ବାପନପାଲ୍ଲୀ ଅଂଗନବାଡି ନିଯୁକ୍ତିରେ ଜାଲିଆତି ଅଭିଯୋଗ

ଅଭିଯୋଗ ପରେ ବି ବିଭାଗୀୟ ଅଧିକାରୀ ଚୁପ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଦୁର୍ନୀତି ବଢିବାରେ ଲାଗିଛି। ତତ୍କାଳୀନ ଦୁଇ ଦୁଇଟି ଜିଲ୍ଲାପାଳଙ୍କ ନାମରେ ସେତେବେଳେ କଂଗ୍ରେସ ଦୁର୍ନୀତି ଅଭିଯୋଗ କରି ଏଠାରୁ ବଦଳି କରାଇବାରେ ସଫଳ ହୋଇଛି। ସେହିପରି ସମ୍ମନ୍ବୟ ଆଦିବାସୀ ସଂସ୍ଥାରେ ମଧ୍ୟ କିପରି କାମକୁ ନେଇ ଦୁର୍ନୀତି ହେଉଛି ତାହା ମଧ୍ୟ ପଦାରେ ପଡି ହାଟରେ ଗଡିଛି। ଏବେ ପୁଣି ସମ୍ମନ୍ବୀତ ଶିଶୁ ବିକାଶ କେନ୍ଦ୍ରରେ କିପରି ଜାଲିଆତି କରି ଅଂଗନବାଡି କର୍ମୀଙ୍କୁ ନିଯୁକ୍ତି ଦିଆଯାଉଛି, ସେନେଇ ଅଭିଯୋଗ କରାଯାଇଛି। ମାଲକାନଗିରି ବ୍ଲକର ପଡିଆ ସମନ୍ବୀତ ଶିଶୁ ବିକାଶ କେନ୍ଦ୍ରରେ ଏକବର୍ଷ ଧରି ବାପନପାଲ୍ଲୀ ଅଂଗନବାଡି ପଦବୀ ଖାଲି ପଡିଥିଲା। ତେବେ ଏହି ଅଂଗନବାଡି କେନ୍ଦ୍ରରେ ଅଂଗନବାଡି ଦିଦିଙ୍କ ନିଯୁକ୍ତି ପାଇଁ ଗତ ଜାନୁଆରି ୨୦ ତାରିଖ ଶେଷ ତାରିଖ ଧାର୍ଯ୍ୟ କରାଯାଇଥିଲା।

ସ୍ଥାନୀୟ ପ୍ରମିଳା ମାଡକାମୀ ବାପନପାଲ୍ଲୀ ଗ୍ରାମର ହୋଇଥିବା ବେଳେ ଯୁକ୍ତଦୁଇ ସମାପ୍ତ କରିବା ପରେ ଏଏନ୍‌ଏମ ପାଠ୍ୟକ୍ରମ ସମାପ୍ତ କରିଛନ୍ତି। ଏଥିସହ ସେ ଚିତ୍ରକୋଣ୍ଡାରେ ଶିଶୁ ଓ ମହିଳା କଲ୍ୟାଣ ସମିତିରେ ଏକ ବର୍ଷର ଅଭିଜ୍ଞତା ମଧ୍ୟ ରହିଛି।ପ୍ରମିଳା ସ୍ଥାନୀୟ ବାସିନ୍ଦା ପ୍ରମାଣ ପତ୍ର ମଧ୍ୟ ଦାଖଲ କରିଛନ୍ତି। ପ୍ରମିଳା ସହ ୫ ଜଣ ଏହି ପଦବୀ ପାଇଁ ଆବେଦନ କରିଥିଲେ। ତେବେ ଏହି ଝିଅକୁ ନିଯୁକ୍ତି ଦେବା ବଦଳରେ ସିମିଳିବାଞ୍ଛା ପଞ୍ଚାୟତର ଗୋରଖପାଲୀ ଗ୍ରାମର ବିଜୁଳି ତେଲାମ ନାମକ ଝିଅକୁ ଅଂଗନବାଡି କର୍ମୀ ରୂପେ ନିଯୁକ୍ତି ଦିଆଯାଇଛି। ତେବେ ବିଜୁଳି ବାପନପାଲ୍ଲୀ ଗ୍ରାମରେ ବାହା ହୋଇଥିବା ଦର୍ଶାଇବା ସହ ସେ ଉଚ୍ଚ ଶିକ୍ଷିତା ଦର୍ଶାଯାଇ ଚାକିରି ପ୍ରଦାନ କରାଯାଇଥିବା ବିଭାଗ କହୁଛି। ଅନ୍ୟଦିଗରେ କିନ୍ତୁ ଏହି ଅଂଗନବାଡି କେନ୍ଦ୍ରର ନିଯୁକ୍ତି ବିଜ୍ଞାପନ ବାହାରିବା ଏବଂ ଯାଞ୍ଚ ସମୟରେ ବିଜୁଳି ଏହି ଗ୍ରାମରେ ବାହା ହୋଇ ଆସିନଥିଲେ।

ଗତ ଜାନୁୟାରୀ ୨୨ ତାରିଖରେ ଏହି ନିଯୁକ୍ତି ପାଇଁ ବିଭାଗ ତରଫରୁ ଯାଞ୍ଚ କରାଯାଇଥିଲା। ବିଜୁଳି ମଧ୍ୟ ଏଥିପାଇଁ ଆବେଦନ କରିଥିଲେ। କିନ୍ତୁ ସେ ସ୍ଥାୟୀ ପ୍ରମାଣ ପତ୍ର ଦାଖଲ କରିପାରିନଥିଲେ। କାରଣ ବିଜୁଳିକୁ ଗତ ଜାନୁୟାରୀ ୨୮ ତାରିଖରେ ସ୍ଥାୟୀ ପ୍ରମାଣ ପତ୍ର ମିଳିଥିବା ସୂଚନା ଅଧିକାର ଆଇନ ବଳରେ ତହସିଲ ପକ୍ଷରୁ ଜଣାପଡିଛି। ତେବେ ବିଜୁଳି ଫେବ୍ରୁଆରି ୨୨ ତାରିଖରେ ବାପନପାଲ୍ଲୀର କାହ୍ନୁଚରଣ କମରାମିଙ୍କୁ ବିବାହ କରିଥିଲେ। ଏହା ପୂର୍ବରୁ ସେ କିପରି ଏଠାର ସ୍ଥାୟୀ ବାସିନ୍ଦା ପ୍ରମାଣ ପତ୍ର ପାଇଲେ ସେନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଯେତେବେଳେ ବିଜୁଳି ଅଂଗନବାଡି କର୍ମୀ ପାଇଁ ଆବେଦନ କଲେ ସେତେବେଳେ ସେ ସ୍ଥାୟୀ ପ୍ରମାଣ ପତ୍ର କେଉଁଠୁ ଆଣିଥିଲେ।ବିଭାଗୀୟ ଯାଞ୍ଚ ବେଳେ ଏହା ଦେଖାଯାଇନଥିଲା କି ବୋଲି ପ୍ରଶ୍ନ କରାଯାଇଛି। ବାପନପାଲ୍ଲୀ ଅଂଗନବାଡି କେନ୍ଦ୍ରରେ କର୍ମୀଙ୍କୁ ନିଯୁକ୍ତି ଜାଲିଆତି ହୋଇଥିବା ନେଇ ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କରାଯାଇଥିଲା। କିନ୍ତୁ ଏହା ଜାଲିଆତି ହୋଇନଥିବା ଦର୍ଶାଇ ଫେରାଇ ଦେଇଥିଲେ। ଏହାପରେ ଗତ ଫେବ୍ରୁଆରି ୩ ତାରିଖରେ ଜିଲ୍ଲାପାଳଙ୍କୁ ପ୍ରମିଳା ଭେଟି ନିଯୁକ୍ତିରେ ଜାଲିଆତି ହୋଇଥିବା ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ପୁଣି ଫେବ୍ରୁଆରି ୧୦ ତାରିଖରେ ଉପଜିଲ୍ଲାପାଳଙ୍କୁ ଭେଟି ଗୁହାରି କରିଥିଲେ ସେ ମଧ୍ୟ ଚୁପ ରହିଯାଇଥିଲେ।

