ଆସିକା: ଆସିକା ସ୍ଥିତ ସମବାୟ ଚିନିଶିଳ୍ପରେ ଏବେ ବିନା ପିସିରେ କାମ ଚାଲୁନି। ଏଠି କିଣିଲେ ପିସି ବିକିଲେ ପିସି। କିଛି ପଦସ୍ଥ ଅଧିକାରୀଙ୍କ ପିସି ବ୍ୟବସାୟ କାରଣରୁ ଚିନିଶିଳ୍ପ ଏବେ ଦୟନୀୟ ସ୍ଥିତିରେ ପହଞ୍ଚିଛି। ଟେଣ୍ଡର ନ କରି ବର୍ଷ ବର୍ଷ ଧରି ବହୁ କିଣାବିକା କାର୍ଯ୍ୟକୁ ନବୀକରଣ କରି ଏକ ନିର୍ଦ୍ଦିଷ୍ଟ କମ୍ପାନି ପ୍ରତି ଅନୁକମ୍ପା ଦେଖାଇ ଶିଳ୍ପକୁ ଡୁବାଇ ଦେବାକୁ କିଛି କୁଚକ୍ରୀ ଅଧିକାରୀ ଉଦ୍ୟମ ଜାରି ରଖିଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି। ପରିଚାଳନା କମିଟିର କିଛି ନିର୍ବାଚିତ ନିର୍ଦ୍ଦେଶକ ଓ ଉପସଭାପତି। ଚିନିଶିଳ୍ପ ବଟଲିଂ ପ୍ଲାଣ୍ଟ ପାଇଁ କାଚବୋତଲ କିଣା ଦୁର୍ନୀତି ତାଜା ଥିବା ବେଳେ ଏବେ ନିର୍ଦ୍ଦେଶକ ମାନେ ମୋଲାସେସ୍ ବିକ୍ରିରେ ହେଉଥିବା ମହାଦୁର୍ନୀତିକୁ ଲୋକଲୋଚନକୁ ଆଣିଛନ୍ତି। ଚିନିଶିଳ୍ପରୁ ବିକ୍ରି ହୋଇଥିବା ୯୦୦ ମେଟ୍ରିକ ଟନ୍ ମୋଲାସେସ୍ ବିକ୍ରିରେ ଦୁର୍ନୀତି ସମ୍ପର୍କରେ ଆଜି ପରିଚାଳନା ପରିଷଦର ଉପସଭାପତି ସ୍ନେହଲତା ଚଣ୍ଡଙ୍କ ସମେତ ବହୁ ନିର୍ଦେଶକ ଚିନିଶିଳ୍ପ ବୈଠକ ଗୃହରେ ଏକତ୍ରିତ ହୋଇ ଆଲୋଚନା କରିବା ସହ ହେଉଥିବା ଦୁର୍ନୀତିର ତଦନ୍ତ କରିବା ନେଇ ପରିଚାଳନା ନିର୍ଦ୍ଦେଶକ, ଗଞ୍ଜାମ ଜିଲାପାଳ, ସମବାୟ ସଂସ୍ଥାର ନିର୍ଦ୍ଦେଶକଙ୍କୁ ପତ୍ର ଲେଖିଛନ୍ତି। ଗତ କିଛିବର୍ଷ ହେଲା ଚିନିଶିଳ୍ପ ନିୟମିତ ଭାବେ ନିର୍ଦ୍ଦିଷ୍ଟ କେତୋଟି ସଂସ୍ଥା ଠାରୁ କିଣାବିକା କରୁଛି। ସେହି ନିର୍ଦ୍ଧିଷ୍ଟ ସଂସ୍ଥା ଅନ୍ୟ କେତୋଟି ନକଲି ସଂସ୍ଥାର କାଗଜପତ୍ର କରି ଶିଳ୍ପସଂସ୍ଥାରୁ ଟେଣ୍ଡର ହାତେଇବାରେ ସକ୍ଷମ ହେଉଛନ୍ତି।
ଗତବର୍ଷ ଯେଉଁ ସଂସ୍ଥାକୁ ୧୦ ହଜାରରୁ ଊର୍ଦ୍ଧ୍ବ ଟଙ୍କାରେ ୧ ମେଟ୍ରିକ ଟନ ମୋଲାସେସ୍ ବିକ୍ରି କରା ଯାଇଥିଲା ଚଳିତ ବର୍ଷ ସେହି କମ୍ପାନିକୁ ୩୦୦୦ କମ୍ ଅର୍ଥାତ ୭ ହଜାର ଟଙ୍କାରେ ମୋଲାସେସ୍ ବିକ୍ରି କରି ୨୯୭ ଲକ୍ଷ ଟଙ୍କାର ଆର୍ଥିକ ଅନିୟମିତତା କରାଯାଇଛି। ପରିଚାଳନା ପରିଷଦର ବୈଠକରେ ଆଲୋଚନା ନ ହେବା ପର୍ଯ୍ୟନ୍ତ କୌଣସି ଟେଣ୍ଡର୍ ଆହ୍ୱାନ ନ କରିବା ଏବଂ କୌଣସି ବିକ୍ରି ଓ କ୍ରୟ କାର୍ଯ୍ୟକୁ ନବୀକରଣ ନ କରିବାକୁ ଅନୁରୋଧ କରିଛନ୍ତି। ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବଟଲିଂ ପ୍ଲାଣ୍ଟ ସହିତ ସମସ୍ତ ବ୍ୟବସାୟିକ କାରବାରର ନୀତି ନିର୍ଦ୍ଧାରଣ ପାଇଁ ଅନୁରୋଧ କରିଛନ୍ତି। ସୂଚନାଯୋଗ୍ୟ ଯେ, ଚିନିଶିଳ୍ପକୁ ଗତ ତିନିବର୍ଷରେ ରାଜ୍ୟ ସରକାର ୩୦ କୋଟି ଟଙ୍କାର ଆର୍ଥିକ ସହାୟତା ଦେଇଥିଲେ। କିନ୍ତୁ ଆଜି ପର୍ଯ୍ୟନ୍ତ ଚିନିଶିଳ୍ପ କର୍ତ୍ତୃପକ୍ଷ ୧୯ କୋଟିରୁ ଊର୍ଦ୍ଧ୍ଵ ଟଙ୍କାର ବିନିଯୋଗ ସାର୍ଟିଫିକେଟ ଦେଇ ପାରିନାହାନ୍ତି। ଗତ ଫେବ୍ରୁଆରି ମାସରେ ଚିନିଶିଳ୍ପରେ ହେଉଥିବା ଅନିୟମିତତାକୁ ଦେଖି ନିର୍ଦ୍ଦେଶକ ମାନେ ପରିଚଳନା ପରିଷଦର ସଭାପତିଙ୍କୁ ଜରୁରି ବୈଠକ ପାଇଁ ପତ୍ର ଲେଖିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୋଣସି ବୈଠକ ଡକା ଯାଇନଥିବାରୁ ନିର୍ଦ୍ଦେଶକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।