ବିଏସ୍ଏ‌ଫ ଆଇଜିଙ୍କ ମାଲକାନଗିରି ଗସ୍ତ ବିଭିନ୍ନ ବିଏସଏଫ କ୍ୟାମ୍ପ ପରିଦର୍ଶନ

ମାଓ ଦମନ ନେଇ ପୁଲିସ ସହ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ

ମାଲକାନଗିରି: ମାଲକାନଗିରିକୁ ଦୁଇ ଦିନିଆ ଗସ୍ତରେ ବିଏସ୍ଏ‌ଫ ଆଇଜି ମଧୁସୂଦନ ଶର୍ମାଙ୍କ ଗସ୍ତ। ମାଲକାନଗିରି ଜିଲ୍ଲାର ବିଭିନ୍ନ ଦୁର୍ଗମ ଅଂଚଳରେ ଅବସ୍ଥାପିତ ହୋଇଥିବା ବିଏସ୍ଏ‌ଫ କ୍ୟାମ୍ପରେ ପହଞ୍ଚି ଯବାନଙ୍କ ସହ ସାକ୍ଷାତ କରି ମାଓ ଦମନ ନେଇ ରଣନୀତି ପ୍ରସ୍ତୁତ କରିଛନ୍ତି।ଆଇଜି ଶ୍ରୀ ଶର୍ମାଙ୍କ ସହ ମାଲକାନଗିରି ସେକ୍ଟରର ଡିଆଇଜି ସଂଜୟ କୁମାର ସିଂହ, ଅପରେସନ ଡିଆଇଜି ଅର୍ଜୁନ ସିଂହ ରାଠୋର, ଗୁଇନ୍ଦା ଡିଆଇଜି ସୁକୁମାର ଷଡଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ।

ମାଲକାନଗିରି ଜିଲ୍ଲାର ଆନ୍ଧ୍ର ଓଡିଶା ବଡର ଏବଂ ଓଡିଶା ଛତିଶଗଡ ବଡ଼ର ବୁଲି ଦେଖିଥିଲେ। ସ୍ବାଭିମାନ ଅଂଚଳର ଜାନବାଇ ଏବଂ ଡାଇକ-୩ ଠାରେ ଅବସ୍ଥାପିତ ହୋଇଥିବା ବିଏସ୍ଏ‌ଫ କ୍ୟାମ୍ପରେ ପହଞ୍ଚି ନକ୍ସଲଙ୍କ ଗତିବିଧି ଏବଂ ବଡର ଅଂଚଳରେ କିପରି ନକ୍ସଲଙ୍କୁ ଦମନ କରାଯିବ ସେନେଇ ଆଲୋଚନା କରିଥିଲେ। ପରେ ଆନ୍ଧ୍ର ଓଡିଶା ବଡରର ଏମଭି-୭୯ ଅଂଚଳ ଗସ୍ତ କରି ସେଠାରେ ମଧ୍ୟ ଯବାନଙ୍କ ମନବଳ ବଢାଇବା ସହ ଆଗକୁ କି କି ରଣନୀତି ପ୍ରସ୍ତୁତ କରାଯିବ ସେନେଇ ଆଲୋଚନା କରିଥିଲେ। ତୁଳସୀ ପାହାଡ ନିକଟରେ ରହିଥିବା କର୍ତ୍ତନପାଲୀ ଠାରେ ପହଞ୍ଚି ଓଡିଶା ଛତିଶଗଡ ବଡରରେ ହେଉଥିବା ବହୁ ନକ୍ସଲ ହିଂସାକୁ ରୋକିବା ନେଇ ମଧ୍ୟ ବିସ୍ତୁତ ଆଲୋଚନା କରିଥିଲେ। ଏହି ଅଂଚଳରେ ନକ୍ସଲଙ୍କର ଦବଦବା ବେଶୀ ରହିଥିବାରୁ କିପରି ତାକୁ କିପରି ପ୍ରତିହତ କରାଯିବ ସେନେଇ ଅଧିକାରୀ ମାନଙ୍କ ସହ ରୁଦ୍ଧଦ୍ବାର ବୈଠକରେ ଆଲୋଚନା କରିଥିଲେ।

Sambad

ସେ ସମସ୍ତ ସ୍ବାଭିମାନ ଅଂଚଳକୁ ହେଲିକାପ୍ଟର ଯୋଗେ ଉଡି ଦେଖିଥିଲେ। ସେହିପରି ଛତିଶଗଡ ସୀମାରେ ମଧ୍ୟ ହେଲିକେପ୍ଟର ଯୋଗେ ବୁଲି ଦେଖିଥିଲେ। ପରେ ସେ ମାଲକାନଗିରିରେ ପହଞ୍ଚି ଜିଲ୍ଲା ପୁଲିସ ଅଧିକାରୀ ମାନଙ୍କ ସହ ବୈଠକରେ ଯୋଗ ଦେଇ କିପରି ପୁଲିସ ଏବଂ ବିଏସ୍ଏ‌ଫ ମିଳିତ ଭାବେ ସମନ୍ବୟ ରକ୍ଷାକରି ନକ୍ସଲ ଦମନ କରିବେ ସେନେଇ ମଧ୍ୟ ଆଲୋଚନା କରିଥିଲେ।

କୋଭିଡ ମହାମାରୀ ସଂପର୍କରେ ମଧ୍ୟ ଯବାନଙ୍କୁ ସତର୍କ କରାଇଥିଲେ। ଗତ ୨୦୧୦ ମସିହାରୁ ମାଲକାନଗିରି ଏବଂ କୋରାପୁଟ ଅଂଚଳରେ ବିଏସ୍ଏ‌ଫ ଅବସ୍ଥାପିତ ହେବା ପରେ ନକ୍ସଲଙ୍କ ଉତ୍ପାତ କମିଛି। ଏଥିସହ ମାଓବାଦୀଙ୍କର ଷ୍ଟ୍ରେଟେଜିକୁ ମଧ୍ୟ ଭାଙ୍ଗିବାରେ ସଫଳ ହୋଇଥିବା କୁହାଯାଇଛି। ମାଲକାନଗିରି ଜିଲ୍ଲାର ଦୁର୍ଗମ ଅଂଚଳରେ କିପରି ନକ୍ସଲ କବଳରୁ ଲୋକେ ରକ୍ଷା ପାଇବେ ସେଥିପ୍ରତି ଦୃଷ୍ଟି ଦେବା ସହ ମାଲକାନଗିରି ସହରରେ ମଧ୍ୟ ଲୋକେ ଶାନ୍ତିରେ ଶୋଇପାରିବେ ସେଥିରେ ବିଏସ୍ଏ‌ଫ ସଫଳ ହୋଇଛି। ସ୍ବାଭିମାନ ଅଂଚଳରେ ଆଜି ବିକାଶ ପହଞ୍ଚିବାରେ ମୁଖ୍ୟ ଭୁମିକା ବିଏସ୍ଏ‌ଫ ନେଇଛି। ଯାହାକୁ ଅସ୍ବୀକାର କରାଯାଇପାରିବ ନାହିଁ। ବିଏସ୍ଏ‌ଫ ନିଜକୁ ଧନ୍ୟ ମନେ କରୁଛି ଯେ ମାଲକାନଗିରି ଜିଲ୍ଲାର ବିକାଶରେ ସେ ଭାଗିଦାରୀ ହୋଇପାରିଛି।

ସମ୍ବନ୍ଧିତ ଖବର