ସୁନ୍ଦରଗଡ଼: ସୁନ୍ଦରଗଡ଼ର ପୁଅ ଆଇଏଏସ ଏଡୱିନ କୁଳଭୂଷଣ ମାଝୀଙ୍କ କରୋନା ସଂକ୍ରମଣରେ ସୋମବାର ରାତି ସାଢ଼େ ୮ଟାରେ ପରଲୋକ ହୋଇଯାଇଛି। ସେ ସଂକ୍ରମିତ ହେବା ପରେ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। କୁଳଭୂଷଣଙ୍କ ବିୟୋଗରେ କେରଳ ମୁଖ୍ୟମନ୍ତ୍ରୀ ପିନାରୟୀ ବିଜୟନ ଗଭୀର ଶୋକ ପ୍ରକାଶ କରିଛନ୍ତି। ସୁନ୍ଦରଗଡ଼ ଜିଲ୍ଲା ସବଡେଗା ବ୍ଲକ ହମିରପୁର ପଞ୍ଚାୟତ ଛତାସର୍ଗି ଗାଁର କୁଳଭୂଷଣ ପୂର୍ବତନ ତଳସରା ବିଧାୟକ ତଥା ମନ୍ତ୍ରୀ ସ୍ବର୍ଗତ ଇଗ୍ନେଶ ମାଝୀଙ୍କ ବଡ଼ ପୁଅ। ୧୯୮୯ ବ୍ୟାଚର କେରଳ କ୍ୟାଡରର ଆଇଏଏସ୍ ଅଧିକାରୀ କୁଳଭୂଷଣ ଡେପୁଟେସନରେ ଆସି ସମ୍ପ୍ରତି କେନ୍ଦ୍ର ସରକାରଙ୍କ ଅଧୀନରେ ଖାଦ୍ୟ ଓ ଖାଉଟି ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଭାବେ କାର୍ଯ୍ୟରତ ଥିଲେ।

Advertisment

ଏହା ପୂର୍ବରୁ ସେ ତିରୁବନ୍ତପୁରମ ଜିଲ୍ଲାପାଳ, କେରଳ ରାଜସ୍ବ ବିଭାଗ ପ୍ରମୁଖ ସଚିବ, କୃଷି ବିଭାଗ ସଚିବ ଭାବେ କାର୍ଯ୍ୟ କରିଥିଲେ। ସେ ବାପାମାଙ୍କ ସହ ସୁନ୍ଦରଗଡ଼ ସହର ପଞ୍ଚମୁଖୀ ହନୁମାନ ନିକଟ ଗାୟତ୍ରୀ ମନ୍ଦିର ରୋଡ୍ରେ ରହୁଥିଲେ। ୧୯୮୦ରେ ସୁନ୍ଦରଗଡ଼ ସ୍ଥିତ ଭବାନୀଶଙ୍କର ହାଇସ୍କୁଲରେ ସେ ସ୍କୁଲ ପାଠ ଓ ୧୯୮୪ରେ ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟରେ କଲେଜ ପାଠ ଶେଷ କରିଥିଲେ। ତାଙ୍କ ବିୟୋଗରେ ସୁନ୍ଦରଗଡ଼ରେ ଶୋକର ଛାୟା ଖେଳି ଯାଇଛି।