ବନ ବିଭାଗ କାର୍ଯ୍ୟାଳୟ ପଛପଟେ ଚାଲିଛି ବେଆଇନ ସମିଲ

ବାଲିଅନ୍ତା :ବାଳକାଟି ବନ ବିଭାଗ କାର୍ଯ୍ୟାଳୟ ପଛପଟେ ଚାଲିଛି ବେଆଇନ ସମିଲ। ବିଡ଼ମ୍ବନା ଯେ କାର୍ଯ୍ୟାଳୟଠାରୁ ମାତ୍ର ୧୦୦ ମିଟର ଦୂରରେ ଜାଗେଶ୍ବରୀ କଲୋନୀ ଭିତରେ ବର୍ଷ ବର୍ଷ ଧରି ଏହି ସମିଲ ଚାଲିଥିଲେ ମଧ୍ୟ ରେଞ୍ଜ କର୍ତ୍ତୃପକ୍ଷ ସମିଲ ଉଚ୍ଛେଦ ଦିଗରେ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଜଣାଯାଇଛି। ଦିନ ରାତି ୨୪ ଘଣ୍ଠା ଧରି କାଠ ପେଡ଼ା ଚାଲିଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଜନବସତି ଭିତରେ ସମିଲ ଚାଲିବା ଦ୍ବାରା ସ୍ଥାନୀୟ ଲୋକ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । କଲୋନୀ ଭିତର ଗଳିକନ୍ଦି ରାସ୍ତାରେ କାଠ ବୋଝେଇ ଭାରୀଯାନ ଯିବା ଆସିବା କରିବା ଦ୍ବାରା ସ୍ଥାନୀୟ ଲୋକ ଯାତାୟତ କ୍ଷେତ୍ରରେ ନାହିଁନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏନେଇ ଅଧିକାଂଶ ସମୟରେ ଛୋଟବଡ଼ ଦୁର୍ଘଟଣା ଘଟୁଥିବା ଅଭିଯୋଗ ହେଉଛି।

ଖାଲି ସେତିକି ନୁହେଁ ପ୍ରତାପଶାସନ ପଞ୍ଚାୟତ ଗ୍ରାମ୍ୟ ଜଙ୍ଗଲ ନିକଟବର୍ତ୍ତି ଅଞ୍ଚଳରେ ଉକ୍ତ ସମିଲ ଥିବାରୁ ଅବାଧ ବୃକ୍ଷଚ୍ଛେଦନ ଚାଲିଛି। କିଛିଦିନ ତଳେ କାଠ ମାଫିଆମାନେ ଜଣେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ବାଡ଼ିରେ ଥିବା ଚନ୍ଦନ କାଠ ଓ ଶାଗୁଆନ କାଠ କାଟି ନେଇ ଉକ୍ତ ସମିଲରେ ପେଡ଼ି ବିକି ଦେଇଥିଲେ। ହେଲେ ବନ ବିଭାଗ ଅଧିକାରୀ ସଂପୃକ୍ତ ସମିଲ ମାଲିକ ଓ କାଠ ମାଫିଆଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ନେଇ ଉତ୍ତେଜନା ଦେଖାଦେଇଥିଲା। ବାଳକାଟି ଫାଣ୍ଡି ପୁଲିସ କାଠ ଚୋରକୁ ଧରି ପଚରାଉଚରା କରି ଛାଡ଼ି ଦେଇଥିଲା।

ବିଭାଗୀୟ ଅଧିକାରୀ ଚଢ଼ଉ କରି କାଠ ଜବତ କରୁନାହାନ୍ତି କିମ୍ବା ସମିଲ ଉଛେଦ ନେଇ କିଛି ପଦକ୍ଷେପ ଗ୍ରହଣ କରୁନଥିବା ନେଇ ଅସନ୍ତୋଷ ବୃଦ୍ଧି ପାଇଛି। ଖାଲି ସେତିକି ନୁହେଁ ସମିଲ ଚାଲିବା ଯୋଗୁଁ ଶବ୍ଦ ପ୍ରଦୁଷଣ ହେଉଥିବାରୁ ଛାତ୍ରଛାତ୍ରୀଙ୍କ ପାଠପଢ଼ା ବାଧାପ୍ରାପ୍ତ ହେଉଛି। ଏହାକୁ ବିରୋଧ କରୁଥିବା ସ୍ଥାନୀୟ ଲୋକ ସମିଲ ମାଲିକ ଏବଂ କାଠ ମାଫିଆଙ୍କ ଆକ୍ରୋଶର ଶିକାର ହେଉଥିବା ଜଣାଯାଇଛି। ଅନ୍ୟପକ୍ଷରେ ଏସଂପର୍କରେ ବାଲିପାଟଣା ରେଞ୍ଜର ମାନସ କୁମାର ମହାନ୍ତିଙ୍କୁ ପଚାରିବାରେ ଖାଲି ବାଳକାଟି ଓ ଝିଣ୍ଟି ମେଳକ କାହିଁକି ବାଲିଅନ୍ତା ବ୍ଲକର ଅନ୍ୟାନ୍ୟ ସ୍ଥାନରେ ସମିଲ ମାଲିକଙ୍କୁ ନୋଟିସ କରାଯାଇ ଉଚ୍ଛେଦ କରାଯିବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର