ଭଞ୍ଜନଗର: ବାଉଁଶ ଗଜା ଧରିବା ଆରମ୍ଭ ହେଉ ହେଉ ବଜାରରେ ଆରମ୍ଭ ହୋଇଗଲାଣି ବାଉଁଶ ଗଜା ବା କରଡ଼ି ବ୍ୟବସାୟ। ଗଲା କିଛି ବର୍ଷ ଭିତରେ କରଡ଼ି ପ୍ରତି ଗ୍ରାହକଙ୍କ ଆଗ୍ରହ ବଢ଼ିଛି। ଫଳରେ ବଜାର ଘାଟ ଠାରୁ ଆରମ୍ଭ କରି ଗାଁ ଗହଳି ସବୁଠାରେ ଖୋଲାମେଲାରେ ବିକ୍ରି ହେଉଛି କରଡ଼ି। ନୂଆ ନୂଆ ଗଜା ହେତୁ ଏହାର ବଜାର ଚାହିଦା ବେଶ ଅଧିକା ରହିଛି। ଏହାକୁ ଦୃଷ୍ଟିରେ ରଖି ଭଞ୍ଜନଗର ସହରର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବଜାରରେ ଏହା ବିକ୍ରି ହେଉଛି। ଉଦ୍ବେଗର ବିଷୟ ହେଲା, ଘଞ୍ଚ ଉତ୍ତର ଓ ଦକ୍ଷିଣ ଘୁମୁସର ଜଙ୍ଗଲରୁ ପ୍ରତିଦିନ ଶହ ଶହ ଗଜା ବାଉଶ କାଟି କରଡ଼ି ସଂଗ୍ରହ କରି କିଛି ଅସାଧୁ ବେପାରୀ ଏହାକୁ ବାହାରକୁ ମଧ୍ୟ ଅବାଧ ଚାଲାଣ କରୁଛନ୍ତି। ବିଶେଷ କରି ଏହି କରଡ଼ି ଜଙ୍ଗଲ ଭିତରୁ ସଂଗ୍ରହ କରା ଯାଉଥିବା ବେଳେ ଏଭଳି କରଡ଼ି ସଂଗ୍ରହ କରିବା ବେଆଇନ ବୋଲି ଅନେକ ଅଜ୍ଞ ରହିଛନ୍ତି। ନା କେହି ଅଛି ତଦାରଖ କରିବାକୁ ନା କେହି ଜଗିବାକୁ। ଏଭଳି ସ୍ଥିତିରେ ବାଉଁଶ ଜଙ୍ଗଲ କିଭଳି ସୃଷ୍ଟି ହେବ ସେନେଇ ଚିନ୍ତା ପ୍ରକଟ କରିଛନ୍ତି ପରିବେଶବିତ୍।
ମୁଖ୍ୟତଃ ହାତୀଙ୍କ ପ୍ରମୁଖ ଖାଦ୍ୟ ଭାବରେ ପରିଚିତ ବାଉଁଶ ବଣ। ବର୍ତ୍ତମାନ ପୂର୍ବ ଅପେକ୍ଷା ବାଉଁଶ ବଣ ଦ୍ରୁତ ବେଗରେ ହ୍ରାସ ପାଇ ଚାଲିଥିବାରୁ ଅନେକ ସମୟରେ ହାତୀପଲ ଖାଦ୍ୟାଭାବରୁ ଜନବସତି ମୁହାଁ ହେଉଥିବା ଖବର ମଧ୍ୟ ସାମ୍ନାକୁ ଆସୁଛି। ବିଶେଷ କରି ବର୍ଷା ଋତୁରେ ବାଉଁଶ ଗଜା ବାହାରି ଥାଏ। ତାହା ବଢ଼ି ବାଉଁଶ ଗଛରେ ପରିଣତ ହୋଇଥାଏ। ହେଲେ ଏହି ଗଜା ବାହାରିବା କ୍ଷଣି ଏହାକୁ କାଟି ଦେବା ଫଳରେ ବାଉଁଶ ଜଙ୍ଗଲ ବୃଦ୍ଧି ପାଇବାରେ ଏହା ପ୍ରମୁଖ ପ୍ରତିବନ୍ଧକ ସୃଷ୍ଟି କରୁଛି। ଏବେ ବାଉଁଶ ଗଜା ବାହାରିବା ଆରମ୍ଭ ହୋଇଥିବା ବେଳେ ବଜାରରେ ତାହାର ବିକ୍ରି ମଧ୍ୟ ଆରମ୍ଭ ହୋଇଗଲାଣି। ଏହାର ରକ୍ଷଣାବେକ୍ଷଣା ପାଇଁ ସରକାର ରାଜକୋଷରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଉଛି। ଘୁମୁସର