ରାୟଗଡ଼ା: ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀଙ୍କ ମନ୍ଦିରରୁ ହଟିବ ନାହିଁ ଜବରଦଖଲ। ଜମି ଅଦଳବଦଳକୁ ରେଲୱେ ବୋର୍ଡର ଅନୁମତି ପରେ ଦୀର୍ଘବର୍ଷ ଧରି ରେଳ ବିଭାଗ-ମଝିଘରିଆଣି ମନ୍ଦିର ଟ୍ରଷ୍ଟ ମଧ୍ୟରେ ଲାଗି ରହିଥିବା ଦ୍ବନ୍ଦ୍ବ ଦୂର ହୋଇଛି। ରେଳ ବିଭାଗର ଅନୁମତି ପରେ ମନ୍ଦିର ଟ୍ରଷ୍ଟ ସହ ଜିଲ୍ଲା ପ୍ରଶାସନ ଓ ଲକ୍ଷାଧିକ ଭକ୍ତ ଆଶ୍ବସ୍ତି ହୋଇଛନ୍ତି। ରାୟଗଡ଼ା ତହସିଲ ରାମଚନ୍ଦ୍ରପୁର ମୌଜାରେ ରେଳ ବିଭାଗର ଥିବା ୬.୩୦ ଏକର ଜାଗାରେ ମଝିଘରିଆଣି ମନ୍ଦିର ସମ୍ମୁଖ ଭାଗ, ଯଜ୍ଞ କୁଣ୍ଡ, ମାର୍କେଟ୍ କମ୍ପ୍ଲେକ୍ସ, ମନ୍ଦିରକୁ ଯାତାୟାତ ପାଇଁ ରାସ୍ତା ନିର୍ମାଣ ହୋଇଛି। ବର୍ତ୍ତମାନ ରାୟପୁର-ବିଶାଖାପାଟଣା ତୃତୀୟ ରେଳ ଲାଇନ୍ ସଂପ୍ରସାରଣ କାମ ଚାଲିଥିବାରୁ ଜବରଦଖଲ ଉଚ୍ଛେଦ ନେଇ ନୋଟିସ୍ କରିଥିଲା ରେଳ ବିଭାଗ।
ରେଳ ବିଭାଗ ନୋଟିସ୍ ପରେ ରେଳ କର୍ତ୍ତୃପକ୍ଷ-ରାୟଗଡ଼ା ରାଜସ୍ବ ବିଭାଗ ଅଧିକାରୀଙ୍କ ଉପସ୍ଥିତିରେ ଜମି ମାପଚୁପ୍ ହୋଇଥିଲା। ମାପଚୁପ୍ ସମୟରେ ୬.୩୦ ଏକର ଜମି ରେଳ ବିଭାଗର ସ୍ପଷ୍ଟ ହୋଇଥିଲା। ରେଳ ବିଭାଗ ଜବରଦଖଲ ଉଚ୍ଛେଦ କଲେ ମନ୍ଦିର ସିଂହଦ୍ବାର ସମେତ ମାର୍କେଟ୍ କମ୍ପ୍ଲେକ୍ସ, ଯଜ୍ଞ କୁଣ୍ଡ ମାଟିରେ ମିଶିବାକୁ ଥିବାରୁ ଜିଲ୍ଲା ପ୍ରଶାସନ ରାଜସ୍ବ ବିଭାଗର ଅନୁମୋଦନ ଅନୁଯାୟୀ ଜମି ଅଦଳବଦଳ କରିବାକୁ ରେଲୱେ ବୋର୍ଡକୁ ପ୍ରସ୍ତାବ ଦେଇଥିଲା। ଜିଲ୍ଲା ପ୍ରଶାସନର ପ୍ରସ୍ତାବକୁ ରେଲୱେ ବୋର୍ଡ ୨୦୨୨ ଡିସେମ୍ବର ୨୬ ତାରିଖରେ ଅନୁମୋଦିତ କରିଛି। ମନ୍ଦିର ଅଧୀନରେ ଥିବା ରେଳ ବିଭାଗର ୬.୩୦ ଏକର ଜମିର ମୂଲ୍ୟ ବର୍ତ୍ତମାନ ୧ କୋଟି ୯୦ ଲକ୍ଷ ୫୭ ହଜାର ୫୦୦ ଟଙ୍କା ଥିବାରୁ ସମାନ୍ ପରିମାଣର ସରକାରୀ ଜମି ରେଳ ବିଭାଗକୁ ହସ୍ତାନ୍ତର କରିବା ପାଇଁ ବୋର୍ଡ ଜିଲ୍ଲା ପ୍ରଶାସନକୁ ଚିଠି ମାଧ୍ୟମରେ ଅବଗତ କରିଛି। ରେଳ ବିଭାଗର ଚିଠି ପରେ ମନ୍ଦିର ନିକଟରୁ ଶହେ ମିଟର ଦୂରରେ ଥିବା ରାମଚନ୍ଦ୍ରପୁର ମୌଜାର ୬.