ବେଆଇନ ବାଲି ଚାଲାଣ: ୫୦ ହଜାର ଟଙ୍କା ଜରିମାନା ଆଦାୟ 

ଡୁଙ୍ଗୁରିପାଲି/ ଶୁଖା: ଡୁଙ୍ଗୁରିପାଲି ବ୍ଲକ୍‌ ଶୁଖା ଗ୍ରାମର ଅଙ୍ଗନଦୀ ଶୁଖାଘାଟରୁ ବାଲି ଚୋରା ଚାଲାଣ ହେଉଥିବା ଅଭିଯୋଗ ପରେ ଏସ୍‌. ରାମପୁର ତହସିଲଦାର ଯୁଗଳ କିଶୋର ବିଶ୍ବାଳ ଓ ଡୁଙ୍ଗୁରିପାଲି ପୁଲିସ ଚଢ଼ଉ କରି ୫ଟି ବାଲି ବୋଝେଇ ଟ୍ରାକ୍ଟରୁ ୫୦ ହଜାର ଟଙ୍କା ଜରିମାନା ଆଦାୟ କରିଥିବା ଜଣାଯାଇଛି।

ଅଙ୍ଗନଦୀ ଶୁଖାଘାଟରୁ ଦୈନନ୍ଦିନ ଶହଶହ ଟ୍ରାକ୍ଟର ଯୋଗେ ବାଲି ଚୋରା ଚାଳାଣ ହେଉଛି। ଅନ୍ୟ ବ୍ଲକ୍‌ରୁ ଆସୁଥିବା ଟ୍ରାକ୍ଟର ଯୋଗୁଁ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ୁଛି। କେତେକ ଟ୍ରାକ୍ଟର ମାଲିକଙ୍କ ସହ ଗ୍ରାମର କେତେକ ସଚେତନ ବ୍ୟକ୍ତି ଅଭିଯୋଗ କରିଛନ୍ତି ରାଜସ୍ବ ବିଭାଗ ପକ୍ଷରୁ ଅଚାନକ ଚଢ଼ଉ କରି ବାଲି ଚୋରା ଚାଳାଣ ରୋକିବା ଅପେକ୍ଷା ଏଠାରେ ରୟାଲ୍‌ଟି କଟାଯାଉ ଏବଂ ଶୁଖା ବାଲିଘାଟରୁ ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ କଂକ୍ରିଟ ରାସ୍ତା ନିର୍ମାଣ କରାଯାଉ। ଅଚାନକ ଚଢ଼ଉ ହେବା ଫଳରେ ୫ଟି ଟ୍ରାକ୍ଟର ଧରା ପଡ଼ିଥିବା ବେଳେ ଆଉ କେତେକ ବାଲି ବୋଝେଇ ଟ୍ରାକ୍ଟର ଫେରାର ମାରିଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ଠା‌ରୁ ପ୍ରକାଶ। ଅନ୍ୟଏକ ଅଭିଯୋଗରୁ ଜଣାଯାଇଛି ଅଙ୍ଗନଦୀରୁ ଜେସିବି ଗାଡ଼ିରେ ୩ ଫୁଟ୍‌ରୁ ବାଲି କଢ଼ାଯାଇ ଚୋରା ଚାଲାଣ ହେଉଥିବା ଏବଂ ହାୱାଇ ଗାଡ଼ିରେ ଡୁଙ୍ଗୁରିପାଲି ଜାତୀୟ ରାଜପଥ ଦେଇ ଯାଉଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯାଉ ନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର