ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବେଆଇନ ଆମ୍ବୁଲାନ୍ସ ମାଲିକଙ୍କ ଦୌରାତ୍ମ୍ୟ !

ଖୋର୍ଦ୍ଧା: ଚାରି ଦିନ ପୂର୍ବେ ଆମ୍ବୁଲାନ୍ସ ଭଡ଼ାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟି ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଖଣ୍ଡା, ଛୁରୀ ବୁଲିଥିଲା । ଆଜି ସଂଧ୍ୟାରେ ପୁଣି ଚିକିତ୍ସାଳୟ ପରିସରରେ ଦୁଇ ଗୋଷ୍ଠୀ ମଧ୍ୟରେ ପାର୍କିଂକୁ ନେଇ ବିବାଦ ହୋଇଛି । ପୁଲିସ ସବୁଦିନ ଭଳି ପହଂଚି ଦୁଇ ଗୋଷ୍ଠୀ ମଧ୍ୟରେ ବୁଝାମଣା କରି ଚାଲିଯାଇଛି । ତେବେ ନିୟମିତ ଆମ୍ବୁଲାନ୍ସ ଚାଳକ ଓ ମାଲିକଙ୍କ ଏଭଳି ଦୌରାତ୍ମ୍ୟରେ ଚିକିତ୍ସାଳୟ ପରିସର ଅଶାନ୍ତ ହେଉଥିଲେ ମଧ୍ୟ ପୁଲିସ-ପ୍ରଶାସନ ନିରବ ରହିବା ସାଧାରଣରେ ଆଶ୍ଚର୍ଯ୍ୟ ସୃଷ୍ଟି କରିଛି ।

୨୦୧୯ରେ ଘରୋଇ ଆମ୍ବୁଲାନ୍ସ ଗାଡ଼ି ପଂଜୀକରଣ ନେଇ କେନ୍ଦ୍ର ସରକାର ନୂତନ ନିୟମାବଳୀ ଜାରି କରିଥିଲେ । ଏହି ନିୟମାବଳୀ ଅନୁସାରେ, ଆମ୍ବୁଲାନ୍ସ ଗୁଡ଼ିକର ବର୍ଗୀକରଣ, ଗୁରୁତର ରୋଗୀଙ୍କୁ ନେଉଥିବା ଆମ୍ବୁଲାନ୍ସରେ ଜଣେ ପ୍ରଶିକ୍ଷିତ ଟେକ୍ନିସିଆନ୍, ଯାନରେ ଆପତ୍କାଳୀନ ପରିସ୍ଥିତିରେ ସ୍ୱାସ୍ଥ୍ୟ ସେବା ଯୋଗାଇଦେବାକୁ ଅକ୍ସିଜେନ୍ ସିଲିଣ୍ଡର ଆଦି ସର୍ବନିମ୍ନ ଯାନ୍ତ୍ରିକ ସୁବିଧା ରଖିବା ଆଦି ବାଧ୍ୟତାମୂଳକ କରାଯାଇଥିଲା । ଏହାସହ ଆମ୍ବୁଲାନ୍ସଗୁଡ଼ିକ ପୁନଃପଂଜୀକରଣ କରିବାକୁ କୁହାଯାଇଥିଲା ।

କିନ୍ତୁ ଖୋର୍ଦ୍ଧା ଜିଲ୍ଲାରେ ଏହି ନିୟମାବଳୀର କୌଣସି ପ୍ରଭାବ ପଡ଼ିନାହିଁ । ବର୍ତମାନ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସରକାରୀ ଆମ୍ବୁଲାନ୍ସ ସେବା ବ୍ୟତୀତ ୬୦ରୁ ଉର୍ଦ୍ଧ୍ବ ଘରୋଇ ଆମ୍ବୁଲାନ୍ସ ସେବା ଯୋଗାଉଛନ୍ତି । ଆମ୍ବୁଲାନ୍ସ ମାଲିକ ରୋଗୀଙ୍କ ଠାରୁ ମୋଟ ଅଙ୍କରେ ଭଡ଼ା ଆଦାୟ କରୁଥିବା ମଧ୍ୟ ଦେଖିବାକୁ ମିଳୁଛି । ଖୋର୍ଦ୍ଧାରୁ ଭୁବନେଶ୍ୱର ପାଇଁ ରୋଗୀ ପିଛା ୧ହଜାରରୁ ୨ହଜାର ଟଙ୍କା ଦାବି କରାଯାଉଛି । କେବଳ ଏହାନୁହେଁ ଅଧିକାଂଶ ଆମ୍ବୁଲାନ୍ସରେ ସରକାରଙ୍କ ନିୟମାବଳୀ ଅନୁସାରେ ସାଧାରଣ ସୁବିଧା ମଧ୍ୟ ନାହିଁ । ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ଅର୍ଦ୍ଧାଧିକ ଆମ୍ବୁଲାନ୍ସ ବିନାପଂଜୀକରଣରେ ଚାଲିଛି ।

ନିୟମିତ ଭାବେ ଆମ୍ବୁଲାନ୍ସର ପାର୍କିଂ, ରୋଗୀଙ୍କୁ ନେବା ଆଦିକୁ ନେଇ ଗଣ୍ଡଗୋଳ ହେଉଛି । ଏନେଇ ହସ୍ପିଟାଲ୍ କର୍ତୃପକ୍ଷ ଏକାଧିକ ଥର ଜିଲ୍ଳାପାଳ ଓ ଜିଲ୍ଲା ପୁଲିସଙ୍କୁ ଅବଗତ କରାଇଥିଲେ ମଧ୍ୟ ଏଯାଏଁ କୌଣସି ପଦକ୍ଷେପ ନିଆଯାଉନାହିଁ । ଗୋଟିଏ ପଟେ ଆମ୍ବୁଲାନ୍ସର ଲାଇସେନ୍ସ ଆଦି ଯାଂଚ ଆର୍ଟିଓର କାମ ବୋଲି ପୁଲିସ ନିଜ ମୁଣ୍ଡରୁ ଦୋଷ ଝାଡ଼ିଦେଉଥିବା ବେଳେ ଆର୍ଟିଓ ନିଜ ନିକଟରେ ଆବଶ୍ୟକ ମାନବସମ୍ବଳ ନଥିବା କହି ଘଟଣାକୁ ଏଡ଼ାଇ ଦେବାକୁ ଚେଷ୍ଟା କରୁଛି ।

ସମ୍ବନ୍ଧିତ ଖବର