ସମ୍ବଲପୁର: ବର୍ଷା ହେଲେ ବନ୍ଦ ହୋଇଯାଏ ବ୍ୟାଙ୍କ କାଉଣ୍ଟର। ଶୁଣିବାକୁ ଅଜବ ଲାଗୁଥାଇପାରେ, ମାତ୍ର ଏହା ସତ୍ୟ। ଏଭଳି ସ୍ଥିତି ହୋଇଛି ସମ୍ବଲପୁର ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ(ଏସ୍‌ଡିସିସି ବ୍ୟାଙ୍କ), ସମ୍ବଲପୁର ସିଟି ଶାଖାର। ସମ୍ବଲପୁର ସହରର କୁଂଜେଲପଡ଼ାରେ ଏକ ବହୁ ପୁରୁଣା କୋଠାରେ ଚାଲିଛି ବ୍ୟାଙ୍କର ଏହି ଶାଖା। ଆଗରୁ ଏହା ମହିଳା ଶାଖା ନାମରେ ପରିଚିତ ଥିଲା। କେବଳ ମହିଳା କର୍ମଚାରୀ ଏଠାରେ କାର୍ଯ୍ୟ କରୁଥିଲେ। କିଛି ବର୍ଷ ତଳେ ଏହାର ନାମକରଣ ସମ୍ବଲପୁର ସିଟି ଶାଖା ରଖାଯାଇଛି। ପୁରୁଣା କୋଠା ହୋଇଥିବାରୁ କାଠ ବିମ୍‌ଗୁଡ଼ିକ ଦବି ଗଲାଣି। ବର୍ଷା ହେବା ମାତ୍ରେ, ଟଙ୍କା ଜମା ଓ ଉଠାଇବା ପାଇଁ ଥିବା କାଉଣ୍ଟରଗୁଡ଼ିକ ଉପରେ ପାଣି ପଡ଼ୁଛି। କମ୍ପ୍ୟୁଟର ଓ ଅନ୍ୟାନ୍ୟ କାଗଜପତ୍ର ପଲିଥିନରେ ଘୋଡ଼ାଇ ଦିଆଯାଉଛି।

Advertisment

ବର୍ଷା ପାଣି ବ୍ୟାଙ୍କ ଭିତରେ ପଡ଼ୁଥିବା ବେଳେ କର୍ମଚାରୀମାନେ ବି ଭିଜି ଯାଉଛନ୍ତି। ଆଉ ସେହି ଅଧାଭିଜା ଅବସ୍ଥାରେ କାମ କରୁଛନ୍ତି। ବ୍ୟାଙ୍କରେ ଏବେ ୭ ଜଣ କର୍ମଚାରୀ ଅଛନ୍ତି। ବ୍ୟାଙ୍କର ସବୁବେଳେ ଭିଡ଼ ଲାଗି ରହିଥାଏ। ହେଲେ, ବଡ଼ ଦୟନୀୟ ଅବସ୍ଥାରେ ସେମାନଙ୍କୁ କାମ କରିବାକୁ ପଡ଼ୁଛି। ଗ୍ରାହକମାନେ ବ୍ୟାଙ୍କ କୋଠାର ଅବସ୍ଥା ସଂପର୍କରେ ଅବଗତ ହୋଇଗଲେଣି। ତେଣୁ, ବର୍ଷା ସମୟରେ ବ୍ୟାଙ୍କ ଯିବା କମେଇ ଦେଲେଣି। କୋଠାର ଅବସ୍ଥା ଯାହା କେତେବେଳେ ବି ଭାଂଗିଯିବ। ଏ ସଂକ୍ରାନ୍ତରେ ବ୍ୟାଙ୍କର ଶାଖା ପରିଚାଳକଙ୍କୁ ପଚାରିବାରୁ ସେ କହିଲେ, ବ୍ୟାଙ୍କ ମୁଖ୍ୟାଳୟକୁ ଏହି ସମସ୍ୟା ସଂକ୍ରାନ୍ତରେ ଅବଗତ କରାଯାଇଛି।6 ଯେହେତୁ, ବ୍ୟାଙ୍କର ଗ୍ରାହକମାନେ ପ୍ରାୟତଃ ଆଖାପାଖ ଅଂଚଳର, ତେଣୁ ସଂପୃକ୍ତ ଅଂଚଳରେ ଘରଭଡ଼ା ଖୋଜା ଚାଲିଛି। ନୂଆ ଭଡ଼ାଘର ମିଳିବା ପରେ ବ୍ୟାଙ୍କ ସ୍ଥାନାନ୍ତର କରାଯିବ ବୋଲି ସେ କହିଛନ୍ତି। ତେବେ, ବର୍ଷା ହେଲେ କାଉଣ୍ଟର ବନ୍ଦ ଥିଲେ ବି ଭିତର ପଟୁ ଗ୍ରାହକମାନଙ୍କୁ ବ୍ୟାଙ୍କ ସେବା ଯୋଗାଇ ଦିଆଯାଉଛି ବୋଲି ସେ କହିଛନ୍ତି।