ରାୟଗଡ଼ା: ମୁନିଗୁଡ଼ା ତହସିଲ କୁମୁଡ଼ାବାଲି ମୌଜା ବଂଶଧାରା ନଦୀଶର୍ଯ୍ୟା ବାଲି ମାଫିଆଙ୍କ ଲାଗି ଚରାଭୂଇଁ ପାଲଟିଛି। ବିନା କୌଣସି କାଗଜପତ୍ରରେ ମାଫିଆ ମାନେ ଦିନ ରାତି ବଂଶଧାରାରୁ ବାଲି ଉତ୍ତୋଳନ କରି ଆନ୍ଧ୍ର ସମେତ ରାୟଗଡ଼ା ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ଚାଲାଣ କରୁଛନ୍ତି। ବାଲି ଚୋରା ଚାଲାଣ କରୁଥିବା ୩ଟି ଟ୍ରାକ୍ଟରକୁ ପୁଲିସ ଆଜି ଜବତ କରିବା ସହ ଡ୍ରାଇଭରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏଥିସହ ଟ୍ରାକ୍ଟର ମାଲିକଙ୍କ ନାଁରେ ମୁନିଗୁଡ଼ା ଥାନାରେ ମାମଲା ରୁଜୁ ହୋଇଛି। ମୁନିଗୁଡ଼ା ତହସିଲ ବଂଶଧାରା ନଦୀଶର୍ଯ୍ୟାରୁ ଦୀର୍ଘବର୍ଷ ହେଲା ଚୋରାରେ ବାଲି ଚାଲାଣ ହେଉଛି। ଲିଜ ଅଞ୍ଚଳ ବଦଳରେ ମାଫିଆମାନେ ଲିଜ ବାହାର ଅଞ୍ଚଳରୁ ବାଲି ଉଠାଇ ଟ୍ରାକ୍ଟର, ଟିପର, ହାଇୱାରେ ଚାଲାଣ କରି ମାସିକ ଲକ୍ଷାଧିକ ଟଙ୍କାର ମୁନାଫା କମାଉଛନ୍ତି। ବାଲି ଚୋରା ଚାଲାଣରେ ମୁନିଗୁଡ଼ା ରାଜସ୍ବ ବିଭାଗର ଅସାଧୁ କର୍ମଚାରୀ ଲିପ୍ତ ଥିବାରୁ ମାଫିଆଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ହୋଇ ପାରୁନଥିବା ଅଭିଯୋଗ ହୋଇଛି। କେବଳ ଧର୍ମକୁ ଆଖି ଠାର ସଦୃଶ୍ୟ ପ୍ରତି ମାସରେ କିଛି ଟ୍ରାକ୍ଟରରୁ ଫାଇନ ଆଦାୟ କରି ତହସିଲ କର୍ତ୍ତୃପକ୍ଷ ନିଜ ଦାୟିତ୍ବକୁ ସାରି ଦେଇଛନ୍ତି।
କିନ୍ତୁ ଚୋରା ଚାଲାଣକୁ ପଛରେ ଅନେକ ରହସ୍ୟ ଥିବା ନେଇ ସାଧାରଣରେ ଚର୍ଚ୍ଚା ହେଉଛି। ବାଲି ଚୋରା ଚାଲାଣରେ ନିୟୋଜିତ ଶତାଧିକ ଟ୍ରାକ୍ଟର, ଟିପର, ହାଇୱା ପିଛା ମାସିକ ୧୫ରୁ ୨୦ ହଜାର ଟଙ୍କା ହାତଗୁଞ୍ଜା ବାବଦକୁ ଆଦାୟ ହେଉଥିବା ବେଳେ ଲକ୍ଷାଧିକ ଟଙ୍କା ସରକାରୀ ତହବିଲ ବଦଳରେ କାହା ପାଖକୁ ଯାଉଛି ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। କୁମୁଡ଼ାବାଲି ଗାଁକୁ ଲାଗିଥିବା ନଦୀଶର୍ଯ୍ୟାକୁ ଜାଣିଶୁଣି ତହସିଲ କର୍ତ୍ତୃପକ୍ଷ ଟେଣ୍ଡର କରୁନଥିବାରୁ ବାଲି ମାଫିଆଙ୍କ ପାଇଁ ଏହା ସୁବର୍ଣ୍ଣ ସୁଯୋଗ ପାଲଟିଛି। ଗତ ୫ ତାରିଖରେ ୫ଟି ବାଲି ବୋଝେଇ ଟ୍ରକକୁ ମୁନିଗୁଡ଼ା ପୁଲିସ ଅଟକ ରଖି ତହସିଲ କର୍ତ୍ତୃପକ୍ଷଙ୍କୁ ସୂଚନା ଦେଇଥିଲା। କିନ୍ତୁ ଆବଶ୍ୟକ କାଗଜପତ୍ର ନଥିବା ସତ୍ତ୍ବେ କିଛି ଘଣ୍ଟାର ଅଟକ ପରେ ତହସିଲ କର୍ତ୍ତୃପକ୍ଷ ୫ଟି ଟ୍ରକକୁ ଛାଡ଼ି ଦେଇଥିଲେ। ଆଜି ପୁଲିସ ପେଟ୍ରୋଲିଂ ସମୟରେ ବାଲି ଚାଲାଣ କରୁଥିବା ୩ଟି ଟ୍ରାକ୍ଟରକୁ ଅଟକାଇ କାଗଜପତ୍ର ଯାଞ୍ଚ କରିଥିଲା। କିନ୍ତୁ ଗୋଟିଏ ବି ଟ୍ରାକ୍ଟର ପାଖରେ ଆବଶ୍ୟକ କାଗଜପତ୍ର ନଥିବାରୁ ପୁଲିସ ଜବତ କରିଛି। ଟ୍ରାକ୍ଟର ଡ୍ରାଇଭର ଡମ୍ବରୁ ପ୍ରାସ୍କା, ଜୟରାମ ସାରକା, ଜଗଦୀଶ ସାହୁକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସେହିପରି ଟ୍ରାକ୍ଟର ମାଲିକ ଅନିରୁଦ୍ଧ ଲୁହା, କୁନୁ ସୁନା, ଭକ୍ତ ଚରଣ ସାହୁ ନାମରେ ମାମଲା ରୁଜୁ କରିଛି।