ଖୋର୍ଦ୍ଧାରେ ବଢ଼ୁଛି ବେଆଇନ ବଟି ଆଦାୟ, ପୁଲିସ ଚୁପ୍

ଖୋର୍ଦ୍ଧା : ୩-୪ ମାସ ପୂର୍ବେ ଖୋର୍ଦ୍ଧାରେ ବଟି ଆଦାୟ ବିରୋଧରେ ପୁଲିସ ଏକ ଅଭିଯାନ ଚଳାଇଥିଲା । ଥୋକାଏ ଲୋକଙ୍କୁ ଦାଦାବଟି ନିରୋଧ ଆଇନରେ ଗିରଫ କରାଯାଇଥିଲା । କିନ୍ତୁ ବର୍ତମାନ ଖୋର୍ଦ୍ଧା ଗ୍ରାମାଂଚଳରେ ବିଭିନ୍ନ ସ୍ଥାନରେ ରାସ୍ତା ଉପରେ ଗାଡ଼ିମୋଟର ଅଟକାଇ ବଟି ଆଦାୟ କରିବା ବୃଦ୍ଧି ପାଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ, ଏନେଇ ଅନେକ ଥର ବିଭିନ୍ନ ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ ପୁଲିସ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହିଁ ।

ଖୋର୍ଦ୍ଧା-ବ୍ରହ୍ମପୁର ଜାତୀୟ ରାଜପଥରେ ଥିବା ଗୋଡ଼ିପଡ଼ା ଟୋଲଗେଟରେ ଗତ କିଛି ଦିନ ଧରି ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀର ଯୁବକ ହାତରେ ଠେଙ୍ଗାବାଡ଼ି ଧରି ଟ୍ରକ୍ ଆଦି ଠାରୁ ଜୋରଜବରଦସ୍ତି ବଟି ଆଦାୟ କରୁଥିବା ନେଇ ଅଭିଯୋଗ ହୋଇଛି । କେନ୍ଦ୍ର ସରକାରଙ୍କ ଫାଷ୍ଟ୍ ଟ୍ୟାଗ୍ ବ୍ୟବସ୍ଥା ପରେ ମଧ୍ୟ ଟୋଲ୍ ଗେଟ୍ ନିକଟରେ ରାତିରେ ଏଭଳି ବେଆଇନ ବଟି ନେଇ ଅନେକ ସମୟରେ ଟ୍ରକ୍ ଚାଳକ ଓ ଦୁର୍ବୃତ୍ତଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଛି । ଫଳରେ ଗେଟ୍ ନିକଟରେ ଅନେକ ସମୟରେ ଜାମ୍ ହୋଇ ଲୋକ ହଇରାଣ ହେଉଛନ୍ତି । କେତେକ ଘଟଣାରେ ପୁଲିସ ପହଂଚି ଆପୋଷ ବୁଝାମଣା କରି ଛାଡ଼ି ଦେଉଥିବା ଜଣାଯାଇଛି । ଏହା ବ୍ୟତୀତ ଟୋଲଗେଟର ଗୋଟିଏ ପାର୍ଶ୍ବ ଖୋର୍ଦ୍ଧା ସଦର ଥାନାର ଅଧୀନ ଥିବା ବେଳେ ଅନ୍ୟଟି ଜଙ୍କିଆ ଥାନାର ଅଧୀନରେ ରହିଛି । ଟୋଲଗେଟରେ ଅସାମାଜିକଙ୍କ ଦୌରାତ୍ମ୍ୟ ନେଇ କୌଣସି ବ୍ୟକ୍ତି ଅଭିଯୋଗ କରିବାକୁ ଗଲେ ଉଭୟ ଥାନା ନିଜର ଇଲାକାର ନୁହେଁ ବୋଲି ମାମଲା ରୁଜୁ କରୁନଥିବା ଅଭିଯୋଗ ହୋଇଛି ।

ସେହିଭଳି ଗତ କିଛି ଦିନ ଧରି ମଳିପଡ଼ା -ଦଲକ ରାସ୍ତାର ଆର୍ଡି ପୋଲ୍ ଉପରେ କେତେକ ଯୁବକ ସେହି ରାସ୍ତା ଦେଇ ଯାଉଥିବା ଟ୍ରକ୍, ଟିପର ଏପରିକି ଯାତ୍ରୀବାହୀ ବସ୍ ଆଦି ଯାନରୁ ବେଆଇନ ବଟି ଆଦାୟ କରାଯାଉଥିବା ଓ ପ୍ରତିବାଦ କରିବାକୁ ଧମକଚମକ ଦିଆଯାଉଥିବା ନେଇ ଜଙ୍କିଆ ଥାନାରେ ଗତ ମାସ ଶେଷ ସପ୍ତାହରେ ଆଖପାଖ ଗାଁର କିଛି ଲୋକ ଲିଖିତ ଅଭିଯୋଗ କରିଥିଲେ । ଏନେଇ ପୁଲିସ ବଟି ଆଦାୟକାରୀଙ୍କ ବିରୋଧରେ ଏଯାଏଁ କୌଣସି ପଦକ୍ଷେପ ନେଇନାହିଁ । ଅପରପକ୍ଷରେ ଜଣାଯାଇଛି ଯେ ଉକ୍ତ ପୋଲଟି ନିର୍ମାଣ ପାଇଁ କେତେକ ଲୋକଙ୍କ ଘରୋଇ ଜମି ଅଧିଗ୍ରହଣ କରାଯାଇଥିବାରୁ ସେମାନେ କ୍ଷତିପୂରଣ ପାଇ ମଧ୍ୟ ପ୍ରଶାସନକୁ ଚାଲେଂଜ୍ କରି ଏଭଳି ବଟି ଆଦାୟ କରୁଥିବା ଜଣାଯାଇଛି ।

ସେହିଭଳି ବାଘମାରୀ-ବାଙ୍କୀ ରାସ୍ତାରେ ମଧ୍ୟ ରାତିରେ ଯାତାୟାତ କରୁଥିବା ଟ୍ରକ୍, ବସ୍ ଅଟକାଇ ବଟି ଆଦାୟ କରୁଥିବା ଅଭିଯୋଗ ହୋଇଛି ।
ଖୋର୍ଦ୍ଧା ଗ୍ରାମାଂଚଳ ଏସ୍ପି ଅଜୟ ପ୍ରତାପ ସ୍ୱାଇଁ ଇତି ମଧ୍ୟରେ ଅବସର ନେଇଛନ୍ତି । ପ୍ରାୟ ୧ ସପ୍ତାହ ବିତିଯାଇଛି କୌଣସି ନୂତନ ଏସପି ନିଯୁକ୍ତି ପାଇନାହାନ୍ତି । ଏହାସହ ଖୋର୍ଦ୍ଧାର ୫ଟି ଥାନାର ଥାନାଧିକାରୀଙ୍କ ଡିଏସପି ପାହ୍ୟାକୁ ପଦୋନ୍ନତି ପରେ ବଦଳି ହୋଇନାହିଁ ଓ ଅଧିକାରୀମାନେ କୌଣସି ତ୍ୱରିତ ପଦକ୍ଷେପ ନେବାକୁ ପଛଘୁଂଚା ଦେଉଛନ୍ତି । ଏଭଳି ପରିସ୍ଥିତିରେ ଖୋର୍ଦ୍ଧା ଗ୍ରାମାଂଚଳରେ ପୁଲିସ ଏକ ପ୍ରକାର ମୁରବୀ ଶୂନ୍ୟ ହୋଇଯାଇଥିବା ବେଳେ ପୁଣି ଅପରାଧୀଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି ।

ସମ୍ବନ୍ଧିତ ଖବର