ଜଣେ ଅଭିଯୁକ୍ତ ପଜିଟିଭ ଚିହ୍ନଟ, ୮ କର୍ମଚାରୀଙ୍କ ସମେତ ଗୃହ ସଂଗରୋଧରେ ରହିଲେ ଥାନା ଅଧିକାରୀ

ବ୍ରହ୍ମପୁର: ଡକାୟତି ମାମଲାରେ ଗିରଫ ଜଣେ ଅଭିଯୁକ୍ତ କରୋନା ପଜିଟିଭ ଚିହ୍ନଟ ହେବା ପରେ ଥାନା ଅଧିକାରୀଙ୍କୁ ଗୃହ ସଂଗରୋଧରେ ରହିବାକୁ ପଡ଼ିଛି। ସୂଚନା ଅନୁସାରେ ବ୍ରହ୍ମପୁର ବଡ଼ବଜାର ଥାନା ପୁଲିସ ଗତ ୨୨ ତାରିଖରେ ଡକାୟତି ମାମଲାରେ ୨ ଜଣ ଫେରାର ଅଭିଯୁକ୍ତ ଗିରଫ କରିଥିଲା। ଗିରଫ ୨ ଅଭିଯୁକ୍ତଙ୍କ ମଧ୍ୟରୁ ଗତକାଲି ଜଣଙ୍କର ନମୁନା ରିପୋର୍ଟ ପଜିଟିଭ ଆସିଥିଲା।

ଜଣେ ଅଭିଯୁକ୍ତଙ୍କ ନମୁନା ରିପୋର୍ଟ ଆସିବା ପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆଦେଶ ଆସିଥଲା ଯେ, ସଂପୃକ୍ତ ଅଭିଯୁକ୍ତଙ୍କ ସଂସ୍ପର୍ଶରେ ଯେଉଁ ପୁଲିସ କର୍ମଚାରୀମାନେ ଆସିଛନ୍ତି, ସେମାନେ ସଂଗରୋଧରେ ରୁହନ୍ତୁ। ଫଳରେ ବଡ଼ବଜାର ଥାନା ଅଧିକାରୀଙ୍କ ସମେତ ୮ ଜଣ କର୍ମଚାରୀ ଗୃହ ସଂଗରୋଧରେ ରହିଛନ୍ତି।

ତେବେ ଗଂଜାମ ଜିଲ୍ଲାରେ ବିଭିନ୍ନ ମାମଲା ସହିତ ଜଡ଼ିତ ଗିରଫ ହୋଇଥିବା ୯ ଜଣ ଅଭିଯୁକ୍ତ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଜରଡ଼ା ଥାନାରୁ ୨ ଜଣ, ଅବକାରୀ ବିଭାଗ ଦ୍ୱାରା ଗିରଫ ଜଣେ ଅଭିଯୁକ୍ତ, ପୁରୁଷୋତ୍ତମପୁର ଥାନା ଦ୍ୱାରା ଜଣେ ଅଭିଯୁକ୍ତ ଓ ବଡ଼ବଜାର ଥାନା ଅଂଚଳରୁ ଜଣେ ଅଭିଯୁକ୍ତ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ଗଂଜାମ ଜିଲ୍ଲାରେ କରୋନା ଭାଇସର ସଂକ୍ରମିତଙ୍କ ସଂଖ୍ୟା ସର୍ବାଧିକ ୧୦୮୮। ଗତ ମେ’ ମାସ ୩ ତାରିଖରେ ଜିଲ୍ଲାରୁ ପ୍ରଥମ ଥର ପାଇଁ ୨ ଜଣ ଯୁବକ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଏହା ପରଠାରୁ ଜିଲ୍ଲାରୁ ଏପର୍ଯ୍ୟନ୍ତ ୧ ହଜାର ୮୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗୋଟିଏ ଦିନରେ ସର୍ବାଧିକ ୭୫ ଜଣ କରୋନା ଆକ୍ରାନ୍ତ ମଧ୍ୟ ଏହି ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି। ଜିଲ୍ଲାରୁ ୭୬୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୮ ଜଣଙ୍କର ମୃତ୍ୟୁ ହୋଇସାରିଛି। ଅପରପକ୍ଷେ ଏବେବି ୩୧୨ ଜଣ ସକ୍ରିୟ ଆକ୍ରାନ୍ତ କୋଭିଡ-୧୯ ହସ୍‌ପିଟାଲରେ ଚିକିତ୍ସାଧୀନ ଅଛନ୍ତି।

ସମ୍ବନ୍ଧିତ ଖବର