ରାଜନଗର: କେନ୍ଦ୍ରାପଡା ଜିଲ୍ଲାରେ ଧାନ କିଣାରେ ଅବ୍ୟବସ୍ଥା ଚରମ ସୀମାରେ ପହଞ୍ଚିଛି। ମଣ୍ତି ନାଁକୁ ମାତ୍ର ଖୋଲିଥିବା ବେଳେ ଧାନ ସିଧାସଳଖ ମିଲ୍କୁ ଆସୁଛି। ଏପରି ଅବ୍ୟବସ୍ଥା ଓ ଦୁର୍ନୀତିକୁ ଯୋଗାଣ ବିଭାଗ ଓ ସମବାୟ ବିଭାଗର କର୍ମଚାରୀମାନେ ନୀତିରେ ପରିଣତ କରିଦେଇଛନ୍ତି। ଧାନ କିଣୁଥିବା ସେବା ସମବାୟ ସମିତିର ସଂପାଦକମାନଙ୍କର ଦେବା ନେବା କାରବାର ଉପର ଅଧିକାରୀଙ୍କ ସହ ରହିଥିବା ଅଭିଯୋଗ ହୋଇଛି। ଖାସ୍ ସେହି କାରଣରୁ ସଂପାଦକଙ୍କ ବିରୋଧରେ ପ୍ରମାଣ ସହ ଦୁର୍ନୀତିର ଅଭିଯୋଗ ହେଲେବି ସମବାୟ ବିଭାଗର ବାବୁମାନେ କାର୍ଯ୍ୟାନୁଷ୍ଠାନ ବଦଳରେ ନୀରବତା ଏ ଅଭିଯୋଗ ଉପରେ ସନ୍ଦେହ ବଢାଇବାରେ ଲାଗିଛି। ଅନ୍ୟପଟେ ଧାନକିଣା ଟାର୍ଗେଟକୁ ନେଇ ବଡ଼ ଧରଣର ଦୁର୍ନୀତି ସାମ୍ନାକୁ ଆସିଛି। କେଉଁ ସେବା ସମବାୟ ସମିତିକୁ ଟାଗେର୍ଟ ଉପରେ ଟାର୍ଗେଟ୍ ଅଜାଡି ଦିଆଯାଉଥିବା ବେଳେ ଚାରି ଚାରିଟି ପଂଚାୟତର ଚାଷୀଙ୍କଠାରୁ ଧାନ କିଣୁଥିବା ସେବା ସମବାୟ ସମିତିକୁ ଟାର୍ଗେଟ ପ୍ରଦାନରେ ପାତରଅନ୍ତର କରାଯାଉଥିବା ଗୁରୁତର ଅଭିଯୋଗ ହୋଇଛି। କିଏ ସେବା ସମବାୟ ସମିତିଗୁଡିକୁ ଟାର୍ଗେଟ ବାଂଟୁଛି ଓ କେଉଁ ଆଧାରରେ ତାହା ବଂଟାଯାଉଛି, ତାହାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି।
ରାଜନଗର ବ୍ଲକ୍ ତାଳଚୁଆ ପ୍ରାଥମିକ କୃଷି ସେବା ସମବାୟ ସମିତି ଅଧୀନରେ ତାଳଚୁଆ, ବାଘମାରୀ, ରଂଗଣୀ, କେରୁଆଁପାଳ ପ୍ରଭୃତି ଚାରିଟି ପଂଚାୟତର ଚାଷୀ ଧାନ ବିକନ୍ତି। ଏହି ପଂଚାୟତର ଚାଷୀ ଧାନ ସୁରୁଖୁରୁରେ ଦେବା ପାଇଁ ଚଳିତବର୍ଷ ତାଳଚୁଆ ସେବା ସମବାୟ ସମିତି ପକ୍ଷରୁ ସମିତି କାର୍ଯ୍ୟାଳୟ ପରିସର ଓ ରଂଗଣୀଠାରେ ମଣ୍ତି ଖୋଲା ଯାଇଛି। ଅର୍ଥାତ୍ ଗୋଟିଏ ପ୍ରାଥମିକ ସେବା ସମବାୟ ସମିତି ଦୁଇଟି ସ୍ଥାନରୁ ଧାନ ସଂଗ୍ରହ କରୁଛି। ଏହି ସେବା ସମବାୟ ସମିତିରେ ଧାନ ବିକିବାକୁ ୭୨୧ଜଣ ଚାଷୀ ପଞ୍ଜୀକରଣ କରିଥିଲେ। ସାଟେଲାଇଟ ସର୍ଭେ ପରେ ୬୯୧ ଚାଷୀ ଧାନ ଦେଇପାରିବେ ବୋଲି ସ୍ଥିର ହୋଇଛି। ୬୯୧ ଚାଷୀଙ୍କ ମଧ୍ୟରୁ ୯ ତାରିଖ ସୁଦ୍ଧା ୨୬୧ଜଣ ଚାଷୀ ୯୬୬୩ କୁଇଂଟାଲ ୧୨ କେଜି ଧାନ ଦେଇଛନ୍ତି। ସୋସାଇଟିରେ ଆଉ ଧାନ କିଣିବାକୁ ଟାର୍ଗେଟ୍ ନ ଥିବାରୁ ଧାନ କିଣା ଯାଇପାରୁନି। ୪ଦିନ ହେଲା ଟାର୍ଗେଟ୍ ନଥିବାରୁ ଧାନ ଦେଇପାରି ନ ଥିବା ୪୩୦ ଜଣ ଚାଷୀ ମୁଣ୍ତରେ ହାତ ଦେଇ ବସିଛନ୍ତି। ସେହିପରି ନୋଧାବସନ୍ତ ସେବା ସମବାୟ ସମିତି ଅଧୀନରେ ଗୋଟିଏ ବି ପଂଚାୟତର ସବୁ ଚାଷୀ ନାହାନ୍ତି। ଏହି ସେବା ସମବାୟ ସମିତି କୁରୁଂଟି, ଚାନ୍ଦିବାଉଁଶମୂଳ, ଡେରା ପଂଚାୟତର ଅଳ୍ପ କିଛି କିଛି ଚାଷୀଙ୍କୁ ନେଇ ଗଠନ ହୋଇଛି। କାରଣ ଡେରା, କୁରୁଂଟି ଓ ଚାନ୍ଦିବାଉଁଶମୂଳ ପଂଚାୟତରେ ପୃଥକ ପୃଥକ ଭାବେ ସେବା ସମବାୟ ସମିତି ରହିଛି ଓ ସେମାନେ ଧାନ ସଂଗ୍ରହ କରୁଛନ୍ତି। ଅର୍ଥାତ୍ ଡେରା, କୁରୁଂଟି, ଚାନ୍ଦିବାଉଁଶମୂଳ ପ୍ରଭୃତି ୩ଟି ପଂଚାୟତ ପାଇଁ ୪ଟି ସେବା ସମବାୟ ସମିତି ରହିଛି। ଏହି ୪ଟି ସେବା ସମବାୟ ସମିତି ୩ଟି ପଂଚାୟତର ଚାଷୀଙ୍କଠାରୁ ଆଜିସୁଦ୍ଧା ୪୭ ହଜାର ୯୯୬ କୁଇଂଟାଲ ୭୦ କିଲୋ ଧାନ ସଂଗ୍ରହ କରି ସାରିଛନ୍ତି।
ନୋଧାବସନ୍ତ ସେବା ସମବାୟ ସମିତି ୩୫୨ଜଣ ଚାଷୀଙ୍କଠାରୁ ୨୧ହଜାର ୯୭୨ କୁଇଂଟାଲ ୫୪ କିଲୋ ଧାନ ସଂଗ୍ରହ କରିଥିବା ବେଳେ କୁରୁଂଟି ସେବା ସମବାୟ ସମିତି ୧୮୦ଜଣ ଚାଷୀଙ୍କଠାରୁ ୭ହଜାର ୬୧ କୁଇଂଟାଲ ୭୪ କିଲୋ, ଚାନ୍ଦିବାଉଁଶମୂଳ ସେବା ସମବାୟ ସମିତି ୪୨୪ଜଣ ଚାଷୀଙ୍କଠାରୁ ୧୪ହଜାର ୮୦୭ କୁଇଂଟାଲ ୭୪ କିଲୋ, ଡେରା ସମବାୟ ସମିତି ୧୧୫ଜଣ ଚାଷୀଙ୍କଠାରୁ ୪ହଜାର ୧୫୪ କୁଇଂଟାଲ ୬୮ କେଜି ଧାନ ସଂଗ୍ରହ କରିଛନ୍ତି। ତାଳଚୁଆ ସେବା ସମବାୟ ସମିତିକୁ ୪ଟି ପଂଚାୟତର ଚାଷୀଙ୍କଠାରୁ ଧାନ କିଣିବାକୁ ୯ହଜାର ୬୬୩ କୁଇଂଟାଲ ଟାର୍ଗେଟ୍ ଦିଆଯାଇଥିବା ବେଳେ କୁରୁଂଟି, ଚାନ୍ଦିବାଉଁଶମୂଳ, ଡେରା ପ୍ରଭୃତି ୩ଟି ପଂଚାୟତରୁ ୪ଟି ସେବା ସମବାୟ ସମିତିକୁ ଧାନ କିଣିବାକୁ ୪୮ହଜାର କୁଇଂଟାଲ ଧାନ କିଣିବାକୁ ଟାର୍ଗେଟ୍ ଦିଆଯିବା ଘଟଣା ଆଶ୍ଚର୍ଯ୍ୟ ଚକିତ କରିଛି। ରାଜନଗର ବ୍ଲକ୍ରେ ସବୁଠୁ ଅଧିକ ଧାନ ଚାଷ ବଂଗୀୟ ଅଧ୍ୟୁଷିତ ଅଂଚଳରେ ହୋଇଛି। ଏହି ଅଂଚଳରୁ ଭଲ ଧାନ ଏପରିକି ଏଫ୍ଏକ୍ୟୁ ମାନର ଧାନ ହୋଇଛି। ତାଳଚୁଆ, ରଂଗଣୀ, କେରୁଆଁପାଳ, ବାଘମାରୀ ପଂଚାୟତରେ ଚଳିତବର୍ଷ ଚାଷୀମାନେ ୮୦ହଜାର କୁଇଂଟାଲରୁ ଅଧିକ ଧାନ ଅମଳ କରିଛନ୍ତି। ମାତ୍ର ସେଠାରେ ଧାନ କିଣୁଥିବା ସେବା ସମବାୟ ସମିତିକୁ ମାତ୍ର ୯ହଜାର ୬ଶହ କୁଇଂଟାଲର ଟାର୍ଗେଟ୍ କିପରି ଦିଆଗଲା ଏବଂ ଏହାକୁ କିଏ ପାତର ଅନ୍ତର କରି ବାଂଟିଲା, ଏହା ପଛରେ କାହାର ହାତ ରହିଛି ସେ ନେଇ ଚାଷୀମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ତାଳଚୁଆ ପ୍ରାଥମିକ କୃଷି ସେବା ସମବାୟ ସମିତିର ସଭାପତି ବଳରାମ ମଣ୍ତଳଙ୍କ କହିବା କଥା ହେଲା, ଆମେ ଟାର୍ଗେଟ୍ ପାଇଁ ୫ଥର ଜିଲ୍ଲା ଯୋଗାଣ ବିଭାଗ କାର୍ଯ୍ୟାଳୟକୁ ଯାଇଛୁ। ଟାର୍ଗେଟ୍ ଉପରୁ ଆସୁନି କହି ପ୍ରତିଥର ୨ଶହ ଅଢେଇ ଶହ କୁଇଂଟାଲ ଟାର୍ଗେଟ୍ ଦେଇ ଭଣ୍ତାଇ ଦେଉଛନ୍ତି। ମାତ୍ର ନିର୍ଦ୍ଦିଷ୍ଟ ଗୋଟିଏ ବି ପଂଚାୟତ ସମ୍ପୂର୍ଣ୍ଣ ଭାବେ ଅଧୀନରେ ନଥିବା ସେବା ସମବାୟ ସମିତି ନୋଧାବସନ୍ତ ସେବା ସମବାୟ ସମିତିକୁ ୨୨ହଜାର କୁଇଂଟାଲର ଟାର୍ଗେଟ୍ କିପରି ଦିଆଗଲା ସେ ନେଇ ପ୍ରଶ୍ନ କରିଛନ୍ତି। ଆମ ସେବା ସମବାୟ ସମିତିକୁ ଧାନ କିଣିବାକୁ ଟାର୍ଗେଟ୍ ଦିଆ ନ ଗଲେ ଚାଷୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।