ବେଆଇନ ତମାଖୁ କାରବାରର ପେଣ୍ଠସ୍ଥଳୀ ଜେକେପୁର

କଣ୍ଟାବାଞ୍ଜିରୁ ଭାଙ୍ଗ, ବ୍ରହ୍ମପୁର ଫୁଲବାଣୀରୁ ଆସୁଛି ଗୁଟୁଖା; କାଗଜପତ୍ରରେ ସୀମିତ ସ୍ବତନ୍ତ୍ର ଟାକ୍ସଫୋର୍ସ କମିଟି; ଟେର୍ ପାଉନି ପୁଲିସ୍, ବଢ଼ୁଛନ୍ତି କ୍ୟାନସର ରୋଗୀ

ରାୟଗଡ଼ା: କଣ୍ଟାବାଞ୍ଜିରୁ ଭାଙ୍ଗ, ବ୍ରହ୍ମପୁର/ଫୁଲବାଣୀରୁ ଆସୁଛି ଗୁଟୁଖା। କେତେବେଳେ ମାଲବାହୀ ଯାନବାହନ ତ କେତେବେଳେ ଯାତ୍ରୀବାହୀ ବସରେ ସତର୍କତାର ସହ ଚାଲାଣ କରୁଛନ୍ତି ମାଫିଆ। ପୁଲିସକୁ ଚକମା ଦେଇ ଅସାଧୁ ଅଫିସରଙ୍କୁ ହାତବାରିସ୍ କରି ବର୍ଷ ବର୍ଷ ଧରି ଚାଲିଛି ତମାଖୁ କାରବାର। ଯାହାର ପେଣ୍ଠସ୍ଥଳୀ ପାଲଟିଛି ଚାନ୍ଦିଲି ଥାନାର ଜେକେପୁର ଅଞ୍ଚଳ। ରାୟଗଡ଼ା ଜିଲ୍ଲା ସଦର ମହକୁମା ସମେତ ପୁରା ଜିଲ୍ଲାକୁ ଜେକେପୁର ଅଞ୍ଚଳରୁ ଗୁଟୁଖା ସହ ତମାଖୁ ଦ୍ରବ୍ୟ ଚାଲାଣ ହେଉଛି। ୨/୩ ଅଣ ଓଡ଼ିଆ ବ୍ୟବସାୟୀ ଜେକେପୁରରେ ଆଡ୍ଡା ଜମାଇ ଏହି ବେଆଇନ କାରବାର ଚଲାଇଛନ୍ତି। ଆବଶ୍ୟକୀୟ ସାମଗ୍ରୀର ଜାଲ୍ ୱେ ବିଲ୍ ବନାଇ ପୁଲିସ୍ ଓ ବାଣିଜ୍ୟକର ବିଭାଗକୁ ଚକମା ଦେଇ ଗୁଟୁଖା କାରବାର ଚାଲିଛି। ଫଳରେ ବେଆଇନ ଗୁଟୁଖା କାରବାର ରୋକିବାରେ ପୁଲିସ୍ ଫେଲ୍ ମାରିଥିବା ବେଳେ ସରକାର ମାସକୁ ଲକ୍ଷାଧିକ ଟଙ୍କାର ଟ୍ୟାକ୍ସ ହରାଉଛନ୍ତି। ପୁଲିସ ଠାରୁ ଦୁଇ ପାଦରେ ଆଗରେ ରହି ମାଫିଆ ଚଢ଼ାଉ ଭୟରେ ଭାଙ୍ଗ, ଗୁଟୁଖା ଓ ତମାଖୁ ସାମଗ୍ରୀ ମହଜୁଦ୍ ରଖୁଥିବା ସ୍ଥାନକୁ ବାରମ୍ବାର ପରିବର୍ତ୍ତନ କରୁଛନ୍ତି। ଯାହାର ସୁରାକ୍ ପାଇ ପାରୁନି ପୁଲିସ୍। ୨୦୨୦ ରେ ଚାନ୍ଦିଲି ପୁଲିସ୍ ଜେକେପୁରରୁ ଗୁଟୁଖା ଭର୍ତ୍ତି କଣ୍ଟେନରକୁ ଜବତ କରିଥିଲା।

ଉତ୍ତରପ୍ରଦେଶରୁ ଆସିଥିବା ଏହି କଣ୍ଟେନନରୁ ୪୫ ଲକ୍ଷ ଟଙ୍କାର ବେଆଇନ ଗୁଟୁଖା ଜବତ ହୋଇଥିବା ବେଳେ ଅନ୍ୟ ଏକ ଟ୍ରକରୁ ୧୫ ଲକ୍ଷ ଟଙ୍କାର ଗୁଟୁଖା ଜବତ କରିଥିଲା। ସେହିପରି ରାୟଗଡ଼ା ପୁଲିସ୍ ସାଇପ୍ରିୟା ନଗରରେ ଚଢ଼ାଉ କରି ଏକ ଗୋଦାମରୁ ୩୦ ଲକ୍ଷରୁ ଉର୍ଧ୍ବ ଟଙ୍କାର ଗୁଟୁଖା ଜବତ କରିଥିଲା। ଗୁଣପୁର ପୁଲିସ୍ ମଧ୍ୟ ସହରର ବିଭିନ୍ନ ସ୍ଥାନରେ ଘନ ଘନ ଚଢ଼ଉ କରି ଲକ୍ଷାଧିକ ଟଙ୍କାର ଗୁଟୁଖା ଜବତ କରିବା ସହିତ ମାଫିଆଙ୍କୁ ସାବାଡ଼ କରିଥିଲା। କିନ୍ତୁ ଏହା ପରଠୁ ରାୟଗଡ଼ା ପୁଲିସକୁ ଗୁଟୁଖା ଜବତ ମାମଲାରେ ବଡ଼ ଧରଣର ସଫଳତା ମିଳିନି। ଚଢ଼ଉ ଆଖିଦୃଶିଆ ହେଉନଥିବାରୁ ଲକଡାଉନ୍/ସଟଡାଉନ୍ ସତ୍ତ୍ବେ ବେଧଡ଼କ ଭାବେ ଚାଲିଛି ବେଆଇନ କାରବାର। ୨୦୨୧ ମେ ୨୭ରେ ଚାନ୍ଦିଲି ପୁଲିସ୍ ଜେକେପୁରରେ ଚଢ଼ାଉ କରି ୪ ବସ୍ତା ଗୁଟୁଖା ଜବତ କରିବା ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଗୁଟୁଖା ବିକ୍ରିକୁ ରାଜ୍ୟ ସରକାର ନିଷିଦ୍ଧ କରିବା ପରେ ବେଆଇନ କାରବାର ରୋକିବାକୁ ପୁଲିସ୍-ଡ୍ରଗସ ନୀରିକ୍ଷକ-ସ୍ବାସ୍ଥ୍ୟ ବିଭାଗକୁ ଦାୟିତ୍ବ ପ୍ରଦାନ କରାଯାଇଛି। ସ୍ବତନ୍ତ୍ର ଟାକ୍ସଫୋର୍ସ କମିଟି ଗଠନ କରି ପ୍ରତି ମାସରେ ଚଢ଼ଉ କରିବାକୁ ନିର୍ଦେଶ ରହିଛି।

ହେଲେ ଏହି ୩ ବିଭାଗ ମଧ୍ୟରେ ସମନ୍ବୟର ଅଭାବ ଯୋଗୁ ଗୁଟୁଖା ବିକ୍ରିରେ ଲଗାମ ଲାଗି ପାରୁନି। ସ୍କୁଲ୍, କଲେଜ ଆଗରେ ଗୁଟୁଖା ବିକ୍ରି ହେଉଥିବା ବେଳେ ବହୁଳ ବିକ୍ରି ଯୋଗୁ ଏହାକୁ ସେବନ କରି ଲୋକେ କ୍ୟାନସରର ଶିକାର ହେଉଛନ୍ତି। ସରକାରୀ ସୂଚନା ମୁତାବକ ଆଜି ସୁଦ୍ଧା ଜିଲ୍ଲାରୁ ୯୫ କ୍ୟାନସର ରୋଗୀ ଚିହ୍ନଟ ହୋଇଛନ୍ତି। ୨୦୧୮-୧୯ରେ କ୍ୟାନସର ରୋଗୀ ସଂଖ୍ୟା ୫୨ ଥିବା ବେଳେ ୨୦୧୯-୨୦ ରେ ୭୦, ୨୦୨୦-୨୧ ମସିହାରେ ୯୫ରେ ପହଞ୍ଚିଛି। ଯାହାଙ୍କ ମଧ୍ୟ ମୁଖ କର୍କଟ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ।

ସମ୍ବନ୍ଧିତ ଖବର