ଜୟପୁର: କୋଟପାଡ ଜିଲ୍ଲାର ଗୁଳ୍ମି ପର୍ଯ୍ୟଟନସ୍ଥଳୀର ନିକଟବର୍ତ୍ତୀ ଡୁମାଝୋରୀ ଠାରେ ଆନ୍ଧ୍ରର ଶ୍ରାବଣୀ ଏନର୍ଜୀ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ନିର୍ମାଣାଧୀନ ଥିବା କ୍ଷୁଦ୍ର ଜଳବିଦ୍ୟୁତ ପ୍ରକଳ୍ପର କାମକୁ ବନ୍ଦ ରଖିବାକୁ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଳାୟ ପକ୍ଷରୁ ପୂର୍ବରୁ ନିର୍ଦେଶନାମା ଜାରି ହୋଇଥିଲା। ଏବେ ଏହାର ନିର୍ମାଣକାମରେ ୬ଟି ତ୍ରୁଟିକୁ ନେଇ ଜରିମାନା ଦେବାକୁ ନିର୍ଦେଶ ଦେଇଛି ମନ୍ତ୍ରାଳୟ। ଏହା ସହ ସମନ୍ବିତ ଆଂଚଳିକ କାର୍ଯ୍ୟାଳୟ , ଭୁବନେଶ୍ବର (ଆଇଆରଓ) ପକ୍ଷରୁ ପୁର୍ନବାର ଯାଂଚ କରି ରାଜ୍ୟ ସରକାର ଏବଂ ଗ୍ରାମାଂଚଳ ବିଦ୍ୟୁତିକରଣ କରପୋରେସନ ନିକଟରେ ରିପୋର୍ଟ ଦାଖଲ କରିବାକୁ ନିର୍ଦେଶ ଦିଆଯାଇଛି।
ଗ୍ରାମାଂଚଳ ବିଦ୍ୟୁତିକରଣ କରପୋରେସନ ମାଡ଼ି ବସିଥିବା ସଂରକ୍ଷିତ ଜଙ୍ଗଲ ଏବଂ ପ୍ରକଳ୍ପର ଡିଜାଇନ୍ ଆଦିର ପରିବର୍ତ୍ତନ କିଭଳି କରାଯିବ ଆଦିର ପରାମର୍ଶ ସରକାରଙ୍କୁ ଜଣାଇବେ। ସରକାର ଏହାର ତର୍ଜମା କରି ପ୍ରକଳ୍ପ କିଭଳି କରାଯିବ ସେ ନେଇ ଶ୍ରାବଣୀ ଏନର୍ଜୀ ପ୍ରାଇଭେଟ୍ ଲିମିଟେଡକୁ ଜଣାଇବେ। ଏସବୁ ଆସନ୍ତା ୩ମାସ ମଧ୍ୟରେ ସଂପନ୍ନ ହେବ ଏବଂ ସେତେଦିନ ପର୍ଯ୍ୟନ୍ତ ଏହାର କାମ ବନ୍ଦ ରହିବ ବୋଲି କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଳାୟ ପକ୍ଷରୁ ନିର୍ଦେଶ ଦେଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ବୁଦ୍ଧିଜୀବୀ ମଂଚ ପକ୍ଷରୁ ସୂଚନା ଦିଆଯାଇଛି।
ପ୍ରକାଶଯୋଗ୍ୟ, ଏହି ପ୍ରକଳ୍ପକୁ ବିରୋଧ କରି ଜୟପୁର ସହରର ବରିଷ୍ଠ ବୁଦ୍ଧିଜୀବୀ ମଂଚ ପକ୍ଷରୁ ମାନ୍ୟବର ହାଇକୋର୍ଟରେ ୨୦୧୯ମସିହାରେ ଏକ ଜନସ୍ବାର୍ଥ ମାମଲା ରୁଜୁ କରାଯାଇଥିଲା। ଏହି ମାମଲାର ଶୁଣାଣି କରି ମାନ୍ୟବର ହାଇକୋର୍ଟ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଳାୟକୁ ମାମଲାର ଯାଂଚ କରି ମନ୍ତ୍ରଳାୟ ନିଜେ ପଦକ୍ଷେପ ନେବାକୁ ନିର୍ଦେଶ ଦେଇଥିଲେ। ଗତ ଏପ୍ରିଲ ୩୦ରେ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଳାୟରୁ ୨ଜଣିଆ ଟିମ୍ ଡିଆଇଜିଏଫ୍ ଆରକେ ସାମଲ ଓ ଆଇଜିଏଫ୍ ଏକେ ମହାନ୍ତି କ୍ଷେତ୍ର ପ୍ରଦର୍ଶନ କରି ପ୍ରକଳ୍ପ ପାଇଁ କିଭଳି ପରିବେଶକୁ ନଷ୍ଟ କରାଯିବା ସହ ସରକାରୀ ନିର୍ଦେଶ ଓ ନିୟମକୁ ଭଙ୍ଗ କରାଯାଇଛି ଏବଂ ମନ୍ତ୍ରଳାୟଠାରୁ ବିନା ଅନୁମତିରେ ନିର୍ମାଣ ହୋଇଛି ତାହାର ରିପୋର୍ଟ ରାଜ୍ୟ ଜଙ୍ଗଲ ବିଭାଗର ଅତିରିକ୍ତ ମୁଖ୍ୟସଚିବଙ୍କୁ ଦେଇଥିଲେ।
ଗତ ମେ ୨୧ରେ ପୁଣିଥରେ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଳାୟ ପକ୍ଷରୁ ରାଜ୍ୟ ଜଙ୍ଗଲ ବିଭାଗର ଅତିରିକ୍ତ ମୁଖ୍ୟସଚିବଙ୍କୁ ଏନେଇ ଚିଠି ନଂ ୧୧୭୬/୨୭.୫.୨୦୨୦ ଦିଆଯାଇଥିଲା। ଏଥିରେ ମନ୍ତ୍ରଳାୟ ପକ୍ଷରୁ ପରବର୍ତ୍ତୀ ନିର୍ଦେଶ ନ ଆସିବା ପର୍ଯ୍ୟନ୍ତ ପ୍ରକଳ୍ପ କାମ ଆରମ୍ଭ ନ କରିବାକୁ ନିର୍ଦେଶ ରହିଥିଲା। ମନ୍ତ୍ରଳାୟର ୨ଅଧିକାରୀ କ୍ଷେତ୍ରର ଯାଂଚ କରି କରି ଦେଇଥିବା ରିପୋର୍ଟରେ, କୋରାପୁଟଜିଲ୍ଲାର କୋଟପାଡ ବ୍ଲକର ଗୁଳ୍ମି ରାଜ୍ୟର ପର୍ଯ୍ୟଟନସ୍ଥଳୀର ମାନ୍ୟତା ଲାଭ କରିଛି। ଏଠାକୁ ବର୍ଷ ତମାମ ରାଜ୍ୟ ସମେତ ଓ ପଡୋଶୀ ରାଜ୍ୟର ବି ବହୁ ପର୍ଯ୍ୟଟକଙ୍କ ଭିଡ ଜମୁଥିଲା।ପ୍ରାକୃତିକ ବିଭବ ଓ ସୁନ୍ଦର ପରିବେଶ ମଧ୍ୟରେ ଏହା ରହିଥିଲା।
ତେବେ ଏଠାରେ ଡୁମାଝୋରୀ କ୍ଷୁଦ୍ର ଜଳବିଦ୍ୟୁତ ପ୍ରକଳ୍ପ ନାଁରେ କୋଲାବ ନଦୀ ଉପରେ ଶ୍ରାବଣୀ ଏନେର୍ଜୀ ପ୍ରାଇଭେଟ୍ ଲିମିଟେଡ୍ ୪ମିଟର ଉଚ୍ଚତାରେ କୋଲାବ ନଦୀ ଉପରେ କ୍ଷୁଦ୍ର ଜଳବିଦ୍ୟୁତ ପ୍ରକଳ୍ପ ନିର୍ମାଣ ପାଇଁ ଅନୁମତି ପାଇଥିଲା। ତେବେ ଅନୁମତି ପାଇଥିବା ଡିଜାଇନକୁ ପରିବର୍ତ୍ତନ କରି ଏହାକୁ ଖିଲାଫ କରି ୧୨ମିଟର ଉଚ୍ଚତାରେ ପ୍ରକଳ୍ପ ନିର୍ମାଣ କରିବା ସହ ଟନେଲ ସ୍ଥାନରେ ଚାନେଲ ନିର୍ମାଣ କରିଛି କମ୍ପାନି। ସେଭଳି ଜଙ୍ଗଲ ବିଭାଗର ୪.୭୨ଏକର ଜମିକୁ ମାଡି ବସି ପ୍ରକଳ୍ପ କାମ କରାଯାଇଛି। କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଳାୟ ନିକଟରୁ ଏ ନେଇ ଅନୁମତି ମଧ୍ୟ ନିଆଯାଇନି। ଟନେଲ କରିବା ସ୍ଥାନରେ ୩୫ରୁ ୪୦ମିଟର ଓସାର ଏବଂ ୬୦୦ମିଟର ଚାନେଲ କରାଯାଇଥିବା ଉଲ୍ଲେଖ ରହିଛି।
ଏହି ପ୍ରକଳ୍ପ ନିର୍ମାଣ କାମ କରାଯିବା ପାଇଁ ସଂରକ୍ଷିତ ଜଙ୍ଗଲରୁ ବିନାଅନୁମତିରେ ବହୁ ଗଛ କଟାଯାଇଥିବା ଦର୍ଶାଯାଇଛି। ସେଭଳି ରାଜସ୍ବ ବିଭାଗ ୨୦୧୯ରେ ଜମି ହସ୍ତାନ୍ତର କରିଥିବା ବେଳେ ଏହାର ତିନି ବର୍ଷ ପୂର୍ବରୁ ଅର୍ଥାତ ୨୦୧୬ରୁ ପ୍ରକଳ୍ପର ଚାନେଲ କାମ ସରକାରୀ ନିର୍ଦେଶ ଓ ନିୟମକୁ ଭାଙ୍ଗି କରିଥିବା ଦର୍ଶାଯାଇଥିଲା। ମଂଚ ପକ୍ଷରୁ ନିର୍ଦେଶନାମାକୁ କାର୍ଯ୍ୟକାରୀ କରିବାକୁ ମନ୍ତ୍ରଳାୟ ପକ୍ଷରୁ ପୁଣି ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ସଂପ୍ରତି ମନ୍ତ୍ରଳାୟ ପକ୍ଷରୁ ଉପରୋକ୍ତ ନିର୍ଦେଶ ଦେଇଥିବାରୁ ମଂଚ ପକ୍ଷରୁ ଏହାକୁ ସ୍ବାଗତ କରାଯାଇଛି। ସାମ୍ବାଦିକ ସମ୍ମିଳନୀରେ ମଂଚର ସଭାପତି ଇଂ.ନିର୍ମଳ ଚନ୍ଦ୍ର ମଲ୍ଲିକ, କାର୍ଯ୍ୟକାରୀ ସଭାପତି ଡ.ଗଙ୍ଗାଧର ନନ୍ଦ, ଡ.ସୁରେଶ ଦାଶ, ମୁଖ୍ୟ ସଂଯୋଜକ ମୀନକେତନ ଦାଶ, କାର୍ଯ୍ୟନିର୍ବାହୀ ସଂପାଦକ ଗୀତା ପ୍ରକାଶ ମିଶ୍ର, ସୁବାଷ ଚନ୍ଦ୍ର ପଣ୍ଡା ଓ ଗୌରହରି ନାୟକ ପ୍ରମୁଖ ଭାଗ ନେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/jpr-budhejibee-manch-2.jpg)
