହୁଡ଼ା ଯାତ୍ରା ଦିନ ମୂର୍ତ୍ତି ଗଢ଼ିବା ପାଇଁ ନାଗାବଳୀ ନଦୀରେ ପୂଜାର୍ଚ୍ଚନା କରି ଅନୁକୂଳ କରିଥାନ୍ତି ମାଟି ସଂଗ୍ରହ ବିଧାନ। ଏହି ଦିନ ଘରର ପ୍ରତ୍ୟେକ ପୁରୁଷ ମହିଳା ନଦୀକୂଳକୁ ଯାଇ ସେଠାରେ ନିଜ କୁଳ ଦେବତାଙ୍କୁ ପୂଜାର୍ଚ୍ଚନା ପରେ ମାଟି ସଂଗ୍ରହ କରି ଘରକୁ ଆଣିଥାନ୍ତି। ସେହିମାଟିକୁ ଇଷ୍ଟ ଦେବୀଙ୍କ ନିକଟରେ ପୂଜାର୍ଚ୍ଚନା ପରେ ଆରମ୍ଭ କରିଥାନ୍ତି ମାଟିମୂର୍ତ୍ତି ପାଇଁ ନଡ଼ାବନ୍ଧା ପର୍ବ। ଗଣେଶ ପୂଜାରେ ଗାଁର ପ୍ରତ୍ୟେକ ପରିବାର ୨ରୁ ୩ ଲକ୍ଷ ଟଙ୍କାର ମୂର୍ତ୍ତି ବିକ୍ରି କରିଥାନ୍ତି। ଛୋଟରୁ ଆରମ୍ଭ କରି ୧୫ ଫୁଟ ଉଚ୍ଚତା ପର୍ଯ୍ୟନ୍ତ ମୂର୍ତ୍ତି ନିର୍ମାଣ ହୋଇଥାଏ। ନିଜ ଗାଁରେ ଏବଂ ବାହାରକୁ ମୂର୍ତ୍ତି ତିଆରି ସାଜସଜା କରିବାକୁ ଯାଇ କେବଳ ଗଣେଶ ପୂଜାରୁ ଗାଁର ଶହେରୁ ଉର୍ଧ୍ବ କାରିଗର ପରିବାର ୨ କୋଟିରୁ ଉର୍ଧ୍ବ ଟଙ୍କାର ବ୍ୟବସାୟ କରିଥାନ୍ତି। ଚଳିତ ବର୍ଷ କିନ୍ତୁ ଦାଉ ସାଧିଛି କରୋନା। ଶହେ ପରିବାର ବଦଳରେ ଗାଁରେ ୧୦ରୁ ୧୨ କାରିଗର ପରିବାର ମୂର୍ତ୍ତି ତିଆରି କରିଥିବା ବେଳେ ସର୍ବାଧିକ ୨ ଫୁଟ ଉଚ୍ଚତାର ମୂର୍ତ୍ତି ତିଆରି ହୋଇଛି। ପଡୋଶୀ ଜିଲ୍ଲା କିମ୍ବା ବାହାର ରାଜ୍ୟରୁ ମଧ୍ୟ ମୂର୍ତ୍ତି ପାଇଁ ବରାଦ ଆସିନି। ସାଜସଜା କରିବାକୁ ଯାଉଥିବା କାରିଗର ରୋଜଗାର ହରାଇ ଘରେ ବସି ରହିଥିବା କହିଛନ୍ତି ଭି. ରାଜେଶ, ଧର୍ମା ରାଓ, ପି. ବୈରାଗୀ, ଟି. ଶଙ୍କର ରାଓ, ଟି. ଲୋକରାଜୁ।
୨୦୦ ବର୍ଷ ପୁରୁଣା ଅମଲାଭଟ୍ଟା ଗାଁ। ଆନ୍ଧ୍ରପ୍ରଦେଶର ଗେବିଡି ଅଞ୍ଚଳରୁ କୁମ୍ଭକାର ସମ୍ପ୍ରଦାୟର ଜି. କନ୍ତାରୁ ଓ ତାଙ୍କ ବଂଶର ୩ଟି ପରିବାର ପ୍ରଥମେ ଆସି ରହିବା ଆରମ୍ଭ କରିଥିଲେ। ନାଗାବଳୀ ନଦୀ କୂଳରେ ଗାଁଟି ଥିବାବେଳେ ଏଠିକା ମାଟି ମାଟି ପାତ୍ର ଗଢ଼ିବାରେ ସର୍ବୋତ୍କୃଷ୍ଟ। ସେବେଠାରୁ ମାଟରେ ନିର୍ମିତ ହାଣ୍ଡି, ମାଠିଆ, ସୁରେଇ, କଳସି, ଦୀପ, ରୁଖା ପାଇଁ ଏହି ଗାଁଟି ଜିଲ୍ଲାରେ ବେଶ ପରିଚିତ ଥିଲା। ସମୟକ୍ରମେ ପରିବାର ବଢ଼ିବା ସାଙ୍ଗକୁ ଜନବସତି ମଧ୍ୟ ବଢ଼ିବାରେ ଲାଗିଲା। ବର୍ତ୍ତମାନ ଶହେରୁ ଉର୍ଧ୍ବ ପରିବାର ବାସ କରୁଥିବା ବେଳେ ସମୟ ସହ ତାଳଦେଇ ସଭିଁଏ ବଦଳିଛନ୍ତି। ପୂର୍ବରୁ ମାଟିରେ ବିଭିନ୍ନ ସାମଗ୍ରୀ ତିଆରି କରି ଜୀବିକା ନିର୍ବାହ କରି ଆସୁଥିଲେ। ଏବେ ଆଧୁନିକତା ସହ ତାଳ ଦେଇ କୌଳିକ ବୃତ୍ତିକୁ ପଛରେ ପକାଇ ମାଟି ମୂର୍ତ୍ତି ତିଆରି କରୁଥିବା ଏହି କାରିଗରମାନେ ନିଜ ସାଧନା ବଳରେ ଓ ଅଧ୍ୟବସାୟ ବଳରେ ବାହାର ରାଜ୍ୟରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି।