ରାୟଗଡା: ଆସୁଛି ପାର୍ବଣ ମାସ। ଗ୍ରାହକଙ୍କ ଚାହିଦା ଅନୁସାରେ ମୂର୍ତ୍ତି ପ୍ରସ୍ତୁତ କରିବାରେ ବ୍ୟସ୍ତ ମୂର୍ତ୍ତି କାରିଗର। ରାୟଗଡା ସହରର ବିଭିନ୍ନ ସ୍ଥାନରେ ମୂତି ପ୍ରସ୍ତୁତ କରାଯାଉଥିବା ବେଳେ ଅମଲାଭଟ୍ଟାରେ ପ୍ରସ୍ତୁତ ମାଟି ମୂର୍ତ୍ତିର ଏକ ଅନନ୍ୟ ପରିଚୟ ସୃଷ୍ଟି କରିଛି। ଅମଳାଭଟ୍ଟା ଗାଁର ପ୍ରତ୍ୟେକ ପରିବାର ବର୍ଷ ତମାମ ମାଟିରେ ମୂର୍ତ୍ତି ତିଆର କରି ପରିବାର ପ୍ରତିପୋଷଣ କରନ୍ତି। ଏଠାରେ ମାଟି କହେ କଥା। ମୂର୍ତ୍ତି ଜୀବନ୍ତ ଭଳି ମନେ ହୁଅନ୍ତି। ତେଣୁ ପ୍ରତିବର୍ଷ ଜିଲ୍ଲା ସମେତ ପଡୋଶଈ ଜିଲ୍ଲା ଏବଂ ପଡୋଶୀ ରାଜ୍ୟରୁ ମଧ୍ୟ ଗ୍ରାହକ ମାନେ ଅମଳାଭଟ୍ଟା ଗାଁକୁ ଆସି ମୂର୍ତ୍ତି କରିଦ କରି ନେଉଥିବା ଦେଖିବାକୁ ମିଳେ। ଆଜି ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା ହେଉଥିବା ବେଳେ ଆଗକୁ ଗଣେଶ ପୂଜା ଅଛି। ସୂନ୍ଦର ଓ ଆକର୍ଷଣୀୟ ମୂର୍ତ୍ତି ପ୍ରସ୍ତୁତରେ ବ୍ୟସ୍ତ ରହିଛନ୍ତି ରାୟଗଡା ଜିଲ୍ଳା ସଦର ବ୍ଳକ ଅମଲାଭଟ୍ଟା ଗାଁର ମୂର୍ତ୍ତି କାରିଗରମାନେ। ଗ୍ରାମର ଘରେ ଘରେ ମୂର୍ତ୍ତି କାରିଗର ମାନଙ୍କ ଦ୍ୱାରା ମୂର୍ତ୍ତି ପ୍ରସ୍ତୁତ ଜୋରଦାରରେ ଚାଲିଛି। ଶହେ ଟଙ୍କାରୁ ଆରମ୍ଭ କରି ୩୦ହଜାର ଟଙ୍କା ପର୍ଯ୍ୟନ୍ତ ମୂର୍ତ୍ତି ପ୍ରସ୍ତୁତ କରୁଛନ୍ତି ଏହି ମୂର୍ତ୍ତି କାରିଗରମାନେ। ଗାଁରେ ୫୦ରୁ ଊର୍ଦ୍ଧ୍ବ ମୂର୍ତ୍ତି ଗଢୁଥିବା ପରିବାର ବସବାସ କରୁଛନ୍ତି। ପ୍ରତି ପରିବାରରେ ପିଲା ଠାରୁ ବୁଢା ପର୍ଯ୍ୟନ୍ତ ମୂର୍ତ୍ତି ଗଢିବାରେ ସିଦ୍ଧହସ୍ତ। ଏବେ ଗଣେଶଙ୍କ ପୂଜାକୁ ଆଉ ମାତ୍ର ଅଳ୍ପଦିନ ରହିଥିବା ବେଳେ ଅମଲାଭଟ୍ଟା କାରିଗର ମାନେ ମୂର୍ତ୍ତିକୁ ବିଭିନ୍ନ ରଙ୍ଗ ଦେଇ ଆହୁରି ଆର୍କଷଣୀୟ କରିବାରେ ବ୍ୟସ୍ତ ରହିଛନ୍ତି।
ବର୍ଷ ତମାମ ଗ୍ରାହକଙ୍କ ମନପସନ୍ଦର ମୂର୍ତ୍ତି ତିଆର କରି ଦେଇଥାନ୍ତି ଏହି ଗ୍ରାମବାସୀ। ଗ୍ରାମର ରେଗାନା ଶଙ୍କର ରାଓ ଜଣେ ବିଟେକ୍. ଇଂଜିନିୟରିଂ ଛାତ୍ର ହୋଇଥିବା ବେଳେ ସେ ମଧ୍ୟ ନିଜ କୌଳିକ ବୃତିକୁ ବଜାୟ ରଖିବା ପାଇଁ ନିଜ ବାପା ଓ ମାଙ୍କ ଠାରୁ ଗ୍ରହଣ କରିଥିବା ମାଟିରେ ପ୍ରସ୍ତୁତ ମୂର୍ତିର କୌଶଳକୁ ନେଇ ସୂନ୍ଦର ଆକର୍ଷଣୀୟ ଗଣେଷ ଓ ବିଶ୍ୱକର୍ମା ମୂର୍ତ୍ତି ପ୍ରସ୍ତୁତ କରିବାରେ ବ୍ୟସ୍ତ ରହିଛନ୍ତି। ପାର୍ବଣ ସମୟରେ ମାଟିରେ ପ୍ରସ୍ତୁତ ହୋଇଥିବା ମୂର୍ତ୍ତି ବିକ୍ରି ବେଶ ଦୁଇ ପଇସା ରୋଜଗାର ହୋଇଥାଏ ବୋଲି ଶଙ୍କର ପ୍ରକାଶ କରିଛନ୍ତି। ତେବେ ଗ୍ରାମରେ ଅନେକ ପରିବାର ଏଭଳି ମୂର୍ତ୍ତି ନିର୍ମାଣ କରୁଥିବା ବେଳେ ମୂର୍ତ୍ତି ରଖିବା ପାଇଁ କୌଣସି କୁମ୍ଭାରଶାଳର ବ୍ୟବସ୍ଥା ନ ଥିବାରୁ ବର୍ଷା ହେଲେ କାରିଗର ମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି ବୋଲି କହିଛନ୍ତି। ଗତ ୨୦ ବର୍ଷ ତଳେ ଏକ କମ୍ଭାର ଶାଳ ନିର୍ମାଣ ହୋଇଥିଲା।
ତେବେ ଏହା ଏବେ ଭଗ୍ନ ଅବସ୍ଥାରେ। ଗାଁର ଅନେକ ବରିଷ୍ଠ କାରିଗରମାନେ ସ୍ଥାନୀୟ ପ୍ରଶାସନ ତଥା ମନ୍ତ୍ରୀ, ବିଧାୟକ ଭଳି ରାଜନୈତିକ ନେତାମାନଙ୍କ ଠାରେ ମଧ୍ୟ ଏକ କୁମ୍ଭାରଶାଳ ନିର୍ମାଣ ପାଇଁ ଦାବି କରି ଆସୁଥିବା ବେଳେ ଆଜି ଯାଏଁ କୌଣସି ସୁଫଳ ମିଳି ନ ଥିବା ଶଙ୍କର ପ୍ରକାଶ କରିଛନ୍ତି। ଏନେଇ ରାୟଗଡା ବିଧାୟକ ମକରନ୍ଦ ମୁଦୁଲିଙ୍କୁ ପଚାରିବାରୁ ସେ ତାଙ୍କ ନିଜ ପାଣ୍ଠିର କମ୍ଭାରଶାଳ ପାଇଁ ୫ ଲକ୍ଷ ଟଙ୍କା ଦେଇଥିବା କହିଥିଲେ। ସେହିପରି ବଜାରରେ ଏବେ ପ୍ଳାଷ୍ଟର ପାରିସ ଦ୍ୱାରା ପ୍ରସ୍ତୁତ ହୋଇଥିବା ମୂର୍ତ୍ତି ଗୁଡିକର ଢେର ଚାହିଦା ରହିଥିବା ଯୋଗୁଁ ମାଟି ମୂର୍ତ୍ତି କାରିଗର ମାନେ ଅଧିକ କ୍ଷତି ସହୁଛନ୍ତି ବୋଲି ଗ୍ରାମର ଆଉ ଜଣେ ମୂର୍ତ୍ତି କାରିଗର ଭାନୁଚନ୍ଦ୍ରା ପ୍ରକାଶ କରିଛନ୍ତି।
ଗତ ଦୁଇ ତିନିବର୍ଷ ଧରି ବଜାରରେ ପ୍ଳାଷ୍ଟର ପାରିସରେ ପ୍ରସ୍ତୁତ ମୂର୍ତ୍ତିର ଅଧିକ ଚାହିଦା ରହିଥିବା ବେଳେ ଏହି ମୂର୍ତ୍ତିକୁ ନଦୀରେ ବିସର୍ଜନ କଲେ ଏଥିରେ ଥିବା ରସାୟନିକ ପଦାର୍ଥ ଯୋଗୁଁ ନଦୀ ଜଳ ଦୂଷିତ ହୋଇଥାଏ ଏବଂ ପରିବେଶ ମଧ୍ୟ ପ୍ରଦୁଷିତ ହୋଇଥାଏ। ତେବେ ଲୋକେ ହାଲୁକା ଓ ଶସ୍ତାରେ ମିଳୁଥିବା ମୂର୍ତ୍ତିକୁ ଅଧିକ ଗ୍ରହଣ କରୁଥିବା ବେଳେ ମାସ ମାସ ଧରି ପବିତ୍ର ମାଟିରେ ପ୍ରସ୍ତୁତ କରାଯାଉଥିବା ମୂର୍ତ୍ତିକୁ କିଣିବାରେ ଆଜିକାଲି ପସନ୍ଦ କରୁ ନାହାଁନ୍ତି। ତେବେ ଅମଲାଭଟ୍ଟା ମୂର୍ତ୍ତି କାରିଗରଙ୍କ ଯାଦୁକରି ହାତରେ ପ୍ରସ୍ତୁତ ମୂର୍ତ୍ତି ଗୁଡିକ ରଙ୍ଗରେ, ଉଚ୍ଚତାରେ ତଥା ଦେଖିବାରେ ଜୀବନ୍ତ ଭଳି ଦେଖାଯାଉଥିବାରୁ ଅମଳାଭଟ୍ଟା ଗାଁରେ ଗ୍ରାହକଙ୍କ ଭିଡ ଜମିବାର ଆରମ୍ଭ ହେଲାଣି।