ବେଆଇନ ଭାବେ ୫ ବର୍ଷ ଧରି ଚାଲିଥିଲା କ୍ରସର, ସିଲ୍ କଲା ରାଜସ୍ବ ବିଭାଗ

୩ ଟ୍ରାକ୍ଟର, ଗୋଟିଏ ଟିପର ସମେତ ଜେସିବି ଜବତ

ରାୟଗଡ଼ା: ସରକାରୀ କାଗଜପତ୍ରରେ ବନ୍ଦ। ବାସ୍ତବରେ କିନ୍ତୁ ଚାଲିଥିଲା। ବର୍ଷେ କି ଦୁଇ ବର୍ଷ ନୁହଁ, ଉପଜିଲ୍ଲାପାଳଙ୍କ ବନ୍ଦ ନିର୍ଦେଶର ୫ ବର୍ଷ ପର୍ଯ୍ୟନ୍ତ ବେଆଇନ ଭାବେ ଚାଲିଥିଲା କ୍ରସର। ତାହା ପୁଣି ତହସିଲ କର୍ତ୍ତୃପକ୍ଷଙ୍କ ନାକ ନିଶ ତଳେ। କୋଟି କୋଟି ଟଙ୍କାର ରାଜସ୍ବ ହାନି ପରେ ଗୁଣପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିର୍ଦେଶରେ ଶେଷରେ ବେଆଇନ କ୍ରସର ଉପରେ ଚଢ଼ାଉ କରିଛନ୍ତି ରାମନାଗୁଡ଼ା ତହସିଲରଦାର ପ୍ରଭାତି ଝୋଡ଼ିଆ। ବେଆଇନ କ୍ରସରକୁ ସିଲ୍ କରିବା ସହ ୫ ଲକ୍ଷ ଜରିମାନା ଆଦାୟ ପାଇଁ ନିର୍ଦେଶ ଦେଇଛନ୍ତି। ବେଆଇନ ଚାଲାଣରେ ନିୟୋଜିତ ୩ଟି ଟ୍ରାକ୍ଟର, ଗୋଟିଏ ଟିପର ଓ ଜେସିବି ମେସିନକୁ ଜବତ କରି ରାମନାଗୁଡ଼ା ପୁଲିସକୁ ହସ୍ତାନ୍ତର କରିଛନ୍ତି ତହସିଲଦାର।

ରାମନାଗୁଡ଼ା ତହସିଲ ଗୋସେଇଁଗୁଲୁମୁଣ୍ଡା ରାଜସ୍ବ ସର୍କଲର ସୋରିଷପଦର ମୌଜାରେ ରହିଛି ଶିବାନନ୍ଦ ଷ୍ଟୋନ୍ କ୍ରସର। ପରିବେଶ ପ୍ରମାଣପତ୍ର, ଏନଓସି, ସଠିକ୍ କାଗଜପତ୍ର ନଥିବା କାରଣରୁ ୨୦୧୭ ମସିହାରେ ତତ୍କାଳୀନ ଗୁଣପୁର ଉପଜିଲ୍ଲାପାଳ ଷ୍ଟୋନ୍ କ୍ରସରକୁ ବନ୍ଦ କରିବା ପାଇଁ ନିର୍ଦେଶ ଦେଇଥିଲେ। ଲିଜ୍ ସମେତ ଆବଶ୍ୟକ ନଥି ପତ୍ର ତହସିଲ କାର୍ଯ୍ୟାଳୟରେ ଦାଖଲ ପରେ କ୍ରସର ଚାଲିବା ଦିଗରେ ପଦକ୍ଷେପ ନେବାକୁ ତହସିଲଦାରଙ୍କୁ ନିର୍ଦେଶ ହୋଇଥିଲା। କିଛି ମାସର ନିରବତା ପରେ କ୍ରସର ମାଲିକ ଉପଜିଲ୍ଲାପାଳଙ୍କ ନିର୍ଦେଶକୁ ଫୁ’ କରି ଉଡ଼ାଇ ଦେଇ ଅସାଧୁ କର୍ମଚାରୀଙ୍କୁ ମାସିକ ଲକ୍ଷାଧିକ ଟଙ୍କାର ହାତଗୁଞ୍ଜା ଦେଇ ବେଆଇନ ଭାବେ କ୍ରସର ଚଲାଇଥିଲା। ୨୦୧୭ରୁ ୨୦୨୨ ଦୀର୍ଘ ୫ ବର୍ଷ ଧରି ରାମନାଗୁଡ଼ା ତହସିଲ ଅଫିସଠୁ ମାତ୍ର ୨ କିମି ଦୂରରେ ଚାଲିଥିଲା ଏହି ବେଆଇନ କ୍ରସର। ଦୈନିକ ଟନ୍ ଟନ୍ ପଥର କ୍ରସରରେ ଗୁଣ୍ଡ କରି ଧୂଳି, ଧୂଆଁ ଉଡ଼ାଇ ତହସିଲ ଅଫିସ୍ ଦେଇ ଚାଲାଣ ହେଉଥିଲେ ମଧ୍ୟ ସବୁ ଜାଣି କିଛି ନ ଜାଣିଲା ଭଳି ଚୁପ୍ ରହିଥିଲେ ରାମନାଗୁଡ଼ା ତହସିଲ କର୍ତ୍ତୃପକ୍ଷ। ବହୁ ଅଭିଯୋଗ ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିଲେ।

ଗୁଣପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏ ନେଇ ପୁଣି ଅଭିଯୋଗ ପହଞ୍ଚିବା ପରେ ତୁରନ୍ତ ଏ ଦିଗରେ ପଦକ୍ଷେପ ନେବା ପାଇଁ ନିର୍ଦେଶ ହୋଇଥିଲା। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ହସ୍ତକ୍ଷେପ ପରେ ରାମନାଗୁଡ଼ା ତହସିଲଦାର ପ୍ରଭାତି ଝୋଡ଼ିଆ କ୍ରସର ମାଲିକଙ୍କୁ ରୟାଲିଟ୍ ଦାଖଲ କରିବା ପାଇଁ ଦୁଇ ଥର ନୋଟିସ୍ ଜାରି କରିଥିଲେ। ହେଲେ ତହସିଲଦାରଙ୍କ ନୋଟିସକୁ ଖାତିର କରିନଥିଲେ କ୍ରସର ମାଲିକ। କୌଣସି ରୟାଲିଟ୍ ଦାଖଲ ନ କରି ପୂର୍ବବତ୍ କ୍ରସର ଚଲାଇଥିଲେ। ଫଳରେ ରାମନାଗୁଡ଼ା ପୁଲିସ୍ ସହାୟତାରେ କ୍ରସର ଉପରେ ଚଢ଼ାଉ କରି ସିଲ୍ କରିଥିଲେ। ୫ ଲକ୍ଷ ଜରିମାନା ଆଦାୟ ସହ କ୍ରସର ପରିସରରେ ଥିବା ଜେସିବି, ଟିପର ସମେତ ୩ଟି ଟ୍ରାକ୍ଟରକୁ ଜବତ କରି ପୁଲିସକୁ ହସ୍ତାନ୍ତର କରିଛନ୍ତି। ୫ ଲକ୍ଷ ଜରିମାନା ଦାଖଲ ପରେ ଜବତ ଜେସିବି, ଟ୍ରାକ୍ଟର, ଟିପରକୁ ଛାଡ଼ିବାକୁ ପୁଲିସକୁ ନିର୍ଦେଶ ଦେଇଛନ୍ତି ତହସିଲଦାର। ଏଥି ସହିତ କ୍ରସରରୁ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କରିବାକୁ ବିଦ୍ୟୁତ୍ ବିଭାଗକୁ ନିର୍ଦେଶ ହୋଇଛି।

ସମ୍ବନ୍ଧିତ ଖବର