ସୁନ୍ଦରଗଡ଼: ୧୦ ଦଫା ଦାବି ପୂରଣ ନହେଲେ ଆସନ୍ତା ଅଗଷ୍ଟ ୧ରୁ କଲମ ଛାଡ଼ ଆନ୍ଦୋଳନ କରିବା ସହ ଡିଜିଟାଲ ଦସ୍ତଖତ (ଡିଏସସି) ଜରିଆରେ ଦେୟ ପ୍ରଦାନ ବନ୍ଦ କରାଯିବ। ମଙ୍ଗଳବାର ସ୍ଥାନୀୟ ପ୍ରେସ କ୍ଲବ୍ ସମ୍ମିଳନୀ କକ୍ଷରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହା ଘୋଷଣା କରିଛି ସୁନ୍ଦରଗଡ଼ ଜିଲ୍ଲା ସରପଞ୍ଚ ସଂଘ। ପୂର୍ବରୁ ୨ ମାସ ତଳେ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦିଆଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ ନକରିବାରୁ ଏହି ଚରମ ନିଷ୍ପତ୍ତି ନିଆଯାଇଥିବା ସଂଘ ପ୍ରକାଶ କରିଛି। ପଞ୍ଚାୟତ ଅଞ୍ଚଳରେ ଜମି ଅଧିଗ୍ରହଣ ପ୍ରକ୍ରିୟାରେ ଗ୍ରାମସଭାକୁ ସର୍ବୋଚ୍ଚ ମାନ୍ୟତା, ପ୍ରତି ଆର୍ଥିକ ବର୍ଷରେ ପଞ୍ଚାୟତର ବିକାଶ ପାଇଁ ଜିଲ୍ଲା ଖଣିଜ ପ୍ରତିଷ୍ଠାନରୁ ୨୦ ଲକ୍ଷ ଟଙ୍କା ପ୍ରଦାନ, ବାର୍ଦ୍ଧକ୍ୟ, ବିଧବା ଓ ଭିନ୍ନକ୍ଷମ ଭତ୍ତା ଆବେଦନକାରୀଙ୍କୁ ଭତ୍ତା ନପାଇବା ଯାଏଁ ଜିଲ୍ଲା ଖଣିଜ ପ୍ରତିଷ୍ଠାନରୁ ପ୍ରଦାନ, ସରପଞ୍ଚଙ୍କ ମାସିକ ଭତ୍ତା ୨୩୫୦ ଟଙ୍କାରୁ ୧୫ ହଜାରକୁ ବୃଦ୍ଧି, ପେନସନ, କାର୍ଯ୍ୟକାଳ ସମୟରେ ପ୍ରାଣ ହରାଇଥିବା ସରପଞ୍ଚଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କାର ସହାୟତା ଆଦି ଦାବି ରହିଥିବା ସଂଘ ସଭାପତି ଉଗ୍ରସେନ କିସାନ ସୂଚନା ଦେଇଥିଲେ।
ଏହା ସହ ଆଗାମୀ ଦିନରେ ପଶ୍ଚିମ ଓଡ଼ିଶା ସରପଞ୍ଚ ସଂଘ ସମୂହକୁ ନେଇ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି କହିଥିଲେ। କରୋନା ସମୟରେ ସରପଞ୍ଚମାନଙ୍କୁ ଜିଲ୍ଲାପାଳ କ୍ଷମତା ଦେଇଥିବା ସରକାର ଏବେ ତୃଣମୂଳସ୍ତରରର ଗଣତନ୍ତ୍ର ପ୍ରତି ଅବହେଳା କରୁଥିବା ସଭାପତି ଶ୍ରୀ କିସାନ ଅଭିଯୋଗ କରି ସରକାରଙ୍କ ଆଭିମୁଖ୍ୟକୁ ସମାଲୋଚନା କରିଥିଲେ। ଏହି ଅବସରରେ ସଂଘ କର୍ମକର୍ତ୍ତା ଓ ୫୦ରୁ ଅଧିକ ସଦସ୍ୟ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ସାମ୍ବାଦିକ ସମ୍ମିଳନୀରେ ସାଧାରଣସମ୍ପାଦକ ତ୍ରିଲୋଚନ ପ୍ରଧାନ, ଉପସଭାପତି ଅଜିତ ତିର୍କୀ, ଲକ୍ଷ୍ମୀପ୍ରିୟା ଲାକ୍ରା, କୋଷାଧ୍ୟକ୍ଷ ବିନୟଭୂଷଣ ବାର୍ଲା, ସହ କୋଷାଧ୍ୟକ୍ଷ ସଚିନ ଏକ୍କା, ସହସମ୍ପାଦକ ଅର୍ଜୁନ ଏକ୍କା, ଏମାନ୍ତୁସ କୁଜୁର, ଲଳିତ ଲାକଡା, ଦେବଲାଲ ଲାକଡା, ଗୋବର୍ଦ୍ଧନ ହାହା ପ୍ରମୁଖ ଉପସ୍ଥିତ ଥିଲେ।