ଜଙ୍ଗଲର ବାଉଁଶ ବଣ ଦିନେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲା। ତାକୁ ଦୃଷ୍ଟିରେ ରଖି ଗୋଟିଏ କାଗଜଶିଳ୍ପର ଏକ କାର୍ଯ୍ୟାଳୟ ମଧ୍ୟ ଏଠାରେ ପ୍ରତିଷ୍ଠା ହୋଇଥିଲା। କିନ୍ତୁ ଏଭଳି ସ୍ଥିତି ଧୀରେ ଧୀରେ ବାଉଁଶ ବଣକୁ ନଷ୍ଟ କରିବାକୁ ବସିଛି। ରକ୍ଷଣାବେକ୍ଷଣ ସହ ଗ୍ରୀଷ୍ମ ଦି​ନେ ଜଙ୍ଗଲ ନିଆଁରେ ଅନେକ ସ୍ଥାନରେ ବାଉଁଶ ବଣ ନଷ୍ଟ ହେଉଥିବାର ମଧ୍ୟ ନଜିର ରହିଛି।
ଗଜାରୁ କାଟି କରଡ଼ି ବେପାର, ବାଉଁଶ ଜଙ୍ଗଲ ପ୍ରତି ବିପଦ
ବାଉଁଶ ବଣ ଲୋପ ପାଇଯାଉଛି, ନୂଆ ସୃଷ୍ଟି ହେଉନି
ଜଙ୍ଗଲ ନିକଟବର୍ତ୍ତୀ ଗ୍ରାମବାସୀ ଏହାକୁ ପାରମ୍ପରିକ ଖାଦ୍ୟ ଭାବେ ସଂଗ୍ରହ କରୁଥିବା ପୁରୁଣା କଥା। କିନ୍ତୁ ଏହାର ବେପାର ବଢ଼ିବା ସହ ସ୍ଥାନୀୟ ବ୍ୟବସାୟୀ ମାନେ ଏହି ଗ୍ରାମବାସୀଙ୍କ ଠାରୁ ବହୁ କମ୍ ମୂଲ୍ୟରେ କିଣି ସହରରେ ବିକ୍ରି କରି ଅଧିକ ଲାଭବାନ ହୋଇଥାନ୍ତି। ଏଦିଗରେ ପ୍ରାକ୍ତନ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ବାବଧାରକ ଶୂଳପାଣି ଶତପଥୀ ଏଭଳି ବେଆଇନ କରଡ଼ି ବ୍ୟବସାୟ ​ଉପରେ ରୋକ ଲଗାଇବା ପାଇଁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ନହେଲେ ଉତ୍ତର ଘୁମୁସର ଜଙ୍ଗଲରୁ ବାଉଁଶ ବଣ ଲୋପ ପାଇଯିବ ବୋଲି କହିଛନ୍ତି। ଏଥିସହ ଘୁମୁସର ବନଖଣ୍ଡରେ ରହିଥିବା ବନ ସୁରକ୍ଷା ସମିତି ଗୁଡ଼ିକୁ ସାମିଲ କରି ସେମାନଙ୍କ ଏଭଳି କରଡ଼ି ସଂଗ୍ରହ କରିବା ବେଆଇନ ସଂର୍ପକରେ ସଚେତନ କରିବାକୁ ଶ୍ରୀ ଶତପଥୀ ଦାବି କରିଛନ୍ତି। ଅନ୍ୟପକ୍ଷେ କିଛି ସମାଜସେବୀ ଏଭଳି ଗରିବ ବ୍ୟବସାୟୀ ମାନେ ନିଜ ପରିବାର ପ୍ରତିପୋଷଣ ପାଇଁ ୨ ପଇସା ଆଶାରେ ଏଭଳି ବ୍ୟବସାୟ କରୁଥିବା ବେଳେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବଦଳରେ ସେମାନଙ୍କୁ ସଚେତନ କରିବା ସହ ବିକଳ୍ପ ରୋଜଗାର ପନ୍ଥା ଯୋଗାଇବାକୁ ଦାବି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/07/4-17.jpg)