ବଂଶଧାରାରୁ ବାଲି ଚୋରା ଚାଲାଣ: ସିଲ୍ ହେଲା ଅବୈଧ ଘାଟ 

ଘାଟ ରାସ୍ତାରେ ପଥର ପକାଇ ତାର ବାଡ଼ ବୁଲାଇଲେ, ଦେଢ଼ ମାସରେ ୩୩ ଗାଡ଼ି ଜବତ, ୬ ଲକ୍ଷ ଜରିମାନା ଆଦାୟ

ରାୟଗଡ଼ା: ଲଘୁ ଖଣିଜ ଦ୍ରବ୍ୟର ହରିଲୁଟ୍। ରାଜସ୍ବ ଲୁଟୁଛନ୍ତି ମାଫିଆ। ରାତାରାତି ଟ୍ରକ୍, ହାଇୱାରେ ଆନ୍ଧ୍ରକୁ ଚାଲାଣ ହେଉଛି ବାଲି। ରାଜସ୍ବ ଲୁଟି ମାଫିଆ ମାଲେମାଲ୍ ହେଉଥିବା ବେଳେ ଚେଇଁ ଶୋଇଛି ପ୍ରଶାସନ..।

ବଂଶଧାରା ନଦୀଶର୍ଯ୍ୟାରୁ ବାଲି ଚୋରା ଚାଲାଣକୁ ନେଇ ଏପରି ଅଭିଯୋଗ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀଙ୍କ ନିକଟରେ ପହଞ୍ଚିବା ପରେ ଆରମ୍ଭ ହୋଇଛି କାର୍ଯ୍ୟାନୁଷ୍ଠାନ। ସଚିବଙ୍କ ନିର୍ଦେଶରେ ଚୋରା ଚାଲାଣ ରୋକିବାକୁ ଆକ୍ସନ୍ ମୁଡକୁ ଆସିଛି ରାଜସ୍ବ ବିଭାଗ। ଦୃଢ଼ କାର୍ଯ୍ୟାନୁଷ୍ଠାନ ସ୍ବରୂପ ଗୁଣପୁର ତହସିଲ ଭୁଟ୍ଟେଶ୍ବର ମନ୍ଦିର ଶ୍ମଶାନ ଘାଟ ନିକଟ ରାସ୍ତାକୁ ସିଲ୍ କରିଛନ୍ତି ତହସିଲଦାର ଶରତ ଚନ୍ଦ୍ର ନାୟକ। ଚୋରା ଚାଲାଣ ଲାଗି ମାଫିଆଙ୍କ ପାଇଁ ଏହି ରାସ୍ତା ଗଳାବାଟ ପାଲଟିଥିଲା। ତହସିଲଦାର ଶ୍ରୀ ନାୟକ ଉକ୍ତ ରାସ୍ତାରେ ପଥର ପକାଇ ତାର ବାଡ଼ ବୁଲାଇବା ପରେ ଯାତାୟାତ ଠପ୍ ହେବା ସହ ବାଲି ଚୋରା ଚାଲାଣରେ ରୋକ୍ ଲାଗିଛି।

ଗୁଣପୁର ତହସିଲ ଅଧୀନରେ ୫ ବାଲି ସୈରାତ ରହିଛି। ସେଥି ମଧ୍ୟରୁ ୨ଟି ଘାଟର ଲିଜ୍ ବୈଧ ରହିଛି। ଅନ୍ୟ ୩ଟି ଘାଟରୁ ବାଲି ଉତ୍ତୋଳନ ପାଇଁ ଜନଶୁଣାଣି ଶେଷ ନ ହେବା ସହ ପରିବେଶ ବିଭାଗର କ୍ଲିଅରାନସ୍ ମିଳିନଥିବାରୁ   ବାଲି ଉଠାଣ ଦିଗରେ କଟକଣା ଲଗାଇଛି ରାଜସ୍ବ ବିଭାଗ। କିନ୍ତୁ ବାଲି ମାଫିଆ ପ୍ରଶାସନ ଓ ତହସିଲ କର୍ତ୍ତୃପକ୍ଷଙ୍କୁ ଚକମା ଦେଇ ନଦୀଶର୍ଯ୍ୟାର ବିଭିନ୍ନ ସ୍ଥାନରୁ ଅଧରାତିରେ ଗାଡ଼ି ଲଗାଇ ବାଲି ଚୋରା ଚାଲାଣ କରୁଛନ୍ତି। ଭୁଟ୍ଟେଶ୍ବର ଘାଟରୁ ଦୈନିକ ୧୫ରୁ ୨୦ ଟ୍ରକ୍ ବାଲି ଚୋରା ଚାଲାଣ ହେଉଥିବା  ଅଭି‌ଯୋଗ ପରେ ଜୁନ୍ ୨୧ ତାରିଖରେ ରାଜସ୍ବ ବିଭାଗ ସ୍ବତନ୍ତ୍ର ସଚିବ ତଥା ଲଘୁ ଖଣିଜ ମନ୍ତ୍ରଣାଳୟ ନିର୍ଦେଶକ ବିଭୂତି ଭୂଷଣ ଦାଶ ଭର୍ଚୁଆଲ୍ ମୋଡ଼ରେ ସମୀକ୍ଷା କରିଥିଲେ। ସମୀକ୍ଷାରେ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ପଣ୍ଡା, ଗୁଣପୁର ଉପଜିଲ୍ଲାପାଳ ସୋନାଲ ଜେନା, ରାୟଗଡ଼ା ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ସମେତ ତହସିଲଦାର ଉପସ୍ଥିତ ଥିଲେ। ମାଫିଆଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ଜିଲ୍ଲା ପ୍ରଶାସନ ଫେଲ୍ ହୋଇଥିବାରୁ ସମୀକ୍ଷା ବୈଠକରେ ସଚିବ ଶ୍ରୀ ଦାଶ ଅସନ୍ତୋଷ ପ୍ରକାଶ କରିଥିଲେ। ସଚିବ ବିଗିଡ଼ିବା ପରେ ବଂଶଧାରାରୁ ବାଲି ଚୋରା ଚାଲାଣ ରୋକିବା ଦିଗରେ ପଦକ୍ଷେପ ନେବାକୁ ଜିଲ୍ଲାପାଳ ସ‌ରୋଜ କୁମାର ମିଶ୍ର ନିର୍ଦେଶ ଦେଇଥିଲେ। ତହସିଲଦାର ଶ୍ରୀ ନାୟକ ଭୁଟ୍ଟେଶ୍ବର ଘାଟ ପରିଦର୍ଶନ କରି ଅବୈଧ ଘାଟ ଓ ରାସ୍ତାକୁ ସିଲ୍ କରିବାକୁ ଅଭିନବ ଉପାୟ ଅବଲମ୍ବନ କରିଥିଲେ। ଘାଟ ରାସ୍ତାକୁ ପଥର ପକାଇ ଅବରୋଧ କରିବା ପରେ ସଂପୂର୍ଣ୍ଣ ଅଞ୍ଚଳ‌ରେ ସିମେଣ୍ଟ୍ ପୋଲ ପୋତି ତାର ବାଡ଼ ବୁଲାଇ ଦେଇଥିଲେ। ଫଳରେ ଗତ ଦୁଇ ଦିନ ହେଲା ଭୁଟ୍ଟେଶ୍ବର ଘାଟରୁ ଚୋରା ଚାଲାଣ ବନ୍ଦ ରହିଛି। ଚୋରା ଚାଲାଣରେ ସଂପୃକ୍ତ ମାଫିଆଙ୍କ ଉପରେ ବିଭାଗ କଡା ନଜର ରଖିବା ସହ ବାଲି ଚାଲାଣରେ ସଂପୃକ୍ତ ଯାନବାହନକୁ ଜବତ କରୁଛି। ମେ’ ପହିଲାରୁ ଆଜି ସୁଦ୍ଧା ବାଲି ଚୋରା ଚାଲାଣ କରୁଥିବା ୩୩ ଗାଡ଼ିକୁ ଜବତ କରିବା ସହ ୬ ଲକ୍ଷରୁ ଉର୍ଧ୍ବ ଜରିମାନା ଆଦାୟ ହୋଇଥିବା ଗୁଣପୁର ତହସିଲଦାର ଶ୍ରୀ ନାୟକ ସୂଚନା ଦେଇଛନ୍ତି। ବଂଶଧାରା ପରି ରାୟଗଡ଼ା ତହସିଲର ନାଗାବଳୀ ନଦୀ ଖିଲିମିସିଗୁଡା ଘାଟରୁ ମଧ୍ୟ ବାଲି ଚୋରା ଚାଲାଣ ହେଉଥିବାରୁ ସଚିବ ତଦନ୍ତ ନିର୍ଦେଶ ଦେଇଥିଲେ। ପ୍ରଶାସନ ତଦନ୍ତ ରିପୋର୍ଟ ଦେବା ପରେ ଉକ୍ତ ଘାଟର ଷ୍ଟେସନ ସର୍ଭେ ପ୍ରକ୍ରିୟା ଶେଷ ହୋଇଛି। ଏଥି ସହିତ ଖିଲିମିସିଗୁଡା ଘାଟରୁ ଚୋରା ଚାଲାଣ ରୋକିବାକୁ ତହସିଲ କର୍ତ୍ତୃପକ୍ଷ ଘାଟକୁ ସଂଯୋଗ ହୋଇଥିବା ରାସ୍ତାରେ ୨୪ ଘଣ୍ଟିଆ ଚେକ୍ ଗେଟ୍ କାର୍ଯ୍ୟକାରୀ କରିଥିବା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି।

 

ସମ୍ବନ୍ଧିତ ଖବର