ବେଆଇନ ପିଡିଏସ୍ ଚାଉଳ କାରବାର: ଚେର ଲମ୍ଭିଛି କୋରାପୁଟରୁ ଛତିଶଗଡ

ଜୟପୁର: ଜୟପୁର ଉପଖଣ୍ଡରେ ବ୍ୟାପକ ଭାବେ ଚାଳିଛି ବେଆଇନ୍ ପିଡିଏସ୍ ଚାଉଳ କାରବାର। ଏପରିକି ଏହାର ଚେର କୋରାପୁଟ ଜିଲ୍ଲାରୁ ଛତିଶଗଡ ଯାଏଁ ଲମ୍ବିଥିବା ଅଭିଯୋଗ ହୋଇଛି। ଜୟପୁର ଉପଖଣ୍ଡର ବିଭିନ୍ନ ମିଲ୍ ଓ ଦଲାଲମାନେ ଗାଁରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ଏହାକୁ କିଣି ରିସାଇକ୍ଲିଂ କରି ପୁଣି ଚାଉଳ ଯୋଗାଇବା ସହ କିଛି ଚାଉଳକୁ ଛତିଶଗଡ ବି ପଠାଯାଉଥିବା ସୂଚନା ମିଳିଛି।

ସଂପ୍ରତି ଖରିଫ ମଣ୍ଡିର ଧାନକୁ ଛତିଶଗଡରୁ ଯିବାକୁ ରୋକିବା ପାଇଁ ରାଜ୍ୟ ସରକାର ନିର୍ଦେଶ ଜାରି କରିଥିବା ବେଳେ ଚାଉଳ ପ୍ରତିଦିନ ଯାଉଛି ଏହାକୁ କିଭଳି ରୋକାଯିବ ସେ ଦିଗରେ ପ୍ରୟାସ କରିବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

କେନ୍ଦ୍ର ଓ ରାଜ୍ୟ ସରକାର ରାସନ କାର୍ଡ ମାଧ୍ୟମରେ ମୁଣ୍ଡ ପିଛା ୫ କିଲୋ ପିଡିଏସ୍ ଚାଉଲ କିଲୋ ପ୍ରତି ୧ ଟଙ୍କା ଦରରେ ଯୋଗାଇ ଦେଉଛନ୍ତି। ଅନ୍ୟ ପକ୍ଷରେ ବହୁ ଗରିବ ତଥା ଦରିଦ୍ରସୀମାରେଖା ତଳେ ଥିବା ରାସନକାର୍ଡ ଧାରିମାନେ ଏହି ଚାଉଳକୁ ବିଭିନ୍ନ ଦେକାନ, ବଜାର ଓ ଦଳାଲମାନଙ୍କ ପାଖରେ କିଲୋ ପ୍ରତି ୧୦ରୁ ୧୫ ଟଙ୍କା ଦରରେ ବିକ୍ରି କରି ସେହି ଟଙ୍କାରେ ପରିବାର ଚଳାଉଛନ୍ତି।

ବିଶେଷ କରି ଜୟପୁର ଉପଖଣ୍ଡର ଜୟପୁର ସହର ଏବଂ ବ୍ଲକରେ ବହୁ ମାତ୍ରାରେ ଦଲାଲମାନେ ସକ୍ରିୟ ହୋଇ କମ୍ ଦରରେ ଚାଉଳ କିଣୁଛନ୍ତି । ସେଭଳି ଦଲାଲମାନେ କିଛି ଗରିବ ଲୋକଙ୍କୁ ମେହରା କରି ଘର ଘର ଯାଇ କିଲୋ ପ୍ରତି ୧୦ ଟଙ୍କା ଓ କୁଇଣ୍ଟାଲ ପ୍ରତି ୧ ହଜାରରୁ ୧ ହଜାର ୫୦ଟଙ୍କା ଦରରେ ସେମାନଙ୍କ ଦ୍ୱାରା ଚାଉଳ କିଣାଉଛନ୍ତି ।

ଦଲାଲମାନେ ବୋରିଗୁମ୍ମା, ଜୟପୁର ଅଞ୍ଚଳରୁ ରହି ଜିଲ୍ଲାର କିଛି ନିର୍ଦ୍ଦିଷ୍ଟ ରାଇସ୍ ମିଲକୁ ଏହି ଚାଉଳ ଯୋଗାଉଛନ୍ତି। ଯାହା ଫଳରେ ମିଲର୍ସମାନେ କମ୍ ଦରରେ ପିଡିଏସ୍ ଚାଉଲକୁ କିଣି ନିଜ ଗୋଦାମରେ ଗଚ୍ଛିତ ରଖି ପରବର୍ତ୍ତି ସମୟରେ ରିସାଇକିଲିଂ କରି ପୁଣି ସରକାରଙ୍କୁ ଦେବା କିମ୍ବା ଅଧିକା ଦରରେ ବଜାରକୁ ବିକ୍ରି କରିବାକୁ ବି ଛାଡୁଛନ୍ତି। ଏହି ବେଆଇନ୍ ପଡିଏସ୍ ଚାଉଳ ଚଳାଣ ରାକେଟ୍ ଦୀର୍ଘ ଦିନ ହେବ ଚାଲିଆସୁ ଥିବା ବେଳେ ଛତିଶଗଡ ପର୍ଯ୍ୟନ୍ତ ଏହାର ଚେର ଲମ୍ବିଛି। ହେଲେ ଯୋଗାଣ ବିଭାଗ ସବୁ ଜାଣି ଶୁଣି ନଜାଣିଲା ପରି ହାତ ବାନ୍ଧି ଚୁପ୍ ବସି ରହିଛି ।

ଏ ନେଇ ଜିଲ୍ଲା ଯୋଗାଣ ଅଧିକାରୀ ତୁଳାରାମ ନାୟକଙ୍କୁ ପଚାରିବାରେ କିଛି ହିତାଧିକାରୀ ବିକ୍ରି କରୁଛନ୍ତି, ଏଥିରେ ଦ୍ବିମତ ନାହିଁ। ତେବେ ଚାଉଳ ପାଇବା ପରେ ହିତାଧିକାରୀମାନେ ସେମାନେ ବିକ୍ରି କରୁଥିବା ଚାଉଳ ବସ୍ତା ସହ ଥିଲେ କିମ୍ବା ଏଥିରେ କିଛି ଚିହ୍ନ ରହିଥିଲେ ଯାଇ ପଦକ୍ଷେପ ନେଇ ହେବ ବୋଲି କହିଛନ୍ତି। ତେବେ ଏହି ରାକେଟକୁ ରୋକିବା ପାଇଁ ସ୍ବତନ୍ତ୍ର ଅଭିଯାନ କରିବାକୁ ପଡ଼ିବ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର