ଦଶହରା ପଡ଼ିଆ ଓ ବିକ୍ରମ ଦେବ ବିଶ୍ବବିଦ୍ୟାଳୟ ପଡ଼ିଆ ଅସମାଜିକଙ୍କ ପାଲଟିଛି ଆଡ୍ଡା

ଜୟପୁର: ସଂପ୍ରତି ଦଶହରାପଡ଼ିଆ ଓ ବିକ୍ରମ ଦେବ ବିଶ୍ବବିଦ୍ୟାଳୟ ପଡ଼ିଆ ପାଲଟିଛି ଅସମାଜିକଙ୍କ ଆଡ୍ଡା ପାଲଟିଛି। ସହରରେ ଘଟୁଥିବା ବହୁ ଅପରାଧର ବ୍ଲୁ ପ୍ରିଣ୍ଟ ଏବେ ଏହି ଦୁଇ ପଡ଼ିଆରେ ପ୍ରସ୍ତୁତ ହେଉଛି। ଉଭୟ ପଡିଆ ମଧ୍ୟରେ ଲୋକେ ପୂର୍ବରୁ ଯିବା ଆସିବା ଅବାଧରେ ହୋଇ ପାରୁଛି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ଭଙ୍ଗା ଯାଇଥିବା ବିଶ୍ବବିଦ୍ୟାଳୟର ପାଚେରୀରେ ଏପର୍ଯ୍ୟନ୍ତ ଲୁହା ଗେଟ୍ ଲାଗି ପାରି ନାହିଁ। ଅପରପକ୍ଷରେ ଲୋକେ ଅବାଧରେ ଉଭୟ ପଡ଼ିଆରେ ଯିବା ଆସିବା କରୁଛନ୍ତି। ପଡିଆର ବହୁ ସ୍ଥାନରେ ମଦ ବୋତଲ ସହ ଚାଖଣା ପଲିଥିନ୍ ଜରି ଆଦି ବି ପଡ଼ି ରହୁଥିବା ଦେଖିବାକୁ ମିଳିଛି। ସୂଚନାଅନୁଯାୟୀ, ପୂର୍ବରୁ ଦଶହରାପଡ଼ିଆ ଓ ବିଶ୍ବବିଦ୍ୟାଳୟ ପଡ଼ିଆ ମଧ୍ୟରେ ରହିଥିଲା ବିଶାଳ ପାଚେରୀ। ଗତ ୬ମାସ ତଳେ ବିକ୍ରମଦେବ କଲେଜର ୭୫ବର୍ଷ ପୂର୍ତ୍ତି ଅବସରରେ ବିଶ୍ବବିଦ୍ୟାଳୟ ପଡିଆରେ ଉତ୍ସବ ପାଳନ ଉତ୍ସବରେ ମୁଖ୍ୟଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ସହ ୫ଟି ସଚିବ ଭି.କାର୍ତ୍ତିକେୟନ ପାଣ୍ଡିଆନ୍ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀ ଓ ୫ଟି ସଚିବ ସ୍ବତନ୍ତ୍ର ହେଲିକପ୍ଟରରେ ଅବତରଣ କରିବା ପାଇଁ ଦଶହରା ପଡ଼ିଆକୁ ହେଲିପ୍ୟାଡ୍ କରାଯାଇଥିଲା। ମୁଖ୍ୟମନ୍ତ୍ରୀ, ୫ଟି ସଚିବ ଆଦି କାରକେଡରେ ଯିବା ପାଇଁ ପାଚେରୀ ଭଙ୍ଗା ଯାଇଥିଲା। ବିକ୍ରମ ଦେବ ବିଶ୍ବବିଦ୍ୟାଳୟ ପଡିଆରେ ଉତ୍ସବ ପାଇଁ ମଂଚ ତିଆରି କରାଯାଇଥିଲା। ଲକ୍ଷାଧିକ ଟଙ୍କା ବ୍ୟୟ କରି ସେଠାରେ କିଛି ନୂଆ ପାଚେରୀ ନିର୍ମାଣ କରାଯିବା ସହ ଗାଡ଼ି ଯିବା ପାଇଁ ବାଟ ଛଡ଼ାଯାଇଥିଲା। ସେଠାରେ ବଡ଼ ଗେଟର ନିର୍ମାଣ କରାଯିବାର ‌ଯୋଜନା କରାଯାଇଥିଲା। ନିର୍ବାଚନ ସମୟରେ ଉଭୟ ପଡ଼ିଆର ବ୍ୟବହାର ପ୍ରଶାସନ କରିବାକୁ ବି ଯୋଜନା କରିଥିଲା।

ଏହାରି ମଧ୍ୟରେ ୬ମାସ ବିତି ଯାଇଥିଲେ ସୁଦ୍ଧା ପ୍ରଶାସନ ଏଠାରେ ଗେଟ୍ ନିର୍ମାଣ କରିବା କିମ୍ବା ସଂପୁର୍ଣ୍ଣ ରୁପେ ପାଚେରୀକୁ ବନ୍ଦ କରିବା କଥା ଭୁଲି ଯାଇଛନ୍ତି। ସଂପ୍ରତି ପୌରପ୍ରଶାସନ ୨୧ଲକ୍ଷ ଖର୍ଚ୍ଚ କରି ମୁକ୍ତ ଜିମ୍ ଓ ଟ୍ରାକ୍ ଆଦି ଦଶହରା ପଡ଼ିଆରେ ନିର୍ମାଣ କରିଛି। ଦଶହରା ପଡ଼ିଆକୁ ସବୁ ଦିନ ଦେଖାରଖା କରିବା ସହ ସକାଳୁ ଓ ସଂଧ୍ୟାରେ ଗେଟ ଠିକରେ ଖୋଲାଯାଉନି। କିଛି ଲୋକେ ଗଳା‌ବାଟ ଦେଇ ଦଶହରାପଡ଼ିଆରେ ପଶିବା ସହ ବିଶ୍ବବିଦ୍ୟାଳୟ ପଡ଼ିଆକୁ ବି ଯାଉଛନ୍ତି। ଷ୍ଟାଡିୟମ ପରିସରରେ ବିଭିନ୍ନ ବୟସ ବର୍ଗର କ୍ରିକେଟ ଖେଳାଳୀଙ୍କ ଚୟନକୁ ବାଦ ଦେଲେ ଅନ୍ୟ ଖେଳକୁଦ, ଦୌଡକୁଦ୍‌ ପ୍ରତିଯୋଗିତା ପ୍ରଶାସନ ଆୟୋଜନ କରୁଥିବା ନଜିର ନାହିଁ। ପଡିଆର ଚାରିପଟେ ଘାସ ଟିକକ୍ ବି ନାହିଁ। ମଂଚ ଓ ବ୍ୟାୟମଶାଳାର ଅବସ୍ଥା ନ କହିବା ଭଲ। ପୂର୍ବରୁ ବିଶ୍ବବିଦ୍ୟାଳୟର ପଡ଼ିଆକୁ ବହୁ କମ୍ ଲୋକେ ଯାଉଥିବା ବେଳେ ସଂପ୍ରତି ପାଚେରୀ ଖୋଲା ହେବା ପରେ ବହୁ ଲୋକେ ଯାଉଛନ୍ତି। ସେଭଳି ଅସମାଜିକ ମାନେ ଉଭୟ ପଡ଼ିଆରେ ଅନାୟସରେ ରହି ନାନାଦି ଅପରାଧିକ କାର୍ଯ୍ୟକଳାପ କରୁଥିବା ଅଭିଯୋଗ ହୋଇଛି। ଏଭଳିକି କିଛି ବିଦ୍ୟାଳୟକୁ ଯାଉଥିବା ଛୋଟ ଛୋଟ ଛାତ୍ରଛାତ୍ରୀ ମାନେ ଦଶହରାପଡ଼ିଆ ଗେଟ ଉପରେ ଚଢ଼ି ବିପଦସଂକୁଳ ଭାବେ ଓହ୍ଲାଉଥିବା ବି ଦେଖିବାକୁ ମିଳିଛି। ପ୍ରଶାସନ ତୁରନ୍ତ ଏଦିଗରେ ପଦକ୍ଷେପ ନେବାକୁ ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର