କେନ୍ଦୁଝର: କେନ୍ଦୁଝର ସଦର ବ୍ଲକ୍‌ ହୁଣ୍ଡୁଳା ନିକଟ ୨୦ ନମ୍ବର ଜାତୀୟ ରାଜପଥ କଡ଼ରେ ଏକ କମ୍ପାନିର ଡିଜେଲ ପମ୍ପକୁ ନେଇ ବିବାଦ ଦେଖାଦେଇଛି। ଏହି ଡିଜେଲ ପମ୍ପକୁ ନିଜସ୍ୱ ବ୍ୟବହାର ପାଇଁ ଅନୁମତି ଦିଆଯାଇଥିବା ବେଳେ ଏଠାରେ ବାହାର ଗାଡ଼ିକୁ ଡିଜେଲ ବିକ୍ରି କରାଯାଉଥିବା ଅଭିଯୋଗ ହୋଇଛି। ଫଳରେ ସରକାରଙ୍କ ରାଜସ୍ୱହାନୀ ଘଟୁଛି। ଏନେଇ ସିଏସ୍‌ଓଙ୍କ ନିକଟରେ ଅଭିଯୋଗ ହେବା ପରେ ସେ ଏକ ଟିମ୍‌ ପଠାଇ ଯାଞ୍ଚ କରିଛନ୍ତି। ଅତିରିକ୍ତ ଯୋଗାଣ ଅଧିକାରୀ ବୀରକିଶୋର ମାରାଣ୍ଡି, ସହକାରୀ ଯୋଗାଣ ଅଧିକାରୀ ସବ୍ୟସାଚୀ ବସ୍ତିଆ, ସୁଶୀଲ କୁମାର ସାହୁ ପ୍ରମୁଖ ଡିଜେଲ ପମ୍ପରେ ପହଞ୍ଚି ଖୋଳତାଡ଼ ଆରମ୍ଭ କରିଛି। ପମ୍ପର ସମସ୍ତ କାଗଜପତ୍ର ଯାଞ୍ଚ କରାଯାଇଛି। କେଉଁ କେଉଁ ଗାଡ଼ି ଏଠାରୁ ଡିଜେଲ ଭର୍ତ୍ତି କରୁଛନ୍ତି ତାହାର ତାଲିକା ମଗାଯାଇଛି। ତେବେ ଆଜି ସକାଳେ ବହୁ ସଂଖ୍ୟାରେ ଟ୍ରକ୍‌ ଏଠାରେ ଡିଜେଲ ତେଲ ଭର୍ତ୍ତି କରୁଥିବା ନେଇ ଅଭିଯୋଗ ହୋଇଥିଲା। ଏ ନେଇ ସିଏସ୍‌ଓ ବସନ୍ତ କୁମାର ପଣ୍ଡା କହିଛନ୍ତି, ଯାଞ୍ଚ ପରେ ପଦକ୍ଷେପ ନିଆଯିବ।

Advertisment

ସୂଚନାଯୋଗ୍ୟ, ଜାତୀୟ ରାଜପଥ ପ୍ରାଧିକରଣର ବିନା ଅନୁମତିରେ ସିଜେ ଡାରସେଲ ଲଜିଷ୍ଟିକ ଲିଃ.ର ନିଜସ୍ୱ ବ୍ୟବହାର ପାଇଁ ଏହି ଡିଜେଲ ପମ୍ପ ଖୋଲାଯାଇଛି। ୩୦ ହଜାର ଲିଟର କ୍ଷମତା ବିଶିଷ୍ଟ ଏହି ପମ୍ପ ବିନା ଅନୁମତିରେ ଚାଲିଥିଲେ ମଧ୍ୟ ଏହା ବିରୋଧରେ କୌଣସି ପଦକ୍ଷେପ ନିଆଯାଉ ନାହିଁ। ପମ୍ପ ସମ୍ମୁଖ ରାସ୍ତାରେ କଳାଗୁଣ୍ଡ ଓ ଧୂଳି ଜମି ରହିଥିବାରୁ ଲୋକଙ୍କୁ ଯାତାୟାତରେ ସମସ୍ୟା ହେଉଛି। ମାର୍ଚ୍ଚ ୨୪ ତାରିଖ ବିଳମ୍ବିତ ରାତିରେ ଡିଜେଲ ପମ୍ପ ସମ୍ମୁଖରେ ଏକ ଟ୍ରକ୍‌ ୧୦୮ ଆମ୍ବୁଲାନ୍ସକୁ ପଛରୁ ଧକ୍କା ଦେବାରୁ ଆମ୍ବୁଲାନ୍ସଟି ଆଗରେ ଥିବା ଆଉ ଏକ ଟ୍ରକ୍‌ରେ ପିଟି ହୋଇଥିଲା। ଲୋକଙ୍କ ସୁରକ୍ଷା ପାଇଁ ଏହି ଡିଜେଲ ପମ୍ପ ବନ୍ଦ କରିବାକୁ ଏନ୍‌ଏଚ୍‌ଏଆଇ ପକ୍ଷରୁ ତୈଳ କମ୍ପାନି ଓ ଜିଲ୍ଲାପାଳଙ୍କୁ ୨୦୨୨ ଅକ୍ଟୋବର ୨୦ରେ ଚିଠି ଲେଖି ଅବଗତ କରିଥିଲା। ଏହାସତ୍ତ୍ୱେ ମଧ୍ୟ ଏହି ଡିଜେଲ ପମ୍ପ ଚାଲିଛି। ସେହିପରି ଏହି ଡିଜେଲ ପମ୍ପଠାରୁ ମାତ୍ର ୩୦୦ ମିଟର ଦୂରରେ ଉପଭୋକ୍ତଙ୍କ ବ୍ୟବହାର ପାଇଁ ଆଉ ଏକ ଡିଜେଲ ଓ ପେଟ୍ରୋଲ ପମ୍ପ ରହିଛି। ଏନ୍‌ଏଚ୍‌ଏଆଇ ଗାଇଡ୍‌ଲାଇନ୍‌ ଅନୁସାରେ ଗୋଟିଏ ଡିଜେଲ ପମ୍ପଠାରୁ ଆଉ ଏକ ଡିଜେଲ ପମ୍ପର ଦୂରତା ସର୍ବନିମ୍ନ ୧ କିଲୋମିଟର ରହିବା ଜରୁରୀ। ଏ କ୍ଷେତ୍ରରେ ଏହି ନିୟମ ମଧ୍ୟ ଉଲ୍ଲଂଘନ ହେଉଛି। ଜିଲ୍ଲା‌ପାଳ ତୁରନ୍ତ ଏହି ଡିଜେଲ ପମ୍ପର ଏନ୍‌ଓସି ବାତିଲ କରିବାକୁ ଦାବି ହେଉଛି।