ଖୋର୍ଦ୍ଧା: ଖୋର୍ଦ୍ଧା ଶିକ୍ଷା ମଣ୍ଡଳ କାର୍ଯ୍ୟାଳୟରେ ଦୁର୍ନୀତି ଓ ଅନିୟମିତତାକୁ ନେଇ ବିଭାଗୀୟ କର୍ମଚାରୀ ଓ ଅଧିକାରୀଙ୍କ ମଧ୍ୟରେ ପରସ୍ପର ଦୋଷାରୋପ ଘଟଣା ଏବେ ହାଟରେ ପଡ଼ି ଦାଣ୍ଡରେ ଗଡ଼ୁଛି। କାର୍ଯ୍ୟାଳୟର ଜନୈକ କନିଷ୍ଠ ସହାୟକଙ୍କ ଅଭିଯୋଗ ପରେ ଉକ୍ତ ସହାୟକଙ୍କ ବିରୋଧରେ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାାନୁଷ୍ଠାନ ଗ୍ରହଣ କରାଯାଇଥିବା ବେଳେ ଗୋଷ୍ଠୀ ଶିକ୍ଷାଧିକାରୀ ଓ ସହାୟକ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲା ଶିକ୍ଷାଧିକାରୀ ସ୍କୁଲ ଓ ଗଣଶିକ୍ଷା ନି‌ର୍ଦେଶାଳୟକୁ ସୁପାରିଶ କରିଛନ୍ତି। ସୂଚନାନୁସାରେ, ୧୫ ଶିକ୍ଷକଙ୍କ ନିୟମିତ କରିବା ନିମନ୍ତେ ବିଇଓ, ଏବିଇଓ ଓ କାର୍ଯ୍ୟାଳୟର କନିଷ୍ଠ ସହାୟକ କିରାଣୀ ଶିକ୍ଷକଙ୍କ ଠାରୁ ଟଙ୍କା ଆଦାୟ କରି ଖୋର୍ଦ୍ଧା ବିଇଓ କାର୍ଯ୍ୟାଳୟ ପାଇଁ ରେଫ୍ରିଜେରେଟର, ବାସନକୁସନ ଆଦି କେତେକ ସାମଗ୍ରୀ କିଣିଥିବା ଅଭିଯୋଗ ହୋଇଥିଲା। ଏହି ଅଭିଯୋଗକୁ ନେଇ ଶିକ୍ଷକ ସଂଘ, ବିଭାଗୀୟ ଅଧିକାରୀ ଓ ଅଧସ୍ତନ କର୍ମଚାରୀଙ୍କ ବିବାଦ ଘନେଇଥିଲା। ପରସ୍ପର ପରସ୍ପର ବିରୋଧରେ ଅଭିଯୋଗ କରିଥିଲେ। ଚଳିତବର୍ଷ ନଭେମ୍ବର ମାସରେ, ନିଖିଳ ଉକ୍ରଳ ପ୍ରାଥମିକ ଶିକ୍ଷକ ସଂଘ ଖୋର୍ଦ୍ଧା ବ୍ଲକ ଶାଖା ପକ୍ଷରୁ ବିଇଓ କାର୍ଯ୍ୟାଳୟର କନିଷ୍ଠ ସହାୟକ କିରାଣି ହିମାଂଶୁ ମୋହନ ପରିଡ଼ାଙ୍କୁ ବଦଳି ପାଇଁ ସୁପାରିଶ କରିଥିଲେ। ତେବେ ଏଭଳି ସୁପାରିଶ କରିବା ସଂଘର ନୀତିର ବିରୁଦ୍ଧାଚରଣ କରୁଛି ବୋଲି ସଂଘର କାର୍ଯ୍ୟକାରୀ କମିଟି ଖୋର୍ଦ୍ଧା ବ୍ଲକର ସଂଘ ସଭାପତିଙ୍କ ବିରୋଧରେ ପାଲଟା ଅଭିଯୋଗ କରିଥିଲେ। ଏହି ବିବାଦ ଶେଷରେ ଜିଲ୍ଲା ଶିକ୍ଷାଧିକାରୀ ଓ ଜିଲ୍ଲାପାଳଙ୍କ ନିକଟରେ ପହଂଚିଥିଲା। ବିଇଓ ସଂଧ୍ୟାରାଣୀ ରାଉତ ଓ ଏବିଇଓ ଭରତ ଚନ୍ଦ୍ର ପ୍ରଧାନଙ୍କ ବିରୋଧରେ ବିଭାଗୀୟ କନିଷ୍ଠ ସହାୟକ କିରାଣି ହିମାଂଶୁ ମୋହନ ପରିଡ଼ା ଜିଲ୍ଳାପାଳଙ୍କ ଠାରେ ଅଭିଯୋଗ କରିଥିଲେ। ଜିଲ୍ଲାପାଳ ଏହାର ତଦନ୍ତ କରି ପଦକ୍ଷେପ ନେବାକୁ ଜିଲ୍ଲା ଶିକ୍ଷାଧିକାରୀ ବିଶ୍ୱନାଥ ତରାଇଙ୍କୁ ନିର୍ଦେଶ ଦେଇଥିଲେ।

Advertisment

ଚଳିତବର୍ଷ ସେପ୍ଟମ୍ବର ୧୫ରେ ଡିଇଓ ଏହାର ତଦନ୍ତ କରିଥିଲେ। ତଦନ୍ତ ରିପୋର୍ଟ ଅନୁସାରେ, ବିଇଓଙ୍କ ବିନା ଅନୁମୋଦନରେ ହିମାଂଶୁ ପରିଡ଼ା ପ୍ରାୟ ଦେଢ଼ ମାସ ଛୁଟିରେ ରହିଥିଲେ। ଏପରିକି ବିଇଓଙ୍କ ବାରମ୍ବାର ଚିଠି ସତ୍ୱେ ସେ ନଥିପତ୍ର ହସ୍ତାନ୍ତର କରିନଥିଲେ। ସେହିଭଳି ବିଇଓଙ୍କ ଜ୍ଞାତସାରରେ ୧୫ଜଣ ଶିକ୍ଷକଙ୍କ ଠାରୁ ୬ ହଜାର ଟଙ୍କା ଆଦାୟ ହୋଇଥିବା ଓ ଏବିଇଓ ଭରତ ଚନ୍ଦ୍ର ପ୍ରଧାନ ନିଜ ପକେଟରୁ ୩ହଜାର ଟଙ୍କା ମିଶାଇ କାର୍ଯ୍ୟାଳୟ ପାଇଁ ହଣ୍ଡାହାଣ୍ଡି ଆଦି ରନ୍ଧନସାମଗ୍ରୀ କଣିଥିବା ଯାଂଚ ବେଳେ ସ୍ୱୀକାର କରିଛନ୍ତି। ଏହି ରିପୋର୍ଟ ଆଧାରରେ ନଭେମ୍ବର ୨୦ ତାରିଖରେ କନିଷ୍ଠ ସହାକାରୀ କିରାଣିଙ୍କ ବିରୋଧରେ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ତାଙ୍କୁ ୩୦ ଦିନ ମଧ୍ୟରେ ନିଜ ଉପରେ ଥିବା ଅଭିଯୋଗର ସ୍ପଷ୍ଟୀକରଣ ଦାଖଲ କରିବାକୁ ନିର୍ଦେଶ ଦିଆଯାଇଛି। ଯେହେତୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଅଧିକାର ବିଭାଗୀୟ ନିର୍ଦେଶକଙ୍କ ରହିଛି, ଏଣୁ ଜିଲ୍ଲା ଶିକ୍ଷାଧିକାରୀ ବିଇଓ ଶ୍ରୀମତି ରାଉତ ଓ ଏବିଇଓ ଶ୍ରୀ ପରିଡ଼ାଙ୍କ ବିରୋଧରେ ପଦକ୍ଷେପ ନେବାକୁ ସୁପାରିଶ କରିଛନ୍ତି। ତେବେ ଡିଇଓଙ୍କ ସୁପାରିଶ ଚିଠିରେ ଏବିଓଙ୍କ ନାମ ତ୍ରୁଟିପୂର୍ଣ୍ଣ ଭାବେ ଭରତ ଭୂଷଣ ପରିଡ଼ା ବୋଲି ଦର୍ଶାଯାଇଥିବାକୁ ନେଇ ଏବେ ନୂଆ ବିବାଦ ସୃଷ୍ଟି ହୋଇଛି। ସୂଚନାଯୋଗ୍ୟ, ଚଳିତ ବର୍ଷ ନଭେମ୍ବର ମାସରେ ଖୋର୍ଦ୍ଧା ପୌରାଂଚଳର ପ୍ରଦୀପ କୁମାର ଦାସ ଜିଲ୍ଲାପାଳଙ୍କ ଠାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗରେ, ତାଙ୍କ ଅବସରପ୍ରାପ୍ତ ଶିକ୍ଷକ ପତ୍ନୀଙ୍କ ବକୟା ପ୍ରାପ୍ୟ ପାଇବା ପାଇଁ ବିଇଓ କାର୍ଯ୍ୟାଳୟର ଗୋଷ୍ଠୀ ଶିକ୍ଷାଧିକାରୀ, ସିଆର୍ସିସି ତାଙ୍କୁ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ବୋଲି ଦର୍ଶାଇଥିଲେ।