ରାଜକନିକା: ବେଆଇନ ଚିଙ୍ଗୁଡ଼ି ଘେରି ରାଜକନିକା ବ୍ଲକ୍‌ ହାଟସାହି ପଞ୍ଚାୟତର ଚାଷୀମାନଙ୍କ ନିଦ ହଜାଇ ଦେଇଛି। ଚିଙ୍ଗୁଡ଼ି ଘେରିର ବିଷାକ୍ତ ପାଣି ସେମାନଙ୍କ ଜମିରେ ପଶି ଫସଲ ଉଜାଡ଼ି ଦେଉଛି। ଏହି ବେଆଇନ ଚିଙ୍ଗୁଡ଼ିଘେରିକୁ ନେଇ ଚାଷୀମାନେ ତାତିଛନ୍ତି। ସେମାନେ ସୋମବାର ଏକ ବୈଠକରେ ପ୍ରତିବାଦ କରି ଏକାଠି ହୋଇଛନ୍ତି। ବୈଠକ କରି ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି।

Advertisment

ସୂଚନା ଅନୁସାରେ, ହାଟସାହି ପଞ୍ଚାୟତର ଚାଷୀମାନେ ମୁଖ୍ୟତଃ ଧାନ, ମୁଗ, ବିରି, ସୂର୍ଯ୍ୟମୁଖୀ, ଆଳୁ ଓ ପନିପରିବା ଚାଷ ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରିଥାନ୍ତି। ବୈତରଣୀ ଶାଖା ପେଟା ନଦୀରୁ ପାଣି ନେଇ ଏହି ପଞ୍ଚାୟତର ଚାଷୀମାନେ ପାଖାପାଖି ହଜାରେ ହେକ୍ଟର ଜମିରେ ଏହି ସବୁ ଚାଷ କରିଛନ୍ତି। ହେଲେ ପଞ୍ଚାୟତରେ ଗଢି ଉଠିଥିବା ବେଆଇନ ଚିଙ୍ଗୁଡ଼ିଘେରି ସେମାନଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି।

ଘେରିର ଲୁଣା ପାଣିକୁ ନାଳ ଓ ଚାଷୀମାନଙ୍କ ଜମିକୁ ଛାଡୁଥିବାରୁ ଜମି ଅନୁର୍ବର ହୋଇପଡ଼ୁଛି। ସେଥିରେ ଆଉ କିଛି ଚାଷ ହେଉ ନାହିଁ ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ସେମାନେ କହିଛନ୍ତି ଯେ, ବଛିଆ ପାଟ ନାଳ, ଲୁଣିଆ ନାଳ, ବରଗଡ଼ିଆ ନାଳ, ଖୋପରାଡିଆ ନାଳ, ବାଇଶି ମାଣିଆ ନାଳ, ଗଗନା ପାଟ ନାଳରୁ ପାଣି ନେଇ ଚାଷ କରି ପରିବାର ପ୍ରତିପୋଷଣ କରୁଛନ୍ତି l ଏହି ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ ଦାବି କରି ପଞ୍ଚାୟତର ଚାଷୀମାନେ ଅନ୍ନପୂର୍ଣ୍ଣା ପଡିଆରେ ବୈଠକ କରିଥିଲେ। ବୈଠକରେ ସରପଞ୍ଚ ସୀତାରାଣୀ ଦାସ ଓ ସମିତି ସଭ୍ୟ ସଞ୍ଜୟ ବେହୁରିଆଙ୍କୁ ସେମାନଙ୍କ ସମସ୍ୟା ସମ୍ପର୍କରେ କହିଥିଲେ। ଏହି ଚିଙ୍ଗୁଡ଼ି ଘେରି କରି କିଛି ଲୋକ ଲାଭବାନ ହେଉଥିବା ବେଳେ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି। ଯଦି ପ୍ରଶାସନ ପକ୍ଷରୁ ତୁରନ୍ତ ଏହି ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ ନ କରାଯାଏ ସେମାନେ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି ଚେତାଇ ଦେଇଛନ୍ତି। ସୁମନ୍ତ ଦାସ, ଉମାକାନ୍ତ ବେହୁରିଆ, ଗୁଲ ମଲିକ, କୈଳାସ ମଲିକ, ଦଶରଥ ନାୟକ, ସିନା ରାଉତ, ଚଗଲା ବଳ, ପ୍ରଦୀପ ନାୟକ, ସୁମନ୍ତ ମଲିକ, ଅଦ୍ବୈତ ମଲିକ, ସନ୍ତୋଷ ନାୟକ, ଚୌଧୁରୀ ପଢିହାରୀ, ଦଶରଥ ବେହେରା, ପ୍ରେମାନନ୍ଦ ନାୟକ, ବିପିନି ନାୟକ, ବାସୁଦେବ ରାଉତ, କୈଳାସ ଚନ୍ଦ୍ର ରାଉତ, ସୁବାସ ଲେଙ୍କା ଓ ରବୀନ୍ଦ୍ର ସାମଲ ପ୍ରମୁଖ ଚାଷୀ ବୈଠକରେ ଉପସ୍ଥିତ ଥିଲେ l