୩୦ ଏକର ସରକାରୀ ଜମିକୁ ରେଳ ବିଭାଗକୁ ହସ୍ତାନ୍ତର କରିବାକୁ ରାଜସ୍ବ ବିଭାଗ ଚିହ୍ନଟ କରିଛି। ଯାହାର ମୂଲ୍ୟ ରେଲୱେ ଜମିର ମୂଲ୍ୟ ସହ ସମାନ୍।
ତେବେ ଜମିର ମାଲିକାନା ପରିବର୍ତ୍ତନ ପୂର୍ବରୁ ସମସ୍ତ ପ୍ରକାର ଦ୍ବନ୍ଦ୍ବ ଦୂର କରିବାକୁ ରେଳ ବିଭାଗ ଅବଗତ କରିଛି। ଯେପରି ଭବିଷ୍ୟତରେ ଏହି ଜମି ପାଇଁ ରେଳ ବିଭାଗ କୌଣସି ଅସୁବିଧାର ସମ୍ମୁଖୀନ ନ ହେବ, ଆର୍ଥିକ ସ୍ତରରେ କ୍ଷତିଗ୍ରସ୍ତ ନ ହେବ ସେଥିଲାଗି ଦୃଷ୍ଟି ଦେବା ପାଇଁ ପ୍ରଶାସନକୁ ରେଲୱେ ବୋର୍ଡ ଦେଇଥିବା ଚିଠିରେ ଉଲ୍ଲେଖ ଅଛି। ରେଲୱେ ଆଇନ ବିଭାଗର ବରିଷ୍ଠ ଅଧିକାରୀ ସମସ୍ତ କାଗଜପତ୍ରର ଯାଞ୍ଚ କରିବା ପରେ ମାଲିକାନା ପରିବର୍ତ୍ତନ ପାଇଁ ପଦକ୍ଷେପ ନେବାକୁ କୁହାଯାଇଛି। ରେଳ ବିଭାଗର ନୋଟିସ ପରେ ଆଇନ ବିଭାଗର ତର୍ଜମା ଏବଂ ରାଜସ୍ବ ବିଭାଗର ଅନୁଧ୍ୟାନ ପରେ ଜମିର ମାଲିକାନା ପରିବର୍ତ୍ତନ ଦିଗରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ରାୟଗଡ଼ା ତହସିଲଦାର ତାପସ ରାଉତ। ସୂଚନାଯୋଗ୍ୟ, ରେଳ ବିଭାଗ ଜାରି କରିଥିବା ଜବରଦଖଲ ଉଚ୍ଛେଦ ନୋଟିସ ଯୋଗୁ ମନ୍ଦିରର ଉନ୍ନୟମୂଳକ କାମ ବାଧାପ୍ରାପ୍ତ ହୋଇଥିଲା। ଏକ ବର୍ଷରୁ ଉର୍ଦ୍ଧ୍ବ ସମୟ ହେଲା ମନ୍ଦିର ସମ୍ମୁଖ ସିଂହଦ୍ବାରା ବନ୍ଦ ରହିବା ସହ ସମ୍ମୁଖ ମାର୍କେଟ୍ କମ୍ପ୍ଲେକ୍ସ ବନ୍ଦ ରହିଛି। ମାର୍କେଟ୍ କମ୍ପ୍ଲେକ୍ସରେ ଥିବା ଦୋକାନୀ ଅସ୍ଥାୟୀ ଭାବେ ମନ୍ଦିର ପ୍ରସ୍ତାନ ଦ୍ବାର ସମ୍ମୁଖରେ ପୂଜା ଦୋକାନ ଖୋଲି ଜୀବିକା ନିର୍ବାହ କରୁଛନ୍ତି। ଅନ୍ୟପକ୍ଷରେ ମନ୍ଦିରର କଲ୍ୟାଣ ମଣ୍ଡପ, ଯାତ୍ରୀ ନିବାସଗାର ଭଳି ଅନେକ କାର୍ୟ୍ୟର ନିର୍ମାଣ ଆରମ୍ଭ ହୋଇପାରିନି। ରେଳ ବିଭାଗକୁ ଜମି ଅଦଳବଦଳ ପରେ ମନ୍ଦିରର ବିକାଶ କାର୍ଯ୍ୟ ତ୍ବରାନିତ ହେବ।