ବେଆଇନ କ୍ରସର ସିଲ୍ ଧର୍ମକୁ ଆଖି ଠାର ବାହାରୁ ତାଲା, ଭିତରେ ଖୋଲା!

ସରକାରୀ ଜମିରେ କ୍ରସରକୁ ତିଆରି ହୋଇଛି ରାସ୍ତା, ୩ ରାଜସ୍ବ ସର୍କଲ୍ ଦେଇ ଚାଲିଛି ଚୋରା ଚାଲାଣ

ରାୟଗଡ଼ା: ଲାଇସେନସ୍ ରଦ୍ଦ ସତ୍ତ୍ବେ ଚାଲିଥିଲା କ୍ରସର। ସରକାରୀ ନିର୍ଦେଶନାମା, ଆଇନକୁ ଉଲ୍ଲଂଘନ କରି ନିଜ ମର୍ଜିରେ ଚଲାଇଥିଲେ ଲିଜଧାରୀ। କ୍ରସରରୁ ସରକାରୀ ତହବିଲକୁ ଟଙ୍କାଟିଏ ରାଜସ୍ବ ଆସୁନଥିବା ବେଳେ ଲିଜଧାରୀ କିନ୍ତୁ ମାଲେମାଲ୍। ଏପରିକି ଚଞ୍ଚକତା କରି ଲାଇସେନସ୍ ନଥିବା କ୍ରସରକୁ ଗତ ୫ ବର୍ଷରେ ୩ ଜଣଙ୍କୁ ସବ୍ ଲିଜରେ ପ୍ରଦାନ କରିଛନ୍ତି ଲିଜଧାରୀ। ତହସିଲଦାର ପ୍ରଭାତି ଝୋଡ଼ିଆଙ୍କ ପଦକ୍ଷେପ ପରେ କ୍ରସର ମାଲିକଙ୍କ ଏପରି ଗୋଟିଏ ପରେ ଗୋଟିଏ ବେଆଇନ କାର୍ଯ୍ୟର ଗୁମର ପଦାକୁ ଆସିବାରେ ଲାଗିଛି। ରାମନାଗୁଡ଼ା ତହସିଲ ଗୋସେଇଁ ଗୁଲୁମୁଣ୍ଡା ରାଜସ୍ବ ସର୍କଲର ସୋରିଷପଦର ମୌଜାରେ ଥିବା ଶିବାନନ୍ଦ ‌ଷ୍ଟୋନ୍ କ୍ରସର ଦିନେଶ ସିଂହଙ୍କ ମାଲିକାନାରେ ରହିଛି। ରାୟଗଡ଼ା ବ୍ଲକ ଚାନ୍ଦିଲି ପଞ୍ଚାୟତର ଦିନେଶ ଅଢ଼େଇ ଏକର ପରିମିତ ଜାଗାରେ ୨୦୧୪ରୁ ସୋରିଷପଦରରେ ଆରମ୍ଭ କରିଥିଲେ କ୍ରସର। ବେଆଇନ କାର୍ଯ୍ୟ ପାଇଁ ୨୦୧୭ରେ ଗୁଣପୁର ଉପଜିଲ୍ଲାପାଳ ଏହି କ୍ରସର ବନ୍ଦ ପାଇଁ ନିର୍ଦେଶ ଦେଇଥିଲେ। କ୍ରସରକୁ ଲାଗି ଘଞ୍ଚ ଜଙ୍ଗଲ ରହିଥିବା ବେଳେ ପାର୍ଶ୍ବରେ ଚାଷ ଜମି ସହିତ ଦୁଇଟି ଗ୍ରାମ ସାବରଡ଼ା, ସୋରିଷପଦର ରହିଛି। କ୍ରସର ଦ୍ବାରା ଏହି ଦୁଇ ଗ୍ରାମ ବି‌ଶେଷ ଭାବେ ପ୍ରଭାବିତ। ଅଥଚ ଗ୍ରାମବାସୀଙ୍କ କୌଣସି ଅଭିଯୋଗକୁ ଗୁରୁତ୍ବ ଦେଉନଥିଲେ କ୍ରସର ମାଲିକ। ବେଆଇନ ଭାବେ କ୍ରସର ଚଲାଇଥିଲେ।

କ୍ରସରରୁ ମାଲ ପରିବହନ ପାଇଁ ସରକାରୀ ଜମିକୁ ମଧ୍ୟ ଅକ୍ତିଆର କରିବାକୁ ପଛାଇ ନଥିଲେ କ୍ରସର ମାଲିକ। ସାବରଡ଼ା, ସୋରିଷପଦର ମୌଜାର ସରକାରୀ ଜମିରେ କ୍ରସରକୁ ରାସ୍ତା ତିଆରି ହୋଇଥିଲେ ମଧ୍ୟ ଏ ନେଇ ତହସିଲ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନି। ୨୦୧୭ ମସିହାରୁ ହିଁ ପ୍ରଶାସନର ପଦକ୍ଷେପ ଧର୍ମକୁ ଆଖିଠାର ସଦୃଶ୍ୟ ହୋଇଥିବାରୁ କ୍ରସର ମାଲିକ ଅସାଧୁ କର୍ମଚାରୀଙ୍କୁ ହାତବାରିସ୍ କରି ରାଜନୈତିକ ଚାପରେ କ୍ରସରକୁ ଚଲାଇଥିଲେ। ଯାହାକୁ ଜୁଲାଇ ୭ ତାରିଖରେ ପୁଣି ସିଲ୍ କରିଛି ରାଜସ୍ବ ବିଭାଗ। ରାମନାଗୁଡ଼ା ତହସିଲଦାର ପ୍ରଭାତି ଝୋଡ଼ିଆ କ୍ରସରକୁ ସିଲ୍ କରିଥିବା ବେଳେ ବାହାରୁ ବନ୍ଦ ଥିବା କ୍ରସର ଭିତରେ ଖୁଲମଖୁଲା ସବୁ କିଛି ଚାଲିଛି। କ୍ରସର ଚର୍ତୁପାର୍ଶ୍ବରେ ପଥର ସହିତ ଭିତରେ ଚିପସ୍, ଗୁଡ଼ି, ଡଷ୍ଟ୍, ମେଟାଲ୍ ମହଜୁଦ୍ ରହିଛି। ୭ରୁ ୮ କର୍ମଚାରୀ କ୍ରସର ଭିତରେ ଚକ୍କର୍ କାଟୁଥିବା ବେ‌ଳେ ସୁବିଧା ସୁଯୋଗ ଦେଖି ଗୁଲୁଣ୍ଠି, ଗୋଗୁପାଡ଼ୁ, ସୋରିଷପଦର ମୌଜାର ବିଭିନ୍ନ ଗାଁ ରାସ୍ତା ଦେଇ ମାଲ୍ ଚୋରା ଚାଲାଣ ହେଉଛି। ଯାହାର ସୁରାକ୍ ପାଇପାରୁନାହାନ୍ତି ତହସିଲ କର୍ତ୍ତୃପକ୍ଷ। ଗ୍ରାମବାସୀଙ୍କ ସୂଚନା ଆଧାରରେ ହିଁ ଚଢ଼ାଉ କରୁଥିବା କର୍ତ୍ତୃପକ୍ଷ କହିଛନ୍ତି। ତେବେ ବେଆଇନ କ୍ରସର ୫ ବର୍ଷ ଧରି ଚାଲିବା ପଛରେ କାହାର ଭୂମିକା ରହିଛି। କାହା ଇଙ୍ଗିତରେ ଲିଜଧାରୀ ର୍ନିଭୟରେ କ୍ରସର ଚଲାଇଥିଲେ ତାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି। ଲିଜଧାରୀଙ୍କ ବେଆଇନ କାର୍ଯ୍ୟ ସମ୍ପର୍କରେ ତହସିଲଦାର ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବା ସହ କ୍ରସର ପରିସରରୁ ଗୋଟିଏ ଜେସିବି, ଟିପର ସହ ୩ଟ ଟ୍ରାକ୍ଟର ଜବତ କରିଛନ୍ତି। ୫ ଲକ୍ଷ ଜରିମାନା ନିର୍ଦେଶ ମଧ୍ୟ ହୋଇଛି।

ସମ୍ବନ୍ଧିତ ଖବର