ରାୟଗଡ଼ାରେ ସିଆରପିଏଫ୍ ଆଇଜି : ମାଓ ମୁକାବିଲାର ସମୀକ୍ଷା କରିବେ, ସୁରକ୍ଷା କଡାକଡ଼ି

ରାୟଗଡ଼ା: ମାଓବାଦୀଙ୍କ ସହିଦ ସପ୍ତାହ ଶେଷ ହେବା ପରେ ଦୁଇ ଦିନିଆ ରାୟଗଡ଼ା ଗସ୍ତରେ ଆସିଛନ୍ତି ସିଆରପିଏଫ୍ ଆଇଜି ଏସ୍. କେ. ମହାନ୍ତି। ମାଓ ମୁକାବିଲାକୁ ଜୋରଦାର କରିବା ପାଇଁ ଆଇଜି ଶ୍ରୀ ମହାନ୍ତି ମୁନିଗୁଡ଼ା ଓ ରାୟଗଡ଼ାରେ ଅବସ୍ଥାପିତ ସିଆରପିଏଫର ଦୁଇ ବ୍ୟାଟାଲିୟନ୍ କମାଣ୍ଡାଣ୍ଟଙ୍କ ସହ ଆଲୋଚନା କରିବେ। ଆଇଜିଙ୍କ ଗସ୍ତକୁ ଆଖିରେ ରଖି କଳାହାଣ୍ଡି-କନ୍ଧମାଳ-କୋରାପୁଟ ସୀମାନ୍ତରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ମୁନିଗୁଡ଼ା ସ୍ଥିତ ୮ମ ବ୍ୟାଟାଲିୟନ୍‌ରେ ଆଇଜି ଶ୍ରୀ ମହାନ୍ତି ଆଜି ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି। ବ୍ୟାଟାଲିୟନ୍ ଅଧୀନରେ ଥିବା ୮ କମ୍ପାନି ଫୋର୍ସ କଳାହାଣ୍ଡି-କନ୍ଧମାଳ ଜିଲ୍ଲା ସୀମାନ୍ତକୁ ସଂଯୋଗ ହୋଇଥିବା ଦୁର୍ଗମ ଇଲାକାରେ ନିୟୋଜିତ ହୋଇଥିବାରୁ ମାଓବାଦୀଙ୍କ ଗତିବିଧି ଏବଂ ଫୋର୍ସ ମୁଭମେଣ୍ଟ୍ ଉପରେ ଆଇଜି ଟିକନିକ୍ ଭାବେ ତଦାରଖ କରିଛନ୍ତି।

ମୁନିଗୁଡ଼ା, ବିଷମକଟକ, ଚନ୍ଦ୍ରପୁର, ଗୁଡାରି, ହନୁମନ୍ତପୁର, ଡାଙ୍ଗସୋରଡା, ବିଜାପୁର ଅଞ୍ଚଳ‌ରେ ୮ମ ବ୍ୟାଟାଲିୟନ୍ ଯବାନ ମାଓ ମୁକାବିଲା କ୍ଷେତ୍ରରେ ନିୟୋଜିତ ଅଛନ୍ତି। କଳାହାଣ୍ଡି, କନ୍ଧମାଳ ଜିଲ୍ଲାରେ ମାଓ ସଂଗଠନ ସକ୍ରିୟ ଥିବାରୁ ଅଘଟଣ ରୋକିବା ସହ ମାଓବାଦୀଙ୍କୁ ଚେକ୍ ଦେବାକୁ ସିଆରପିଏଫ୍ ପକ୍ଷରୁ ବଡ଼ ଧରଣର ରଣନୀତି ପ୍ରସ୍ତୁତ ହୋଇଛି। ଅଗଷ୍ଟ ୭ ତାରିଖରେ ରାୟଗଡ଼ା ସୀମାନ୍ତକୁ ଲାଗିଥିବା କଳାହାଣ୍ଡି ଜିଲ୍ଲାର ତ୍ରିଲୋଚନପୁର ଜଙ୍ଗଲରୁ ୪ର୍ଥ ବ୍ୟାଟାଲିୟନ୍ ସିଆରପିଏଫ୍ ଯବାନ ଦୁଇଟି ଦେଶୀ ବନ୍ଧୁକ ସହ ଗୁଳି, ଟିଫିନ୍ ବୋମା, ଜିଲୋଟିନ୍, ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ସହ ସହିଦ ସପ୍ତାହକୁ ସଫଳ କରିବା ପାଇଁ ଲାଗିଥିବା ମାଓ ପୋଷ୍ଟର ଜବତ କରିଥିଲେ। ସେହିପରି ଗତ କିଛିଦିନ ତଳେ କନ୍ଧମାଳ ଜିଲ୍ଲାର ରାଇକିଆରୁ-କୋଟଗଡ଼କୁ ସଂଯୋଗ ହୋଇଥିବା ଜଙ୍ଗଲରେ ପୁଲିସ୍-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା।

ଦୁଇଦିନ ଧରି ଚାଲିଥିବା ଗୁଳି ବିନିମୟରେ ମାଓବାଦୀ ଛତ୍ରଭଙ୍ଗ ଦେଇଥିବା ବେଳେ ପୁଲିସ୍ ବ୍ୟାପକ ମାଓ ସାମଗ୍ରୀ ଜବତ କରିଥିଲା। କମ୍ବିଂ ଅପରେସନ୍ ଜୋରଦାର୍ ପରେ ମାଓବାଦୀ ରାୟଗଡ଼ା-କଳାହାଣ୍ଡି ସୀମାନ୍ତ ଜଙ୍ଗଲରେ ଆତ୍ମଗୋପନ କରିଥିବାରୁ ଦୁଇ ଜିଲ୍ଲାର ପୁଲିସ୍ ଫୋର୍ସ ସମେତ କେନ୍ଦ୍ରୀୟ ଯବାନ ମାଓବାଦୀଙ୍କ ଗତିବିଧି ଉପରେ ତୀକ୍ଷଣ ନଜର ରଖିଛନ୍ତି। ଏବେ ବି ଉଭୟ ଜିଲ୍ଲାର ସୀମାନ୍ତ ଜଙ୍ଗଲରେ ସିଆରପିଏଫ୍ ପକ୍ଷରୁ କମ୍ବିଂ ଓ ସର୍ଚ୍ଚ ଅପରେସନ୍ ଚାଲିଛି। ୮ମ ବ୍ୟାଟାଲିୟନ୍‌ର ସମୀକ୍ଷା ସାରି ଶୁକ୍ରବାର ସକାଳେ ଆଇଜି ଶ୍ରୀ ମହାନ୍ତି ରାୟଗଡ଼ା ଗସ୍ତରେ ଆସି ଜିଲ୍ଲା ମୁଖ୍ୟାଳୟରେ ଅବସ୍ଥାପିତ ୪ର୍ଥ ବ୍ୟାଟାଲିୟନ୍ କ୍ୟାମ୍ପ ପରିଦର୍ଶନ କରିବେ। ବ୍ୟାଟାଲିୟନ୍ ଅଧୀନରେ ଥିବା ୮ କମ୍ପାନି ଫୋର୍ସ ମାଓ ମୁକାବିଲାରେ ନିୟୋଜିତ ଅଛନ୍ତି। ଦୁଇ କଂପାନି ରାୟଗଡ଼ା ସୀମାନ୍ତ ନିୟମଗିରି ପାହାଡ଼କୁ ଲାଗିଥିବା କଳାହାଣ୍ଡି ଜିଲ୍ଲାର ବିଜେପୁର, ତ୍ରିଲୋଚନପୁରରେ ନିୟୋଜିତ ହୋଇଥିବା ବେଳେ ଅନ୍ୟ ଗୋଟିଏ କମ୍ପାନି ଶ୍ରୀନଗର ଏବଂ ୫ କଂପାନି ଫୋର୍ସ ରାୟଗଡ଼ାରେ ଅଛନ୍ତି। କ୍ୟାମ୍ପ ପରିସରରେ ମାଓ ମୁକାବିଲା ନେଇ ହେବାକୁ ଥିବା ଉଚ୍ଚସ୍ତରୀୟ ବୈଠକରେ ଜିଲ୍ଲାର ବରିଷ୍ଠ ପୁଲିସ୍ ଅଧିକାରୀଙ୍କ ସମେତ ବିଏସଏଫ୍ ଅଧିକାରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ନିୟମଗିରି ଇଲାକାରେ ମାଓବାଦୀଙ୍କ ଦବ୍‌ଦବା ରହୁଥିବାରୁ ମିଳିତ ମୁକାବିଲା ନେଇ ବୈଠକରେ ଆଲୋଚନା ହୋଇପାରେ।

ସମ୍ବନ୍ଧିତ ଖବର