Sambad

ସାଂସଦ ନବରଂଗପୁର ଏବଂ ବିଡିଓଙ୍କୁ ଗତ ମାର୍ଚ୍ଚରେ ଜଣାଇବା ପରେ ମଧ୍ୟ କେହି ସହଯୋଗ କରିନଥିଲେ। ଏହାପରେ ମଧ୍ୟ ପ୍ରମିଳା ହାର ନମାନି ପୁଣି ଜିଲ୍ଲାପାଳଙ୍କୁ ଗତ ମାର୍ଚ୍ଚ ୧୬ ଏବଂ ଜୁଲାଇ ୧୩ ତାରିଖରେ ଜିଲ୍ଲାପାଳକୁ ଭେଟି ସବୁ ଜାଲିଆତି ବିଷୟରେ କହିଥିଲେ। ଏତେ ସବୁ ଅଭିଯୋଗ ପରେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ପ୍ରମିଳା ଅଭିଯୋଗ କରିଥିଲେ। ଏଥିସହ ଆଜି ପୁଣି ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ପହଞ୍ଚି ଅଭିଯୋଗ କରିଛନ୍ତି। ତେବେ ଏହାର ତଦନ୍ତ କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ଆଶ୍ବସନା ଦେଇଛନ୍ତି। ଏତେ ଦିନଧରି ଏହି ନିଯୁକ୍ତିରେ ଜାଲିଆତି ହୋଇଥିବା ନେଇ ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ଲୋକ ପ୍ରତିନିଧିମାନଙ୍କୁ ଅଭିଯୋଗ କରାଯାଇଥିଲେ ମଧ୍ୟ କେହି ଶୁଣୁନଥିବାରୁ ଶେଷରେ ସେ ଏନେଇ ଆଗାମୀ ଦିନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନ କରିବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି। ସେହିପରି ପଡିଆ ଜୋନ-୧ରେ ସ୍ଥାନୀୟ ବାସିନ୍ଦା ନାରା ପରମେଶ୍ବରୀଙ୍କ ସହ ପ୍ରାୟ ୧୦ ଜଣ ଅଂଗନବାଡି କର୍ମୀ ପାଇଁ ଆବେଦନ କରିଥିଲେ। ତେବେ ବିଭାଗୀୟ ଅଧିକାରୀମାନେ ସ୍ଥାନୀୟ ଜଣେ ଆଦିବାସୀ ମହିଳାଙ୍କୁ ନିଯୁକ୍ତି ଦେଇଥିଲେ।

କିନ୍ତୁ ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗର ତାଙ୍କୁ ବିଭାଗୀୟ ଅଧିକାରୀମାନେ ବାହାର କରିଦେଇଥିଲେ। କିନ୍ତୁ ପରେ କୌଣସି ସୂଚନା ନଥାଇ ସ୍ଥାନୀୟ ଜଣେ ଯୁବତୀ ଚିନ୍ନାମ ସୁଜାତାଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି। ଏହି ବିଜ୍ଞାପନର ୫ ନମ୍ବର ଅନୁଛେଦକୁ ଅଣଦେଖା କରି ଦିଆଯାଇଛି। ସୁଜାତା ଅବିବାହିତା ଥିବା ବେଳେ ତାଂକୁ ୩୫ ବର୍ଷରୁ ଉର୍ଦ୍ଧ୍ବ ହୋଇ ନାହିଁ। ତେବେ କିପରି ତାଂକୁ ନିଯୁକ୍ତି ଦିଆଗଲା ତାହା ଏବେ ତଦନ୍ତ ସାପେକ୍ଷ। ଏନେଇ ପଡିଆ ସିଡିପିଓ ବିପୁଳା ସରଦାରଙ୍କୁ ପଚରାଯିବାରୁ ସେ ନିଯୁକ୍ତି ଦେଇ ନାହାନ୍ତି, ବରଂ କମିଟି ଦେଇଛି। ବାପନପାଲ୍ଲୀ ଘଟଣାରେ ଯେଉଁ ଝିଅ ପାଇଛି ସେ ସେହି ଗ୍ରାମର ବିବାହିତ ଅଟେ। ତେଣୁ ସେ ନିଯୁକ୍ତି ପାଇଥିବା ଯୁକ୍ତି ବାଢିଥିଲେ। ସେହିପରି ପଡିଆ ଜୋନ-୧ରେ ମଧ୍ୟ କୌଣସି ଜାଲିଆତି ହୋଇନଥିବା ସେ କହିଥିଲେ। ଅଧିକା ମାର୍କ ଆଣିଥିବାରୁ ସୁଜାତା ସେଠି ନିଯୁକ୍ତି ପାଇଥିବା ସେ କହିଥିଲେ। ତେବେ ଏହାର ଉଚିତ ତଦନ୍ତ କରାଯାଇ ଠିକ ଲୋକଙ୍କୁ ନିଯୁକ୍ତି ଦେବାକୁ ସ୍ଥାନୀୟ ବାସିନ୍ଦା ମଧ୍ୟ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର