ସୁନ୍ଦରଗଡ଼: ଜଙ୍ଗଲ ଜମିରୁ ଏନଟିପିସି ଦର୍ଲିପାଲି ତାପଜ ବିଦ୍ଯୁତ ପ୍ରକଳ୍ପର ପାଉଁଶ ପୋଖରୀକୁ ମୋରମ ଚାଲାଣ। ଅନେକ ଦିନରୁ ଏକର ଏକର ଜମିକୁ ପୋକଲିନରେ ଖୋଳି ଟ୍ରକ ଯୋଗେ ଶହଶହ ଟନ୍ ମୋରମ ନିଆଯାଉ ଥିବାବେଳେ ବୁଧବାର ଦିନ ୧୧ଟାରେ ସ୍ଥାନୀୟ ଲୋକେ ଗାଡିଗୁଡିକୁ ଅଟକ ରଖି ରାଜସ୍ବ ଓ ବନବିଭାଗକୁ ଖବର ଦେଇଥିଲେ।। ହେଲେ ରାଜସ୍ବ ନିରୀକ୍ଷକ ବିଳମ୍ବରେ ପହଞ୍ଚି ନାମକୁ ମାତ୍ର ୫ ହଜାର ଟଙ୍କା ଜରିମାନା ନେଇ ଗାଡିକୁ ଛାଡି ଦେଇଥିବା ଚର୍ଚ୍ଚାର ବିଷୟ ହୋଇଛି। ଅନ୍ଯପଟେ ବହୁ ବିଳମ୍ବର ଅପରାହ୍ନରେ ବନବିଭାଗର ଏକ ଟିମ ଯାଇ ତଦନ୍ତ କରିଛନ୍ତି। ଅଭିଯୋଗ ଅନୁସାରେ, ଏନଟିପିସିର ବର୍ଜ୍ଯ ପାଉଁଶ ପାଇଁ କମ୍ପାନି ତିଆରି କରିଥିବା ପୋଖରୀରେ ପାଉଁଶ ଭରିଯିବାରୁ ଚାରିପଟ ହୁଡାକୁ ଉଚ୍ଚ କରିବାକୁ ସଂଲଗ୍ନ ଜଙ୍ଗଲ ଜମିରୁ ମୋରମ ଚାଲାଣ କରାଯାଉଥିଲା। ଏଥିପାଇଁ ଏକର ଏକର ଜମିକୁ ଖୋଳି ମୋରମ ଖାଦାନ କରି ଦିଆଯାଇଛି।
ଏ ସମ୍ପର୍କରେ ସ୍ଥାନୀୟ ଲୋକେ ପ୍ରଶାସନକୁ ଅଭିଯୋଗ କରିଥିଲେ ମଧ୍ଯ କିଛି କାର୍ଯ୍ଯାନୁଷ୍ଠାନ ନିଆଯାଇ ନଥିଲା। ଏଥିରେ କ୍ଷୁବ୍ଧ ଲୋକେ ବୁଧବାର ୧୧ଟାରେ ଏକ ମୋରମ ବୋଝେଇ ଟ୍ରକକୁ ଅଟକାଇ ଲେଫ୍ରିପଡା ତହସିଲଦାରକୁ ସୂଚନା ଦେଇଥିଲେ। ସେ ଦର୍ଲିପାଲି ରାଜସ୍ବ ନିରୀକ୍ଷକ ଅନିଲ ପଟେଲଙ୍କୁ ତଦନ୍ତ ଓ କାର୍ଯ୍ଯାନୁଷ୍ଠାନ ନିର୍ଦ୍ଦେଶ ଦେଇଥିଲେ। ହେଲେ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ଯାଳୟରୁ ମୋରମ ଖାଦାନର ଦୂରତା ମାତ୍ର ୧ କିଲୋମିଟର ହୋଇଥିଲେ ହେଁ ଅଧିକାରୀ ଘଟଣାସ୍ଥଳକୁ ଦେଢଘଣ୍ଟା ବିଳମ୍ବରେ ପହଞ୍ଚି ଜରିମାନା ନେଇ ଟ୍ରକକୁ ଜବତ ନକରି ଛାଡି ଦେଇଥିଲେ। ଚାଳକ ମୋରମକୁ ସେଠାରେ ଖାଲି କରି ଟ୍ରକ ନେଇ ପଳାଇ ଯାଇଥିଲେ।। ଲୋକେ ରାଜସ୍ବ ନିରୀକ୍ଷକଙ୍କ ଏତାଦୃଶ ପଦକ୍ଷେପକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ଏହା ପରେ ଉଜ୍ବଳପୁର ବନାଞ୍ଚଳ ଅଧିକାରୀଙ୍କୁ ସୂଚୀତ କରାଯାଇଥିଲା। କିନ୍ତୁ ଅଧିକାରୀ ବିଭିନ୍ନ ଆଳ ଦେଖାଇ ଆସିବାରେ ଜାଣିଶୁଣି ବିଳମ୍ବ କରିବାରୁ ଲୋକେ ସୁନ୍ଦରଗଡ଼ ବନଖଣ୍ଡ ଅଧିକାରୀଙ୍କୁ ଅବଗତ କରିଥିଲେ। ଏହାପରେ ବନଖଣ୍ଡ ଅଧିକାରୀଙ୍କ ନିର୍ଦ୍ଦେଶ ପାଇ ଅପରାହ୍ନ ସାଢେ ୩ଟାରେ ବନବିଭାଗ ଏକ ଟିମ ପହଞ୍ଚି ତଦନ୍ତ କରିଥିଲେ। କିଏ ମୋରମ ନେଉଛି, କାହା ଟ୍ରକ ଲାଗିଛି ବୋଲି ପଚରାଉଚରା କରିଥିଲେ।ତେବେ ଏଯାଏ ବନ ବିଭାଗ ପକ୍ଷରୁ କୌଣସି କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ଲୋକେ ଏନଟିପିସି ଓ ଠିକା ସଂସ୍ଥା ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ଯାନୁଷ୍ଠାନ ଗ୍ରହଣ ପାଇଁ ଦାବି କରିଛନ୍ତି।