ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା କୋଲାବିରା ବ୍ଲକ ସିରିଆପାଲିର ମାଧବ ଇସ୍ପାତ ପରିସରରେ ଲୋ-ଲ୍ୟାଣ୍ଡ ଫିଲିଂ ନାମରେ ତଞ୍ଚକତା କରି ପାଉଁଶ ପୋଖରୀ ତିଆରି କରାଯିବା ଘଟଣାରେ ଗୋଟିଏ ପରେ ଗୋଟିଏ ଦୁର୍ନୀତିର ଫର୍ଦ୍ଦ ଖୋଲିବା‌ରେ ଲାଗିଛି। ଅବୈଧ ଅନୁମତିରେ ଏହି ସ୍ଥାନରେ ବେଦାନ୍ତର ପାଉଁଶ ଫିଲିଂ ବଦଳରେ ପାହାଡ଼ ସୃଷ୍ଟି ହୋଇ ସାରିଲାଣି। ଏହି ପାଉଁଶ ଦୁର୍ନୀତି ଲୁଚାଇବାକୁ ଯାଇ ପାଉଁଶ ପାହାଡ଼ ଉପରେ ଏବେ ରିସୋର୍ଟ ତିଆରି କରିବାକୁ ଯୋଜନା ଚାଲିଥିବା ଜଣାପଡ଼ିଛି। ଉକ୍ତ ରିସୋର୍ଟ ପାଇଁ ଜମି ପରୀକ୍ଷଣ ଓ ପ୍ରଦୂଷଣ ନିୟନ୍ତ୍ରଣ ବିଭାଗର ସମୀକ୍ଷା ରିପୋର୍ଟ ବି ପ୍ରସ୍ତୁତ ହୋଇସାରିଛି। ଏହି ରିସୋର୍ଟ ନିର୍ମାଣ ହୋଇଗଲେ ୯୬ ଏକର ଜମିରେ ତଞ୍ଚକତା କରି ଅନୁମତି ନେଇ ପାଉଁଶ ପାହାଡ଼ ନିର୍ମାଣର ଦୁର୍ନୀତି ମାଟି ତଳେ ଦବିଯିବ। ଏନେଇ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ହିରଣ୍ୟ ନାୟକଙ୍କୁ ପଚାରିବାରେ ଏଭଳି ସ୍ଥାନରେ ରିସୋର୍ଟ ହିଁ ନିର୍ମାଣ କରାଯାଇଥାଏ ବୋଲି ସେ କହିଛନ୍ତି।

Advertisment

ସିରିଆପାଲିରେ ମାଧବ ଇସ୍ପାତ ପରିସରରେ ତିଆରି ହୋଇଥିବା ପାଉଁଶ ପାହାଡ଼ ଉପରେ ରିସୋର୍ଟ ନିର୍ମାଣ କରିବାକୁ କଲ୍ୟାଣୀ ରିସୋର୍ଟସ ପ୍ରାଇଭେଟ୍‌ ଲିମିଟେଡ୍‌ (କେଆର୍‌ପିଏଲ୍‌) ଗତବର୍ଷଠାରୁ ଉଦ୍ୟମ ଆରମ୍ଭ କରିଛି। ଗତବର୍ଷ ନଭେମ୍ବର ୧୪ ତାରିଖରେ କଲ୍ୟାଣୀ ରିସୋର୍ଟର କର୍ମଚାରୀ, ଆଇଆଇଏସ୍‌ସି ବେଙ୍ଗାଲୁରୁର ଏକ ଟିମ୍‌କୁ ନେଇ ଆଇଡେକ୍ସ କନସଲଟିଙ୍ଗ ଆଣ୍ଡ ରିସର୍ଚ ପ୍ରାଇଭେଟ୍‌ ଲିମିଟେଡ୍‌ ପକ୍ଷରୁ ଏହି ସ୍ଥାନର ଜିଓ ଟେକ୍‌ନିକାଲ ଇନ୍‌ଭେଷ୍ଟିଗେସନ୍‌ ହୋଇଥିଲା। ଉକ୍ତ ରିପୋର୍ଟରେ ଏହି ପାଉଁଶ ପାହାଡ଼ ଉପରେ ରିସୋର୍ଟ ତିଆରି କରିବା ନେଇ ଉତ୍କୃଷ୍ଟ ସ୍ଥାନ ରହିଥିବା ଦର୍ଶାଯାଇଥିଲା। ଯେଉଁଠି ୪୨ ମିଟର ଉଚ୍ଚତାରେ ଏହି ରିସୋର୍ଟ ରହିବ। ଲୋ-ଲ୍ୟାଣ୍ଡ ଫିଲିଂ ନାମରେ ୯୬ ଏକର ଜମିର ଅନୁମତି ନେଇ ଅନ୍ୟ ଜମି ଅକ୍ତିଆର କରି ସେଠାରେ ୧୫୦ ଏକରର ପାଉଁଶ ପୋଖରୀ ନିର୍ମାଣ କରିଛି ବେଦାନ୍ତ। ଲୋ-ଲ୍ୟାଣ୍ଡ ଫିଲିଂରେ ସର୍ବାଧିକ ୧୦ ଏକର ଯାଏ ଅନୁମତି ପ୍ରଦାନ କରାଯିବା କଥା। ମାତ୍ର ବେଦାନ୍ତର ଏହି ପାଉଁଶ ପୋଖରୀ ପାଇଁ ମୋଟ୍‌ ଜମିକୁ ଏକାଧିକ ଭାଗ କରି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି। ଏହି ଲୋ-ଲ୍ୟାଣ୍ଡ ଫିଲିଂ ପାଇଁ ଅନୁମତି ପ୍ରଦାନ କରାଯାଉଥିବା ସ୍ଥାନର ୫୦୦ ମିଟର ପରିଧିରେ ଜଳ‌ସ୍ରୋତ, ଚାଷ ଜମି, ଜଙ୍ଗଲ ଜମି, ଗୋଚର ଜମି, ସ୍କୁଲ, ହସ୍ପିଟାଲ, ପରିବହନ ରାସ୍ତା ଆଦି ନଥିବା କଥା। ପାଉଁଶ ପୋତାଯିବା ପରେ ୨୦୦ ମିମିର ମାଟିର ଆସ୍ତରଣ ଦିଆଯିବ। ମାତ୍ର ଏହି କ୍ଷେତ୍ରରେ ସମସ୍ତ ନିୟମ କାନୁନକୁ ଜଳାଞ୍ଜଳି ଦେଇ ଖାଲୁଆ ଜମିର ଅନୁମତିରେ ପାଉଁଶ ପାହାଡ଼ କରାଯାଇଛି।

publive-image

ଏହି ସ୍ଥାନକୁ ଖାଲୁଆ ଜମି ଦର୍ଶାଇବା ପାଇଁ ଏହି ସ୍ଥାନରୁ ୪୦-୫୦ ଫୁଟ ଗଭୀର ଯାଏ ମାଟି ଖୋଳି ଅନ୍ୟତ୍ର ସ୍ଥାନାନ୍ତର କରିଦିଆ ଯାଇଥିବା ବେଳେ ତାହା ପୋତି ସାରିବା ପରେ ଏବେ ମାଟି ଉପରକୁ ୫୦-୬୦ ଫୁଟ୍‌ର ପାଉଁଶ ପାହାଡ଼ କରାଯାଇଛି। ଏହି ବେଆଇନ ମାଟି ଖନନ ପାଇଁ ତତ୍କାଳୀନ ତହସିଲଦାର ବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ମାତ୍ର ସମସ୍ତ ନିୟମ କାନୁନକୁ ଜଳାଞ୍ଜଳି ଦେଇ ପାଉଁଶ ପାହାଡ଼ କରାଯିବା ପରେ ୪ ମାସ ତଳେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ଏହି ସମସ୍ତ ଜମିକୁ ଗୋଟିଏ ବୋଲି କାଗଜପତ୍ରରେ ମଧ୍ୟ ଦର୍ଶାଇଛନ୍ତି।